ବିବାହ ବଜାରରେ ସଫ୍ଟଓୟାର ଇଞ୍ଜିନିୟରଙ୍କ ଚାହିଦା କମୁଛି:ମିଳୁନି ଅଧିକ ପ୍ରସ୍ତାବ

ନୂଆଦିଲ୍ଲୀ: କିିଛି ବର୍ଷ ପୂର୍ବେ ସଫ୍‌ଟଓୟାର ଇଞ୍ଜିନିୟରଙ୍କର ବିବାହ ବଜାରରେ ବହୁତ ଚାହିଦା ଥିଲା। ଏହି ଚାକିରି ମିଳିବା ସହିତ ବିବାହ ପ୍ରସ୍ତାବର ଲମ୍ବା ତାଲିକା ପହଞ୍ଚିଯାଉଥିଲା। ମାତ୍ର ଏବେ ସେହି ଚିତ୍ର ବହୁତ ବଦଳିଯାଇଛି। ଆଇଟି ଇଞ୍ଜିନିୟର କିମ୍ବା ସଫ୍‌ଟଓୟାର ଇଞ୍ଜିନିୟରମାନଙ୍କର ବିବାହ ବଜାରରେ ଚମକ ଫିକା ପଡ଼ିବାରେ ଲାଗିଛି।
ଆଇଟି କଂପାନିଗୁଡ଼ିକ କରୁଥିବା ଛଟେଇ, ବେତନ ହ୍ରାସ ଓ ଆମେରିକା ସରକାରଙ୍କ ଦ୍ୱାରା ଭିସା କଟକଣା ସଫ୍‌ଟଓୟାର ଇଞ୍ଜିନିୟରିଂ ଚାକିରିର ଭାବମୂର୍ତିକୁ ପ୍ରଭାବିତ କରିଛି।
ମାଟ୍ରିମୋନିଆଲ୍‌ େଓ୍ଵବସାଇଟ୍‌ଗୁଡ଼ିକରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ନିକଟରେ ତାମିଲନାଡୁର ଜଣେ ଯୁବତୀ ବିବାହ ପ୍ରସ୍ତାବ ଆହ୍ଵାନ କରିଥିଲେ। ପସନ୍ଦର ବରପାତ୍ର ବର୍ଗରେ ସେ ଆଇଏଏସ୍‌, ଆଇପିଏସ୍‌, ଡାକ୍ତର, ବ୍ୟବସାୟୀଙ୍କୁ ଆବେଦନ କରିବାକୁ ଆହ୍ଵାନ ଦେଇଥିଲେ। ସେହି ବିଜ୍ଞାପନରେ ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରିଥିଲେ ଯେ ସଫ୍ଟଓୟାର ଇଞ୍ଜିନିୟରମାନେ କଲ୍‌ କରନ୍ତୁ ନାହିଁ।
ସାଦି ଡଟ୍‌ କମ୍‌ର ସିଇଓ ଗୌରବ ରକ୍ଷୀତ କହିଛନ୍ତି ଯେ ୨୦୧୭ ଆରମ୍ଭ ହେବା ଦିନଠାରୁ ସଫ୍ଟଓୟାର ଇଞ୍ଜିନିୟରମାନଙ୍କର ବିବାହ ବଜାରରେ ଚାହିଦା କମିବାରେ ଲାଗିଛି। ଆମେରିକାରେ ଚାକିରି କରୁଥିବା ଯୁବକ/ଯୁବତୀଙ୍କୁ ମିଳୁଥିବା ବିବାହ ପ୍ରସ୍ତାବ ସଂଖ୍ୟା କମିବାରେ ଲାଗିଛି ବୋଲି ସେ କହିଛନ୍ତି।
ଏବେ ଆମେରିକାର ଡୋନାଲ୍‌ଡ ଟ୍ରମ୍ପ୍‌ ସରକାର ଏଚ୍‌୧-ବି ଭିସାଧାରୀଙ୍କ ପତି/ପତ୍ନୀଙ୍କୁ ଚାକିରି ଭିସା ପ୍ରତ୍ୟାହାର କରିବା ଉପରେ ବିଚାର କରୁଛି। ସେମାନଙ୍କୁ ଏଚ୍‌-୪ ନାମରେ ଏକ ଭିସା ଜାରି କରାଯାଇଥାଏ। ସେହି ଭିସା ବଳରେ ଏଚ୍‌୧-ବି ଭିସାଧାରୀଙ୍କ ପତି/ପତ୍ନୀ ଆଇନଗତ ଭାବେ ଆମେରିକାରେ ଚାକିରି କରିପାରୁଛନ୍ତି। ୨୦୧୫ରେ ବାରାକ୍‌ ଓବାମା ରାଷ୍ଟ୍ରପତି ଥିବା ବେଳେ ଏଭଳି ଭିସା ଜାରି କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଟ୍ରମ୍ପ୍‌ ପ୍ରଶାସନ ତାହାକୁ ବନ୍ଦ କରିବା ଉପରେ ବିଚାର କରୁଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବ ତେବେ ୭୦ ହଜାରରୁ ଅଧିକ ଭାରତୀୟଙ୍କୁ ଚାକିରି ଛାଡ଼ିବାକୁ ପଡ଼ିବ। ଏଚ୍‌୧-ବି ଭିସା ଥିବା ବ୍ୟକ୍ତି ଆମେରିକାର ସ୍ଥାୟୀ ବାସିନ୍ଦା ହେବା ପରେ ହିଁ ତାଙ୍କ ପତ୍ନୀଙ୍କୁ ଆଇନଗତ ଭାବେ ଚାକିରି କରିବାର ସୁଯୋଗ ମିଳିବ। ଏହି ଏହି ମାନ୍ୟତା ହାସଲ କରିବା ପାଇଁ ଦଶନ୍ଧୀରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। କୌଣସି ଛୋଟମୋଟର କାରବାର କରିବା କିମ୍ବା ଷ୍ଟାର୍ଟ ଅପ୍‌ ମଧ୍ୟ ସେମାନେ ସ୍ଥାପନ କରିପାରିବେ ନାହିଁ।
ଏଭଳି କଠୋର ନିୟମ ବିବାହ ବଜାରରେ ସଫ୍‌ଟଓୟାର ଇଞ୍ଜିନିୟରମାନଙ୍କ ଚମକକୁ ଆହୁରି ଫିକା କରିଦେବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର