ବିଶେଷଜ୍ଞଙ୍କ ମତ: ତୁରନ୍ତ ଲାଭ ଦେବନି ଘୋଷଣା କରାଯାଇଥିବା ପ୍ୟାକେଜ୍‌

ନୂଆଦିଲ୍ଲୀ/ମୁମ୍ବାଇ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ରିଅଲ ଇଷ୍ଟେଟ ଏବଂ ରପ୍ତାନି କ୍ଷେତ୍ର ପାଇଁ ଆଜି ଘୋଷଣା କରାଯାଇଥିବା ପ୍ୟାକେଜକୁ ବଜାର ବିଶେଷଜ୍ଞ ଏବଂ ନିବେଶକମାନେ ସ୍ବାଗତ କରିଛନ୍ତି। ତେବେ ଏହି ପ୍ୟାକେଜ ଅର୍ଥନୀତିକୁ ତୁରନ୍ତ ସହାୟତା ପ୍ରଦାନ କରିବ ନାହିଁ। ଏହାର ଦୀର୍ଘଦିନ ପରେ ଏହାର ଲାଭ ଅର୍ଥନୀତିକୁ ମିଳିବ ବୋଲି ସେମାନେ ମତ ଦେଇଛନ୍ତି। ଘୋଷଣା ହୋଇଥିବା ଯୋଜନା ଗୁଡ଼ିକ କେବଳ ଦୀର୍ଘମିଆଦୀ ଦୃଷ୍ଟିରୁ ଲୋଭନୀୟ। କିନ୍ତୁ ସ୍ବଳ୍ପମିଆଦୀରେ ଏହା ସେମିତି କୌଣସି ନାଟକୀୟ ପରିବର୍ତ୍ତନ ଅର୍ଥନୀତିରେ ଆଣିପାରିବ ନାହିଁ ବୋଲି ୟୁବିଏସ୍ ସିକ୍ୟୁରିଟିଜ୍‌, ଇଣ୍ଡିଆର ଏମଡି ତଥା ଗବେଷଣା ମୁଖ୍ୟ ଗୌତମ ଚାଓଛରିଆ କହିଛନ୍ତି। ଷ୍ଟକ ମାର୍କେଟ ନିବେଶକମାନେ ମଧ୍ୟ ଏଭଳି ସମାନ ମନ୍ତବ୍ୟ ଦେଇଛନ୍ତି। ଟାର୍ଗେଟ ଇନଭେଷ୍ଟିଂର ପ୍ରତିଷ୍ଠାତା ସମୀର କାଲ୍‌ରା କୁହନ୍ତି, ରପ୍ତାନି କ୍ଷେତ୍ର ପାଇଁ‌ ଘୋଷଣା ହୋଇଥିବା ପଦକ୍ଷେପ ଗୁଡ଼ିକ କେବଳ ମଧ୍ୟମ ଓ ଦୀର୍ଘ ଅବଧିରେ ସହାୟକ ହେବ। ସେହିଭଳି ରିଅଲ ‌ଇଷ୍ଟେଟ କ୍ଷେତ୍ର ପାଇଁ ଘୋଷଣା ହୋଇଥିବା ପ୍ୟାକେଜ ନିର୍ଦ୍ଦି‌ଷ୍ଟ କେତେକ ପ୍ରକଳ୍ପକୁ ସହାୟକ ହେବ। ମୋଟାମୋଟିଭାବେ ଅର୍ଥନୀତିରେ ଏବେ ଆମେ ଯେଉଁ ନିମ୍ନମୁଖୀ ଧାରା ଅନୁଭବ କରୁଛି ସେଥିରେ କୌଣସି ପରିବର୍ତ୍ତନ ବର୍ତ୍ତମାନ ଆସିବ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ରପ୍ତାନି ମହାସଂଘ ଫିଓ ପକ୍ଷରୁ ଅର୍ଥମନ୍ତ୍ରୀଙ୍କ ଦ୍ବାରା ରପ୍ତାନି କ୍ଷେତ୍ର ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜକୁ ସ୍ବାଗତ କରାଯାଇଛି। ଫିଓ ସଭାପତି ଶରଦ କୁମାର ସରାଫ କହିଛନ୍ତି, ଏହି ପ୍ୟାକେଜ ଘୋଷଣାର ଯଥେଷ୍ଟ ଆବଶ୍ୟକତା ରହିଥିଲା। ସ୍ବଳ୍ପମିଆଦୀଠାରୁ ଆରମ୍ଭ କରି ଦୀର୍ଘମିଆଦୀ ପର୍ଯ୍ୟନ୍ତ ଏହା ସହାୟକ ହେବ। ଏଥିସହିତ ଅର୍ଥନୀତିକୁ ଆଗକୁ ବଢ଼ିବାରେ ଗୁରତ୍ବପୂର୍ଣ୍ଣ ଯୋଗଦାନ ରଖିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର