କମିବନି ପେଟ୍ରୋଲ, ଡିଜେଲ ଦର:ଉତ୍ପାଦନ ଶୁଳ୍କ ହ୍ରାସ କରିବାକୁ ମନା କଲେ ସରକାର

ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ପେଟ୍ରୋଲ ଏବଂ ଡିଜେଲ ଦର କମିବ ନାହିଁ। ସରକାର ଏହି ଦୁଇଟି ସାମଗ୍ରୀ ଉପରୁ ଆଦାୟ କରୁଥିବା ଉତ୍ପାଦନ ଶୁଳ୍କକୁ ଛାଡ଼ିବେନି ବୋଲି ଆଜି ସ୍ପଷ୍ଟ କରିଦେବା ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମିବ ନାହିଁ ବୋଲି ସଫା ହୋଇଯାଇଛି।
ପେଟ୍ରୋଲ ଏବଂ ଡିଜେଲ ଦର ଏଭଳି ସ୍ତରରେ ପହଞ୍ଚି ନାହିଁ ଯାହା ଦ୍ୱାରା କି ସରକାର ଉତ୍ପାଦନ ଶୁଳ୍କ ହ୍ରାସ ସମ୍ପର୍କରେ ବିଚାର କରିବେ ବୋଲି ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି।
ତେଲ କମ୍ପାନି ଗୁଡ଼ିକ ଗତ ପ୍ରାୟ ସପ୍ତାହେ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ସଂଶୋଧନ କରିନାହାନ୍ତି। କିନ୍ତୁ ଲିଟର ପିଛା ପେଟ୍ରୋଲ ଦର ୭୪ ଟଙ୍କା ୫୩ ପଇସାରେ ଏବଂ ଡିଜେଲ ଦର ୬୫ ଟଙ୍କା ୯୩ ପଇସାରେ ରହିଛି। ପେଟ୍ରୋଲ ଦର ୫୫ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଥିବାବେଳେ ଡିଜେଲ ଦର ସର୍ବକାଳୀନ ରେକର୍ଡ କରିଛି।
ଶ୍ରୀ ଗର୍ଗ କହିଛନ୍ତି, ଯଦି ଅଶୋଧିତ ତେଲ ଦର ଅଧିକ ବଢ଼େ ତା’ହେଲେ ସରକାର ଉତ୍ପାଦନ ଶୁଳ୍କ ହ୍ରାସ ସମ୍ପର୍କରେ ବିଚାର କରିପାରନ୍ତି। କିନ୍ତୁ ବର୍ତମାନ ସୁଦ୍ଧା ତାହା ଆସିନାହିଁ ବୋଲି ସେ କହିଛନ୍ତି। ତେବେ ଅଶୋଧିତ ତେଲ ଦର କେତେ ହେଲେ ଶୁଳ୍କ ହ୍ରାସ ହେବ ସେ ନେଇ କିଛି ସୂଚନା ଶ୍ରୀ ଗର୍ଗ ଦେଇନାହାନ୍ତି।
ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ଲିଟର ପିଛା ୧ ଟଙ୍କା ହ୍ରାସ କରିଲେ ଏଥିପାଇଁ ସରକାରଙ୍କୁ ବାର୍ଷିକ ୧୩ ହଜାର କୋଟି ଟଙ୍କା ହରାଇବାକୁ ପଡ଼ିବ। ତେବେ କର୍ଣ୍ଣାଟକ ନିର୍ବାଚନ ଥିବାରୁ ଉତ୍ପାଦନ ଶୁଳ୍କ ହ୍ରାସ କିମ୍ବା ସରକାରୀ ତେଲ କମ୍ପାନି ଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନକରିବା ପାଇଁ କୁହାଯାଇଛି କି ବୋଲି ପ୍ରଶ୍ନ ହେବାରୁ ସେମିତି କିଛି ହୋଇନାହିଁ ବୋଲି ଶ୍ରୀ ଗର୍ଗ କହିଛନ୍ତି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଏବେ ୩ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଛି। କିନ୍ତୁ ଆଗାମୀ ଦିନରେ ଅଶୋଧିତ ତେଲ ଦର କମିବ ବୋଲି ଆଶା ସରକାର ରଖିଛନ୍ତି। ବିଶ୍ୱରେ ଦେଖାଦେଇଥିବା ଭୌଗୋଳିକ ଓ ରାଜନୈତିକ ଉତ୍ତେଜନା ହ୍ରାସ ପାଇବା ସମେତ ଆମେରିକାରେ ସେଲ୍‌ ତେଲ ଉତ୍ପାଦନ ବୃଦ୍ଧି ଅଶୋଧିତ ତେଲ ଦରକୁ ଅନ୍ତର୍ଜାତୀୟ ବଜାରରେ ତଳମୁହାଁ କରିବ ବୋଲି ସରକାର ଆଶା ରଖିଛନ୍ତି। ଉଭୟ ଯୋଗାଣ ଏବଂ ଚାହିଦାକୁ ଦେଖିଲେ ଅଶୋଧିତ ତେଲ ଦର ଆଉ ଉପରକୁ ଯିବାର ସମ୍ଭାବନା କମ୍‌ ବୋଲି ଶ୍ରୀ ଗର୍ଗ ମତ ଦେଇଛନ୍ତି। ଷ୍ଟକ ମାର୍କେଟରେ ଅସ୍ଥିରତା ସମେତ ଆମେରିକା ଓ ଚୀନ୍‌ ମଧ୍ୟରେ ଦେଖାଦେଇଥିବା ବାଣିଜ୍ୟ ଯୁଦ୍ଧ ଏବଂ ସିରିଆ ଓ କୋରିଆକୁ ନେଇ ଉପୁଜିଥିବା ଉତ୍ତେଜନା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧିର କାରଣ ବୋଲି ବିଚାର କରାଯାଉଛି। ଏସବୁ ବିଷୟ ଠିକ୍‌ ହେବାକୁ ଯାଉଛି। ତେଣୁ ଅଶୋଧିତ ତେଲ ଦର ବୃଦ୍ଧି ପାଇବା ପରିବର୍ତେ କମିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ଉତ୍ପାଦନ ଶୁଳ୍କ ୯ ଥର ବୃଦ୍ଧି କରିଛନ୍ତି। ଲିଟର ପିଛା ପେଟ୍ରୋଲରେ ଉତ୍ପାଦନ ଶୁଳ୍କ ବାବଦରେ ଏହି ୯ ଥରରେ ୧୧ ଟଙ୍କା ୭୭ ପଇସା ଏବଂ ଡିଜେଲରେ ୧୩ ଟଙ୍କା ୪୭ ପଇସା ଅଧିକ ଆଦାୟ କରୁଛନ୍ତି। କିନ୍ତୁ ପରେ ଗତବର୍ଷ ଅକ୍ଟୋବରରେ ଥରେ ମାତ୍ର ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦନ ଶୁଳ୍କ ୨ ଟଙ୍କା ହ୍ରାସ କରିଛନ୍ତି। ଉତ୍ପାଦନ ଶୁଳ୍କ ବୃଦ୍ଧି ଯୋଗୁ ସରକାର ଏ ବାବଦରେ ବର୍ଷକୁ ପ୍ରାୟ ୨ ଲକ୍ଷ ୪୨ ହଜାର କୋଟି ଟଙ୍କା ଆଦାୟ କରୁଛନ୍ତି। ପୂର୍ବରୁ ୨୦୧୪-୧୫ରେ ଏ ବାବଦରେ ସରକାରଙ୍କୁ ବାର୍ଷିକ ୯୯ ହଜାର କୋଟି ଟଙ୍କାର ରାଜସ୍ୱ ମିଳୁଥିଲା।

ସମ୍ବନ୍ଧିତ ଖବର