ଏହି ଜେଲ୍‌ର କଏଦିମାନେ ତଆରିଥିବା ଜୋତା ଦେଖିବାକୁ ଚକାଚକ୍‌, ଏବେ ଅନ୍‌ଲାଇନ୍‌ ସେଲ୍‌ରେ ବି ରହିଛି ଚାହିଦା

ପୁଣେ: ପ୍ରଥମ ଥର ପାଇଁ ଜେଲ୍‌ ମଧ୍ୟରେ ଜୋତା ତିଆରି ହେଉଥିବା ଭଳି ଏକ ଅଭିନବ କାର୍ଯ୍ୟ ଦେଖିବାକୁ ମିଳିଛି। ପୁଣେର ୟେର୍‌ଓ୍ଵାଡା ଜେଲ୍‌ ମଧ୍ୟରେ ଦେଶରେ ବିକ୍ରି କରାଯିବା ଉଦ୍ଦେଶ୍ୟରେ ଚମଡ଼ା ଜୋତା ତିଆରି କରାଯାଇଛି। ଜେଲ୍‌ର କଏଦିମାନେ ମିଶି କରି ତିଆରି କରିଥିବା ‘ଇନ୍‌ମେଟ୍‌ସ’ ନାମକ ଏହି ଜୋତା ଏବେ ଅନ୍‌ଲାଇନ୍‌ରେ ଉପଲବ୍ଧ।

ରାଜ୍ୟ ଜେଲ୍‌ ବିଭାଗ ଏବଂ ମୁମ୍ବାଇର ଏକ ବେସରକାରୀ କମ୍ପାନିର ମିଳିତ ଉଦ୍ୟେମରେ ଏହା ସମ୍ଭବ ହୋଇପାରିଛି। ଏପରି କରିବା ଦ୍ୱାରା କଏଦିମାନେ ଉଦ୍ୟେଗଶିଳ୍ପ ସଂପର୍କରେ ଧାରଣା ପାଇପାରିବେ। ସେହି ପାରମ୍ପରିକ କେତୋଟି କାର୍ଯ୍ୟରେ ସେମାନଙ୍କୁ ସୀମିତ ନକରାଯାଇ ନୂଆ କୌଶଳ ଜ୍ଞାନ ଦେବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନିଆଯାଇଛି। ଫଳରେ ସେମାନେ ଯେତେବଳେ ବାହାରକୁ ବାହାରିବେ ନିଜର କାର୍ଯ୍ୟ ଦକ୍ଷତା ଓ ଅଭିଜ୍ଞତା ବଳରେ ନୂଆ କାର୍ଯ୍ୟ ପାଇବାରେ ସମର୍ଥ ହେବେ।

ଏହି ମିସନ୍‌ ପୁଣେର ୟେର୍‌ଓ୍ଵାଡା ଜେଲ୍‌ ମଧ୍ୟରେ ଦେଢ଼ ବର୍ଷରୁ ଆରମ୍ଭ ହେଲାଣି। ଜେଲ୍‌ କର୍ତ୍ତୃପକ୍ଷ ବାଛିଥିବା ୧୦ ଜଣ ବଛା କଏଦି ଏହି ଜୋତା ସବୁ ତିଆରି କରୁଛନ୍ତି।

ଏହି ଇନ୍‌ମେଟ୍‌ ଜୋତାର ନିର୍ମାତା ଦିଭେଜ ମେହେତା କହନ୍ତି, ‘ଜୋତାକୁ ଦେଖିବା ପରେ ଲାଗୁଛି କି ଏହାକୁ ଆମେ ଭବିଷ୍ୟତରେ ଆନ୍ତର୍ଜାତୀୟ ବଜାରରେ ବି ବିକ୍ରି କରିପାରିବୁ। ଯେଉଁ କଏଦୀମାନଙ୍କର ଜୋତା ତିଆରିରେ ସାମାନ୍ୟ ଦକ୍ଷତା ରହିଛି ସେମାନଙ୍କୁ ପ୍ରାଥମିକତା ଦିଆଯାଉଛି।

ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ଚମଡ଼ା ଜୋତା ତିଆରି କରାଯାଉଥିଲା। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଅଭିଜ୍ଞତା ଓ ଉତ୍ତମ ପ୍ରଶିକ୍ଷଣ ଦିଆଯିବା ପରେ ଅନ୍ୟ ବଡ଼ ବଡ଼ ବ୍ରାଣଡ୍‌ଗୁଡ଼ିକ ପରି ଭିନ୍ନ ଧରଣର ଜୋତା ସବୁ ତିଆରି କରାଯାଉଛି। ଏହି ଜୋତାଗୁଡ଼ିକୁ ଅନ୍‌ଲାଇନ୍‌ରେ ବିକ୍ରି କରିବା ପାଇଁ ‘ଇନ୍‌ମେଟ୍‌ସ’ର ଏକ େଓ୍ଵବ୍‌ସାଇଟ୍‌ ରହିଛି। ଏହି େଓ୍ଵବ୍‌ସାଇଟ୍‌ରେ ଏବେ ସୁଦ୍ଧା ୧୨୦୦ ଜୋତା ଉପଲବ୍ଧ ଅଛି।

କମ୍ପାନି ଭବିଷ୍ୟରେ ପ୍ରାୟ ୬୦ ଜଣ କଏଦି କର୍ମଚାରୀଙ୍କ ଦ୍ୱାରା ଏହି ଜୋତା ତିଆରି କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛି। ଏହି ଜୋତାଗୁଡ଼ିକର ଦର ୨୫୦୦ରୁ ଊର୍ଧ୍ୱ ରହିଛି। ଏହି କାମ ପାଇଁ କମ୍ପାନି ପକ୍ଷରୁ କଏଦୀମାନଙ୍କୁ ଦିନକୁ ୨୦୦ ଟଙ୍କା ମଜୁରି ପ୍ରଦାନ କରାଯାଉଛି। ନିୟମ ଅନୁସାରେ ଜଣେ କଏଦିକୁ ଦିନକ ପାରିଶ୍ରମିକ ସର୍ବାଧିକ ୫୫ ଟଙ୍କା ଦିଆଯାଏ। ତେଣୁ ବାକି ଟଙ୍କା ଜେଲ୍‌ କଲ୍ୟାଣ୍‌ କେନ୍ଦ୍ରକୁ ଦିଆଯାଉଛି।

ସମ୍ବନ୍ଧିତ ଖବର