ଜେଟ୍‌ ପାଇଁ ମିଳୁନାହାନ୍ତି ଗ୍ରାହକ

ନୂଆଦିଲ୍ଲୀ,: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ର ମାଲିକାନାସତ୍ତ୍ବ ବିକ୍ରି କରିବାକୁ ବ୍ୟାଙ୍କ ପକ୍ଷରୁ ଯେଉଁ ଉଦ୍ୟମ ଆରମ୍ଭ କରାଯାଇଥିଲା ତାହାକୁ ଆରମ୍ଭରୁ ଝଟ୍‌କା ଲାଗିଛି। ଏହି କଂପାନିକୁ କିଣିବା ପାଇଁ କୌଣସି ସଂସ୍ଥା ଆଗ୍ରହ ଦେଖାଉନାହାନ୍ତି। କୌଣସି ଗ୍ରାହକଙ୍କ ଠାରୁ ଆବେଦନ ନମିଳିବାରୁ ବିଡ୍ ଆହ୍ବାନ ଅବଧିକୁ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ସରକାର ବାରମ୍ବାର ଉଦ୍ୟମ କରି ବିଫଳ ହୋଇଥିଲେ। ଜେଟ୍‌ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଗ୍ରାହକମାନଙ୍କ ପାଇଁ ଜେଟ୍‌କୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଷ୍ଟେଟ୍‌ ବ୍ୟାଙ୍କ ତରଫରୁ ନିଲାମ ସର୍ତ୍ତରେ କିଛିଟା ପରିବର୍ତ୍ତନ କରାଯାଇଛି। ବିଡ୍‌ ଦାଖଲ କରୁଥିବା ପ୍ରତିଟି ସଂସ୍ଥାକୁ ସଲ୍‌ଭେନ୍‌ସି ସାର୍ଟିଫିକେଟ୍‌ ଦେବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଜେଟ୍‌ରୁ ବେସାମରିକ ବିମାନ ଚଳାଚଳ ନିୟାମକ ସଂସ୍ଥା ଡିଜିସିଏ ତରଫରୁ ଜେଟ୍‌ର ୭ଟି ବିମାନର ପଞ୍ଜୀକରଣକୁ ବାତିଲ କରିଦିଆଯାଇଛି। ସେହି ସବୁ ବିମାନକୁ କଂପାନି ଠାରୁ ଫେରାଇ ନେବା ପାଇଁ ଲିଜ୍‌ରେ ବିମାନ ଦେଇଥିବା କଂପାନିଗୁଡ଼ିକୁ କୁହାଯାଇଛି। ଜେଟ୍ ପାଖରେ ପୂର୍ବରୁ ୧୧୯ଟି ବିମାନ ଥିଲା। ଏବେ ଆଉ ମାତ୍ର ୨୬ଟି ବିମାନ ଆକାଶରେ ଉଡ଼ୁଛି। ଆର୍ୟଲ୍ୟାଣ୍ଡ୍‌ର କଂପାନିଗୁଡ଼ିକ ଠାରୁ ଜେଟ୍ ଏହି ସବୁ ବିମାନ ଆଣିଥିଲା। ନିଜ ବିମାନଗୁଡ଼ିକୁ ଜେଟ୍ ଠାରୁ ଫେରାଇ ନେବା ପାଇଁ ଏହି କଂପାନିଗୁଡ଼ିକ ଡିଜିସିଏ ନିକଟରେ ଆବେଦନ କରିଥିଲେ। କେବଳ ସେତିକି ନୁହେଁ ପେମେଣ୍ଟ୍‌ ଦେବାରେ ବିଫଳ ହୋଇଥିବାରୁ ଜେଟ୍‌ର ଏକ କାର୍ଗୋ ବିମାନକୁ ଆମଷ୍ଟରଡ୍ୟାମ୍‌ରେ ଅଟକାଇ ଦିଆଯାଇଥିଲା। ଇଣ୍ଡିଆନ ଅଏଲ ତରଫରୁ ଜେଟ୍‌କୁୁ ପୁଣି ଥରେ ତେଲ ଯୋଗାଣ ବନ୍ଦ କରିଦିଆଯାଇଛି।

ସମ୍ବନ୍ଧିତ ଖବର