ଦେଶରେ ନଗଦ ଅର୍ଥର ଅଭାବ ନେଇ କଣ ଅପପ୍ରଚାର କରାଯାଉଛି ?

ମୁମ୍ବାଇ : ଦେଶରେ କଣ ନଗଦ ଟଙ୍କାର ଅଭାବ ରହିଛି? ପୁଣି କଣ ଲୋକେ ବିମୁଦ୍ରାୟନ ସମୟର ଅବସ୍ଥା ଭୋଗିବେ ? ଏହା କଣ ଏକ ମନୁଷ୍ୟକୃତ ସଂକଟ ? କଣ କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ସରକାରଙ୍କୁ ବଦନାମ କରିବାକୁ ବେଶ ସୁଚିନ୍ତିତ ଉପାୟରେ ଏହା କରାଯାଇଛି? ଏପରି ବିଭିନ୍ନ ପ୍ରଶ୍ନ ଏବେ ଉଠିବା ଆରମ୍ଭ କରିଛି ।

ଦେଶରେ କେତେକ ରାଜ୍ୟରେ ନଗଦ ଅର୍ଥର ଅଭାବ ଖବରକୁ ଗଣମାଧ୍ୟମରେ ପ୍ରଚାର ହେଉଛି । ଏପରି କୌଣସି ଅଭାବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛି । ଆହୁରି ମଧ୍ୟ ଇତି ମଧ୍ୟରେ ୫୦୦ ଟଙ୍କିଆ ନୋଟର ଛପା ବଢାଇଦିଆଯାଇଛି । ଏଣୁ ଅଭାବର ପ୍ରଶ୍ନ ଉଠୁନି ବୋଲି ରିଜର୍ଭବ୍ୟାଙ୍କ କହିଛି । ସେହିପରି ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଯେ ବିମୁଦ୍ରାୟନ ସମୟଠାରୁ ଯଥେଷ୍ଟ ଅଧିକ ନଗଦ ଅର୍ଥ ବଜାରରେ ରହିଛି । ବିମୁଦ୍ରାୟନ ପୂର୍ବରୁ ଅର୍ଥ ବ୍ୟବସ୍ଥାରେ ୧୭ ଲକ୍ଷ ୯୮ ହଜାର କୋଟିର ନଗଦ ଟଙ୍କା ଥିଲା ଏବେ ତାହା ୧୮ ଲକ୍ଷ ୨୯ ହଜାର କୋଟିରେ ପହଞ୍ଚିଛି । ଏଣୁ ଏହି ଅଭାବ ମନୁଷ୍ୟକୃତ । କେତେକ ଅଂଚଳରେ ନଗଦର ଚାହିଦା ବଢିଥିବାରୁ ତାହାର ଭରଣା କରିବାକୁ କିଛି ସମୟ ଲାଗୁଛି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଉ ପାଦେ ଆଗେଇ ଅଭିଯୋଗ କରିଛନ୍ତି ଯେ ଦେଶରେ କୃତ୍ରିମ ଭାବେ ନଗଦ ଟଙ୍କାର ଅଭାବ ସୃଷ୍ଟି କରି ଲୋକଙ୍କ ମଧ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ଚାଲିଛି ।

ସମ୍ବନ୍ଧିତ ଖବର