ନୋକିଆ ଆଣୁଛି ୫ଟି ନୂଆ ମଡେଲ୍‌, ଫେରିବ ସ୍ଲାଇଡର ଫୋନ

ବାର୍ସିଲୋନା : ସ୍ପେନ୍‌ର ବାର୍ସିଲୋନାଠାରେ ଚାଲିଥିବା ୱାର୍ଲଡ୍‌ ମୋବାଇଲ୍‌ କଂଗ୍ରେସରେ ନୋକିଆ ବ୍ରାଣ୍ଡ୍‌ ନାମରେ ଫୋନ୍‌ ବିକ୍ରି କରୁଥିବା ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ପକ୍ଷରୁ ନୋକିଆର ୫ଟି ନୂଆ ମଡେଲ୍‌କୁ ଉନ୍ମୋଚନ କରାଯାଇଛି। କମ୍ପାନୀ ଏହାର ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ ଶୃଙ୍ଖଳାରେ ୪ଟି ନୂଆ ଫୋନ୍‌ ସାମିଲ କରିଛି। ସେଗୁଡ଼ିକ ହେଉଛି-ନୋକିଆ ୮ ସିରୋକା, ନୋକିଆ ୭ ପ୍ଳସ୍‌, ନୂଆ ନୋକିଆ ୬ ଏବଂ ନୋକିଆ ୧। ପ୍ରତି ଫୋନ୍‌ ଭରସାଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ ରହିବା ପାଇଁ ଡିଜାଇନ୍‌ କରାଯାଇଛି। ଗୁଗୁଲ୍‌ର ଆଣ୍ଡ୍ରଏଡ୍‌ ୱାନ୍‌ କାର୍ଯ୍ୟକ୍ରମ ଅନୁଯାୟୀ ମଧ୍ୟ ନୋକିଆ ଏହାର ଫୋନ୍‌ ଆଣିଛି ।

ଏହାଛଡା ନୋକିଆ ପକ୍ଷରୁ ନୋକିଆ ୮୧୧୦ ୪ଜି ଫିଚର୍‌ ଫୋନ୍‌କୁ ଉନ୍ମୋଚନ କରାଯାଇଛି । ଏଥିରେ ଗୁଗୁଲ୍‌ ଆସିଷ୍ଟାନ୍ସ, ଗୁଗୁଲ୍‌ ମ୍ୟାପ୍‌, ଗୁଗୁଲ୍‌ ସର୍ଚ, ଫେସବୁକ୍‌ ଏବଂ ଟ୍ଵିଟର୍‌ ଭଳି ସୁବିଧା ରହିଛି । ଏହା ସହିତ ବଜାରକୁ ସ୍ଲାଇଡର୍‌ ଫୋନ୍‌ ଫେରିଛି । ଆଣ୍ଡ୍ରଏଡ୍‌ ୱାନ୍‌ ପ୍ଲାଟଫର୍ମରେ ନୋକିଆ ୮ ସିରୋକୋ, ନୋକିଆ ୭ ପ୍ଲସ୍‌ ଏବଂ ନୋକିଆ ୬କୁ ପ୍ରସ୍ତୁତ କରାଯାଇଛି । ଏଥିରେ ଆଣ୍ଡ୍ରଏଡ୍‌ ଓରିଓ ବ୍ୟବହାର କରାଯାଇଛି । ଅନ୍ୟପକ୍ଷରେ ନୋକିଆ ସିରୋକୋରେ ରହିଛି୫.୫ ଇଞ୍ଚ ଡିସ୍‌ପ୍ଲେ, ଥ୍ରୀଡି କର୍ଣ୍ଣିଂ ଗୋରିଲା ଗ୍ଲାସ୍‌, ନୋକିଆ ସ୍ପାଟିଆଲ୍‌ ଅଡିଓ, ଡୁଆଲ୍‌ ଡାଇମଣ୍ଡ୍‌ ପଲିସଡ୍‌ ଷ୍ଟେନଲେସ୍‌ ଷ୍ଟିଲ୍‌ ଫ୍ରେମ୍‌, ଉଚ୍ଚ ମାନର କ୍ୟାମେରା ସହିତ ୧୩ ଏମ୍‌ପିର ମାଧ୍ୟମିକ ସେନ୍ସର । ଏହାର ମୂଲ୍ୟ ୭୪୯ ଡଲାର ରହିଛି।

ନୋକିଆ ୭ ହେଉଛି ଏକ ୬ ଇଞ୍ଚ୍‌ ସ୍କ୍ରିନ୍‌ ଥିବା ଫୋନ୍‌ ଯାହା ଫୁଲ୍‌ ଏଚ୍‌ଡି+ ଡିସ୍‌ପ୍ଲେ ପ୍ରଦାନ କରୁଛି। ଏଥିରେ ରହିଛି କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ୬୬୦ ମୋବାଇଲ୍‌ ପ୍ଲାଟଫର୍ମ ଏବଂ ୩୮୦୦ ଏମ୍‌ଏଏଚ୍‌ ବ୍ୟାଟେରି । ଏହା ବ୍ଲାକ୍‌/କପର୍‌ ଏବଂ ହ୍ଵାଇଟ୍‌/କପର୍‌ ଭଳି ରଙ୍ଗରେ ଉପଲବ୍ଧ ହେବ । ଏହାର ମୂଲ୍ୟ ୩୯୯ ଡଲାର ରହିଛି। ସେହିପରି ନୋକିଆ ୬ରେ ରହିଛି କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ୬୩୦ ମୋବାଇଲ୍‌ ପ୍ଲାଟଫର୍ମ, ୟୁଏସ୍‌ବି-ସି ଫାଷ୍ଟ୍‌ ଚାର୍ଜିଂ, ନୋକିଆ ସ୍ପାଟିଆଲ୍‌ ଅଡିଓ। ଏହା ୩ଜିବି/୩୨ ଜିବି ଏବଂ ୪ଜିବିି/୬୪ ଜିବି ରାମ୍‌/ରମ୍‌ ବିକଳ୍ପରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ୨୭୯ ଡଲାରରୁ ଆରମ୍ଭ ହୋଇଛି। ଏହି ଫୋନ୍‌ଗୁଡ଼ିକ ଏପ୍ରିଲ୍‌ ସୁଦ୍ଧା ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର