ସେଲ୍‌ ପାଖରେ ଟଙ୍କା ନାହିଁ

ସରକାରଙ୍କୁ ଦେଇପାରିବନି ଲାଭାଂଶ, ବ୍ୟାଙ୍କ ବାଲାନ୍ସ ବି ଭଲ ନାହିଁ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ସେଲ୍‌ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏହା ସରକାରଙ୍କୁ ଲାଭାଂଶ ପ୍ରଦାନ କରିପାରିବ ନାହିଁ ବୋଲି ଜଣାଇ ଦେଇଛି। ଏ ସଂପର୍କିତ ଏକ ରିପୋର୍ଟ ରଏଟର୍‌ରେ ପ୍ରକାଶ କରିଛି। ସରକାରଙ୍କୁ ସେଲ୍‌ ଜଣାଇଛି ଯେ ଏହା ପାଖରେ ନଗଦ ଟଙ୍କା କିମ୍ବା ବ୍ୟାଙ୍କ ବାଲାନ୍ସ ନାହିଁ। କଂପାନିର ଋଣକୁ ଆୟ ଅନୁପାତ ମଧ୍ୟ ବହୁତ ଉଚ୍ଚ ସ୍ତରରେ ରହିଛି। ଗତ ବର୍ଷ ପାଇଁ ସେଲ୍‌ ପକ୍ଷରୁ ଟିକସ ସହ ଲାଭାଂଶ ବାବଦରେ ୨୧୭୧ କୋଟି ଟଙ୍କା ପ୍ରଦାନ କରିବାର ଥିଲା। ଲାଭାଂଶ ବାବଦରେ ସରକାରଙ୍କ ତରଫରୁ ସେଲ୍‌କୁ ପ୍ରଶ୍ନ କରାଯାଇଥିଲା। ତାହାର ଉତ୍ତରରେ ସେଲ୍‌ ଜଣାଇଛି ଯେ ଆମ ପାଖରେ ଆବଶ୍ୟକ ଟଙ୍କା କିମ୍ବା ବ୍ୟାଙ୍କ ବାଲାନ୍ସ ନାହିଁ। ଲାଭାଂଶ ଦେବାକୁ ହେଲେ ବଜାରରୁ ଋଣ ଆଣିବାକୁ ପଡ଼ିବ। ବର୍ତ୍ତମାନ ପରିସ୍ଥିତିରେ ଋଣ ହାସଲ କରିବା ଅତ୍ୟନ୍ତ କଷ୍ଟକର। କାରଣ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ଇସ୍ପାତ କଂପାନିଗୁଡ଼ିକୁ ଋଣ ଦେବା ପାଇଁ କୁଣ୍ଠା ପ୍ରକାଶ କରୁଥିବା ସେଲ୍‌ ଜଣାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ କଂପାନିର କ୍ଷତି ହୋଇଥିବା କୁହାଯାଉଛି। ତେଣୁ ଏହା ଲାଭାଂଶ ପ୍ରଦାନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କଂପାନିର ଜଣେ ପ୍ରବକ୍ତା କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ କଂପାନିକୁ ୩୨୨୦ କୋଟି ଟଙ୍କାର ଋଣ ପରିଶୋଧ କରିବାର ଅଛି। ୨୦୧୮-୧୯ରେ ଲାଭାଂଶ ବାବଦରେ ୧ ଲକ୍ଷ ୬ ହଜାର କୋଟି ଟଙ୍କା ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ମାତ୍ର ସେଲ୍‌ ଭଳି ସଂସ୍ଥାର ଲାଭାଂଶକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ସରକାର ଧାର୍ଯ୍ୟ ଲକ୍ଷ୍ୟକୁ ସହଜରେ ହାସଲ କରିପାରିବେ ନାହିଁ। ଗତ ଆର୍ଥିକ ବର୍ଷ ବଜେଟ୍‌ରେ ଲାଭାଂଶକୁ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ତା’ଠାରୁ ୧୨୩ କୋଟି ଟଙ୍କା କମ୍‌ ଆଦାୟ ହୋଇଥିଲା। ଗୋଟିଏ ପଟେ ପୁଞ୍ଜି ପ୍ରତ୍ୟାହାର ଯୋଜନା ସଫଳ ହେଉନଥିବା ବେଳେ ଏବେ ଲାଭାଂଶ ବାବଦରୁ ଆୟ କମ୍‌ ହେବାର ଆଶଙ୍କା ସୃଷ୍ଟି ହୋଇଥିବାରୁ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଟିକସ ଓ ରାଜସ୍ୱ ଆୟ ଆଶାନୁରୂପ ନରହିଲେ ବିତ୍ତୀୟ ନିଅଣ୍ଟ ସ୍ଥିତି ବିଗିଡ଼ିଯିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର