ନିଯୁକ୍ତି ଅଭାବ ଯୁବପିଢ଼ି ବିଚଳିତ: ମନମୋହନ

ନୂଆଦିଲ୍ଲୀ: ନିଯୁକ୍ତି ବିହୀନ ଅଭିବୃଦ୍ଧି ଦେଶର ଯୁବପିଢ଼ିଙ୍କୁ ବିଚଳିତ କରିଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି। ଦିଲ୍ଲୀ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ୍‌ର ସମାବର୍ତନ ଉତ୍ସବରେ ଉଦବୋଧନ ଦେଇ ସେ କହିଛନ୍ତି ଯେ, ନିଯୁକ୍ତି ବିହୀନ ଅଭିବୃଦ୍ଧି ଏବେ ନିଯୁକ୍ତି ହାନି ଅଭିବୃଦ୍ଧିରେ ପରିଣତ ହୋଇଛି। ଏହା ସହିତ ଗ୍ରାମାଞ୍ଚଳରେ ଲାଗି ରହିଥିବା ଋଣ ସଙ୍କଟ ଏବଂ ସହରାଞ୍ଚଳର ସମସ୍ୟା ଦ୍ରୁତ ଗତିରେ ବଢ଼ୁଥିବା ଦେଶର ଉଚ୍ଚାଭିଳାଷୀ ଯୁବପିଢ଼ିଙ୍କୁ ବିଚଳିତ କରିଛି। ଦେଶର ଅର୍ଥନୀତିକୁ ଏହାର ପୂର୍ଣ୍ଣ କ୍ଷମତାରେ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି। ସେଥିପାଇଁ ସେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସେ କହିଲେ, ଦେଶ ଏବେ କୃଷି ସଙ୍କଟ, ନିଯୁକ୍ତି ଅଭାବ, ପରିବେଶ କ୍ଷୟ ଏବଂ କର୍ମ କ୍ଷେତ୍ରରେ ବିଭାଜନ ସୃଷ୍ଟିକାରୀ ଶକ୍ତି ଭଳି ସମସ୍ୟା ଦେଇ ଗତି କରୁଛି। ଶିଳ୍ପ କ୍ଷେତ୍ରରେ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସରକାର ବିଫଳ ହୋଇଛନ୍ତି। ସରକାରଙ୍କୁ ଭତ୍ସନା କରି ସେ କହିଛନ୍ତି ଯେ, ସମ୍ପତ୍ତି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରତି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ପ୍ରଦାନ କରୁଥିବା କ୍ଷୁଦ୍ର ଓ ଅଣସଂଗଠିତ କ୍ଷେତ୍ର ବିମୁଦ୍ରୀକରଣ ଯୋଗୁ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କାର୍ଯ୍ୟକାରୀ କରିବା ପରେ ସ୍ଥିତି ଆହୁରି ବିଗିଡ଼ିଯାଇଛି। ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରର ଅଭିବୃଦ୍ଧି ଆଗକୁ ବଢ଼ାଇବାକୁ ହେଲେ ସୁଚିନ୍ତିତ ଯୋଜନା ଏବଂ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସଠିକ୍ ରଣନୀତିର ଆବଶ୍ୟକତା ରହିଛି। ବଡ଼ ଧରଣର ସ୍କିମ୍ ଏବଂ ଅଣ ଉତ୍ପାଦକ ଯୋଜନାମାନ ଘୋଷଣା ଅର୍ଥନୀତିକୁ ଆଗକୁ ବଢ଼ାଇପାରିବ ନାହିଁ ବୋଲି ‌ମନମୋହନ କହିଛନ୍ତି। ବିଶ୍ବ ସ୍ତରରେ ଘଟୁଥିବା ଅନେକ ଘଟଣା ଦ୍ବାରା ଭାରତ ଏବେ ଅଧିକ ପ୍ରଭାବିତ ହେଉଛି। ପୂର୍ବରୁ ସେଭଳି ସ୍ଥିତି ନଥିଲା। ମାତ୍ର ବିଶ୍ବ ବଜାର ସହିତ ଆମ ଅର୍ଥନୀତିର ସଂପୃକ୍ତି ବଢ଼ିବା ପରେ ବହୁତ କିଛି ବଦଳିଯାଇଛି। ବିଶ୍ବ ଶକ୍ତି କେନ୍ଦ୍ରରେ ହେଉଥିବା ପରିବର୍ତ୍ତନ ଓ ଅସ୍ଥିରତା, ପେଟ୍ରୋଲିୟମ୍ ବଜାର ଏବଂ ଆର୍ଥିକ ବଜାରରେ ଦେଖାଦେଉଥିବା ଅସ୍ଥିରତା ଯୋଗୁ ଭାରତୀୟ ଅର୍ଥନୀତି ପୂର୍ବାପେକ୍ଷା ଅଧିକ ପ୍ରଭାବିତ ହେଉଛି ବୋଲି ସେ କହିଛନ୍ତି। ନିଯୁକ୍ତି ସୃଷ୍ଟି କରିବାରେ ମୋଦୀ ସରକାର ବିଫଳ ହୋଇଥିବାବେଳେ ନିର୍ବାଚନରେ ଏହାକୁ ବିରୋଧୀ ଦଳ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି। ନିକଟରେ ନିଯୁକ୍ତି ସଂପର୍କିତ ରିପୋର୍ଟ ଚାପିବା ଭଳି ଅପବାଦ ସରକାରଙ୍କ ବିରୋଧ‌େର ଆସିଛି। ଦୁଇ ପରିସଂଖ୍ୟାନବିତ୍ ଏହାର ପ୍ରତିବାଦରେ ଇସ୍ତଫା ମଧ୍ୟ ଦେଇ ସାରିଛନ୍ତି।

ସମ୍ବନ୍ଧିତ ଖବର