ମଣ୍ଡି ନାହିଁ କି ସଂରକ୍ଷଣ ସୁବିଧା ନାହିଁ:ବାହାର ବେପାରୀଙ୍କ କବ୍‌ଜାରେ ବଲାଙ୍ଗୀରର ପିଆଜ

ବଲାଙ୍ଗୀର:ପଖାଳ କଂସା। ତା’ ସାଙ୍ଗକୁ ଲୁଣ, ଲଙ୍କା, ପିଆଜ ହେଲେ ଭାରି ସରସ। ଆଜି ବି ଅଧିକାଂଶ ଲୋକଙ୍କ ଖୁସି ପଖାଳ, ପିଆଜ ଓ ଲଙ୍କା। ବିଶେଷକରି ଖରା ଦିନ ଆସିଲେ ପିଆଜର ଚାହିଦା ଢେର ବଢିଯାଏ। ଏବେ ପିଆଜ ବଜାରର ହାଲ୍‌ଚାଲ କିଛି ଭଲ ନାହିଁ। ପିଆଜ ଉତ୍ପାଦନ ହୋଇ ବଜାରକୁ ଆସୁଥିବା ବେଳେ ଦାମ୍‌ ବଢୁ ନାହିଁ। ବେଶି ଦିନ ପିଆଜ ସଂରକ୍ଷଣ ସୁବିଧା ନଥିବାରୁ ବେପାରୀଙ୍କ ଇଚ୍ଛାରେ ପିଆଜ ଟେକି ଦେଉଛନ୍ତି ଚାଷୀ। ଓଡ଼ିଶାର ପିଆଜ ଝୁଲା କୁହାଯାଉଥିବା ବଲାଙ୍ଗୀର ଜିଲ୍ଲାରେ ପିଆଜ ଚାଷ ଓ ଚାଷୀ ସାଂଘାତିକ ଅବସ୍ଥାରେ ରହିଛନ୍ତି।
ଧାନ ଚାଷ ସରିଯିବା ପରେ ବଲାଙ୍ଗୀର ଜିଲ୍ଲାର ପିଆଜ ଚାଷୀମାନେ ନଭେମ୍ବର ମାସ ଆଡକୁ ପିଆଜ ଚାଷ ଆରମ୍ଭ କରନ୍ତି। ମାର୍ଚ୍ଚ-ଏପ୍ରିଲ ମାସ ଆଡକୁ ପିଆଜ ଅମଳ ହୁଏ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକରେ ୧୩୬୦ ହେକ୍ଟର, ବଙ୍ଗୋମୁଣ୍ଡା ବ୍ଲକରେ ୧୩ଶହ ହେକ୍ଟର, ତୁରେକେଲା ବ୍ଲକରେ ୪୫୦ ହେକ୍ଟର ଜମିଆରେ ପିଆଜ ଚାଷ କରାଯାଏ। ସେହିପରି ଟିଟିଲାଗଡ, ସଇଁନ୍ତଲା, ବଲାଙ୍ଗୀର, ବେଲପଡ଼ା, ଗୁଡଭେଲା, ଲୋଇସିଂହା ଭଳି ବିଭିନ୍ନ ବ୍ଲକରେ ଶହ ଶହ ହେକ୍ଟର ଜମିରେ ପିଆଜ ଚାଷ ହୁଏ। ତଥ୍ୟ ଅନୁସାରେ, ୨୦୧୨-୧୩ ରବି ଋତୁରେ ବଲାଙ୍ଗୀର ଜିଲ୍ଲାରେ ୫ହଜାର ୫ଶହ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିଲା। ସେତେବେଳେ ୪୬ହଜାର ଟନ୍‌ ପିଆଜ ଉତ୍ପାଦନ କରାଯାଇଥିଲା। ପରବର୍ତ୍ତୀ ସମୟରେ କ୍ରମାନ୍ଵୟରେ ପିଆଜ ଚାଷ ପରିମାଣ ବଢିଛି। ୨୦୧୭-୧୮ରେ ପ୍ରାୟ ୬ ହଜାର ହେକ୍ଟର ଜମିରେ ପିଆଜ ଚାଷ ହୋଇଛି। ତେବେ କେତେ ପିଆଜ ଉତ୍ପାଦନ ହୋଇଛି ତାହାର ଆକଳନ ହୋଇପାରି ନାହିଁ। ତେବେ ଚାଷୀଙ୍କ ପାଖରେ ଅର୍ଥର ଅଭାବ, ଋଣ ପରିଶୋଧ ପାଇଁ ବ୍ୟସ୍ତତା, ଦାମ ଉପର ତଳ ହେଉଥିବାରୁ ଚାଷୀ ବିଳମ୍ବ ନକରି ସଅଳ ବିକ୍ରି କରିଦିଅନ୍ତି। ବଲାଙ୍ଗୀର ଜିଲ୍ଲାରେ ଚାଷୀ ପିଆଜ ଅମଳ କଲା ବେଳକୁ ପଶ୍ଚିମବଙ୍ଗ, ରାୟପୁର, ସମ୍ବଲପୁର ଅଞ୍ଚଳର ବ୍ୟବସାୟୀ ଓ ମଧ୍ୟସ୍ଥିମାନେ ଆସି ଚାଷ ଜମିରେ ପହଞ୍ଚି ଯାଆନ୍ତି। ୫୦କେଜି ପିଆଜକୁ ୩ଶହ ଟଙ୍କାରୁ କମ୍‌ ଦାମ୍‌ରେ କିଣି ନେବାର ନଜିର ରହିଛି। ସେହିପରି ଖରା ଥିବାରୁ ପିଆଜକୁ ସଂରକ୍ଷିତ କରି ରଖିବାର ସୁଯୋଗ ନଥାଏ। ସେଥିପାଇଁ ଚାଷୀ ବିପଦ ମୁଣ୍ଡାଇବାକୁ ଚାହେ ନାହିଁ।
ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ପିଆଜ ସଂରକ୍ଷଣ କରିବା ପାଇଁ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଜିଲ୍ଲାରେ ଏଭଳି ୩ଶହରୁ ଉର୍ଦ୍ଧ ପିଆଜ ସଂରକ୍ଷଣ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ଜରିଆରେ ପିଆଜ ସଂରକ୍ଷଣ ସୁବିଧା ମାତ୍ର ୧୦ ପ୍ରତିଶତ ହୋଇପାରିବ। କିନ୍ତୁ ପରିବର୍ତ୍ତୀ ସମୟରେ ଚାଷୀ ପିଆଜ ବିକ୍ରି କରିବାକୁ ଏକପ୍ରକାରର ବାଧ୍ୟ। ସେତେବେଳକୁ ପିଆଜ ଦାମ୍‌ ୬ଶହରୁ ୭ଶହ ଟଙ୍କା ରହୁଛି। ଚାଷୀଙ୍କ କହିବା ଅନୁସାରେ, ଜୁଲାଇ ଆଡକୁ ଆଉ ଚାଷୀ ପାଖରେ ପିଆଜ ରହେ ନାହିଁ। ସବୁ ବାହାରକୁ ଚାଲାଣ ହୋଇଯାଏ। ସେହିପରି ରବି ଋତୁରେ ବଲାଙ୍ଗୀର ଜିଲ୍ଲାରେ ୪ଶହ ହେକ୍ଟର ଜମିରେ ପିଆଜ ଚାଷ ହୁଏ ବୋଲି ଉଦ୍ୟାନ ବିଭାଗ ସୂତ୍ରରୁ ପ୍ରକାଶ। ଖରିଫ ଋତୁରେ ଅମଳ ପିଆଜ ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ସମର୍ଥ ହୋଇପାରେ ନାହିଁ। ସେହିପରି ଧଳା ପିଆଜର ଚାହିଦା ରହିଥିବା କୁହାଯାଉଥିଲେ ବି ଏଥିପାଇଁ ପୂର୍ବରୁ ଚାଷୀଙ୍କ ଆଗ୍ରହ ରହୁ ନଥିଲା। କିନ୍ତୁ ଚଳିତ ବର୍ଷ ଧଳା ପିଆଜ ଚାଷ ପାଇଁ ଚାଷୀ ମନ ବଳାଇଥିବା କୃଷି ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ସିନ୍ଧେକେଲା ଅଞ୍ଚଳର ପିଆଜ ଚାଷୀ ରଂଜନ ପୁଟେଲ କହିଛନ୍ତି ଯେ, ସବ୍‌ସିଡି ଦେଇ ସଂରକ୍ଷଣ ସୁବିଧା କରାଯାଉଥିଲେ ବି ପିଆଜ ନିର୍ଦ୍ଧାରିତ ଦରରେ ବିକ୍ରି କରିବାକୁ କୌଣସି ନିୟମ ନାହି।

ମଣ୍ଡି ସୁବିଧା ବି ନାହିଁ। ତେଣୁ କମ୍‌ ଦାମରେ ପିଆଜ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଚାଷୀ ଶ୍ରୀ ପୁଟେଲ କହିଛନ୍ତି। ସଂରକ୍ଷଣ ଗୃହ ନକରି ବି ଲୋକେ ଚାଷୀ ନାଁରେ ସୁବିଧା ନେଉଛନ୍ତି। ପ୍ରକୃତ ଚାଷୀ ସୁଯୋଗ ପାଉନି। ଟିଟିଲାଗଡରେ ପିଆଜ ସଂରକ୍ଷଣ ସୁବିଧା କରାଯାଇଥିବା କୃଷି ବିଭାଗ କହୁଥିଲେ ବି ସେଠାରେ କିଭଳି ଅବସ୍ଥା ଗତଥର ହେଲା ଦେଖିଥିଲେ। ବହୁ ପିଆଜ ପଚି ନଷ୍ଟ ହେଇଗଲା। ସେହିପରି କେତେବେଳେ ପିଆଜ ରେଟ୍‌ ବଢିବ ଓ କମିବ ତାହା ଚାଷୀ ଜାଣେ ନାହିଁ। ସେ ମୂଳଧନ ପାଇବା ଆଶାରେ ପିଆଜ ବିକେ। ବର୍ତ୍ତମାନ ବଜାରରେ ଆଳୁ ଦାମ୍‌ ବଢୁଥିବା ବେଳେ ପିଆଜ ରେଟ୍‌ ବଢୁ ନାହିଁ ବୋଲି କହିଛନ୍ତି ଚାଷୀ ଶ୍ରୀ ପୁଟେଲ। ସେହିପରି ଧଳା ପିଆଜର ଚାହିଦା ଥିବା ବେଳେ ବେପାରରେ ଠିକ ଠିକଣା ନଥିବାରୁ ଚାଷକୁ କେବଳ ବଞ୍ଚାଇ ରଖିବା କଥା ବୋଲି ତୁରେକେଲାର ଚାଷୀ ରତନ ପଧାନ କହିଛନ୍ତି। ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ସହ ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଭଳି ଜିଲ୍ଲାରେ ପିଆଜ ଚାଷ ହୁଏ। କୃଷି ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଯେଉଁ ରେଟ୍‌ ବଜାରରେ ରହିଛି ତାହା ଚାଷୀଙ୍କ ପାଇଁ ବର୍ତ୍ତମାନ କ୍ଷତିକାରକ ନୁହେଁ। ସମସ୍ୟା ହେଉଛି ସରଂକ୍ଷଣ। ସରକାରଙ୍କୁ ସଂରକ୍ଷଣ ସୁବିଧା କରିବାକୁ ଅନୁରୋଧ କରାଯାଇଛି। ଏହା କାର୍ଯ୍ୟକାରୀ ହେଲେ ଚାଷୀ ତରବରିଆ ଭାବେ ନବିକି କିଛି ସମୟ ମହଲତ ପାଇବେ।

ସମ୍ବନ୍ଧିତ ଖବର