୯ ହଜାର କୋଟି ବ୍ୟାଙ୍କ ଜମାର ଦାବିଦାର ନାହାନ୍ତି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ବ୍ୟାଙ୍କରେ ଜମା ଥିବା ୮୮୬୪ କୋଟି ଟଙ୍କାରୁ ଅଧିକ ଅର୍ଥର କେହି ଦାବିଦାର ନାହାଁନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟରୁ ଏହା ଜଣାଯାଇଛି। ସରକାର ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ ବା କେଓ୍ଵାଇସି ପ୍ରକ୍ରିୟାକୁ କଡ଼ାକଡ଼ି କରିଛନ୍ତି । ଏଥିଯୋଗୁଁ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଉତ୍ତରାଧିକାରୀମାନେ ଆଇନଗତ ଭାବେ ଏହି ଅର୍ଥ ଉଠାଇବା ପାଇଁ ଦାବି କରି ପାରୁ ନଥିବାରୁ ଦାବିଦାର ନଥିବା ଜମା ପରିମାଣ ବଢ଼ିଥିବା କୁହାଯାଉଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ୨.୬୩ କୋଟି ବ୍ୟାଙ୍କ ଖାତାରେ ୮୮୬୪.୬ କୋଟି ଟଙ୍କା ପଡ଼ି ରହିଛି। ୨୦୧୬ ଡିସେମ୍ବର ସୁଦ୍ଧା ଏହି ରାଶି ପଡ଼ି ରହିଛି। କୌତୂହଳର ବିଷୟ ହେଲା ୨୦୧୨ରୁ ୨୦୧୬ ମସିହା ମଧ୍ୟରେ ବା ୪ ବର୍ଷ ଭିତରେ ଏହି ରାଶି ଦୁଇଗୁଣ ବୃଦ୍ଧି ଘଟିଛି। ଉଭୟ ଜମାଖାତା ଓ ଜମା ପରିମାଣରେ ଦୁଇ ଗୁଣ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ଟଙ୍କା ଉଠାଇବା ପାଇଁ ଆଗ୍ରହୀ ପ୍ରକୃତ ଜମାକାରୀଙ୍କ ନିମନ୍ତେ ସରକାର ନିୟମ କୋହଳ କରିଥିଲେ ମଧ୍ୟ ଏହି ରାଶି ବୃଦ୍ଧି ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ୨୦୧୨ ମସିହାରେ ବ୍ୟାଙ୍କରେ ଦାବିଦାର ନଥିବା ଜମାକାରୀଙ୍କ ଖାତା ସଂଖ୍ୟା ୧.୩୨ କୋଟି ଥିବାବେଳେ ୨୦୧୬ରେ ୨.୬୩ କୋଟିକୁ ବୃଦ୍ଧି ଘଟିଛି। ଏହି ସମୟ ମଧ୍ୟରେ ଦାବିଦାର ନଥିବା ଜମାରାଶି ପରିମାଣ ମଧ୍ୟ ଦୁଇ ଗୁଣ ବୃଦ୍ଧି ଘଟିଛି। ୨୦୧୨ରେ ଦାବିଦାର ନଥିବା ଜମାରାଶିର ମୂଲ୍ୟ ୩୫୯୮ କୋଟି ଟଙ୍କା ଥିବାବେଳେ ୨୦୧୬ରେ ଏହା ୮୮୬୪.୬ କୋଟି ଟଙ୍କାରେ ପହଞ୍ଚିଛି। ଅତିକମ୍‌ରେ ୧୦ ବର୍ଷ ହେଲା କେହି ଦାବି କରୁ ନଥିବା ଜମାରାଶି ସମ୍ପର୍କରେ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ େଓ୍ଵବସାଇଟ୍‌ରେ ତଥ୍ୟ ଦେବାକୁ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଦେଇଛି। ଏହି ତାଲିକାରେ ଆକାଉଣ୍ଟଧାରୀଙ୍କ ନାମ ଏବଂ ଠିକଣା ରହିବା ଆବଶ୍ୟକ, ଯାହାଫଳରେ ପ୍ରକୃତ ଜମାକାରୀ ବା ସେମାନଙ୍କ ସମ୍ପର୍କୀୟ ଏନେଇ ଦାବି କରିପାରିବେ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଚଳନ୍ତି ଖାତା ଓ ସଞ୍ଚୟ ଖାତାରେ ଜମା ରହିଥିବା ଅର୍ଥରାଶିର ଦାବିବାର ୧୦ ବର୍ଷ ପର୍ଯ୍ୟନ୍ତ କେହି ନଥିଲେ ସେଗୁଡ଼ିକୁ ବ୍ୟାଙ୍କ ଶାଖାରୁ ମୁଖ୍ୟ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରି ଦିଆଯାଇଥାଏ। ୧୦ ବର୍ଷ ଧରି କାରବାର ହୋଇ ନଥିବା ଆକାଉଣ୍ଟ ସମ୍ପର୍କରେ କ୍ୟାଲେଣ୍ଡର ବର୍ଷ ଶେଷହେବାର ୩୦ ଦିନ ମଧ୍ୟରେ ରିଜର୍ଭ ବ୍ୟାଙ୍କକୁ ରିପୋର୍ଟ ଦେବାଲାଗି କୁହାଯାଇଛି। ଦାବିଦାର ନଥିବା ମୋଟ ଜମାରାଶି ମଧ୍ୟରୁ ଷ୍ଟେଟ ବ୍ୟାଙ୍କ ସବୁଠୁ ଆଗରେ ରହିଛି। ଷ୍ଟେଟ ବ୍ୟାଙ୍କରେ ୪୭ ଲକ୍ଷ ନିଷ୍କ୍ରିୟ ଆକାଉଣ୍ଟ ରହିଛି ଯେଉଁଗୁଡ଼ିକରେ ୧୦୩୬ କୋଟି ଟଙ୍କା ଜମା ରହିଛି। ଏହାପଛକୁ କାନାରା ବ୍ୟାଙ୍କରେ ୪୭ ଲକ୍ଷ ଖାତାରେ ୯୯୫ କୋଟି ଟଙ୍କା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୨୩ ଲକ୍ଷ ନିଷ୍କ୍ରିୟ ଖାତାରେ ୮୨୯ କୋଟି ଟଙ୍କା ରହିଛି।

ସମ୍ବନ୍ଧିତ ଖବର