ଟ୍ରେନ୍‌ରେ ୩ ବର୍ଷ ପାଇଁ ଗାନ୍ଧୀ ଜୟନ୍ତୀରେ ମିଳିବନି ଆମିଷ

ଶାକାହାରୀ ଦିବସ ପାଳନ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ,: ଅକ୍ଟୋବର ୨ ତାରିଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପଡ଼ୁଛି। ଏହି ଦିବସକୁ ରେଳବାଇ କେବଳ ରାଷ୍ଟ୍ରୀୟ ସ୍ୱଚ୍ଛତା ଦିବସ ଭାବେ ପାଳନ କରିବ ନାହିଁ ଏହାକୁ ଶାକାହାରୀ ଦିବସ ଭାବେ ପାଳନ କରିବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ମହାତ୍ମା ଗାନ୍ଧୀ ଜଣେ ବଡ଼ ଶାକାହାରୀ ହୋଇଥିବାରୁ ତାଙ୍କ ସମ୍ମାନାର୍ଥେ ରେଳବାଇ ପକ୍ଷରୁ ତାଙ୍କ ଜନ୍ମ ଦିନରେ ଟ୍ରେନ୍‌ରେ ଆମିଷ ଖାଦ୍ୟ ନ ପରଷିବାକୁ ପ୍ରସ୍ତାବ ରହିଛି। ରେଳବାଇର ଉକ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଲେ ରେଳବାଇ ଏହି ଦିବସଟିକୁ ଶାକାହାରୀ ଦିବସ ଭାବେ ପାଳନ କରାଯିବ। କେବଳ ୨୦୧୮ ଅକ୍ଟୋବର ୨ ତାରିଖ ନୁହେଁ, ୨୦୧୯ ଏବଂ ୨୦୨୦ ଅକ୍ଟୋବର ୨ ତାରିଖରେ ମଧ୍ୟ ରେଳରେ ଯାତ୍ରୀମାନଙ୍କୁ ଆମିଷ ଖାଦ୍ୟ ନ ପରଷିବା ପାଇଁ ରେଳବୋର୍ଡ ପ୍ରସ୍ତାବ ଦେଇଛି। ଗାନ୍ଧୀଙ୍କ ଜୟନ୍ତୀକୁ ଧୁମଧାମ୍‌ରେ ପାଳନ ପାଇଁ ରେଳବାଇ ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଅକ୍ଟୋବର ୨ ତାରିଖକୁ ଶାକାହାରୀ ଦିବସ ଭାବେ ପାଳନ କରିବା ସହିତ ଦାଣ୍ଡି ଯାତ୍ରା ସ୍ମୃତିରେ ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ସାବରମତୀରୁ ଏକ ସ୍ୱତନ୍ତ୍ର ଲୁଣ ଟ୍ରେନ୍‌ ଚଳାଇବା ଯୋଜନା ବି ରଖିଛି। ସେହିଭଳି ଗାନ୍ଧୀଙ୍କ ସ୍ମୃତି ସହିତ ଜଡିତ ବିଭିନ୍ନ ସ୍ଥାନକୁ ସ୍ୱଚ୍ଛତା ଏକ୍ସପ୍ରେସ ଚଳାଇବା ଯୋଜନା ରହିଛି। ମହାତ୍ମା ଗାନ୍ଧୀଙ୍କ ଛବି ଥିବା ଟିକଟ ମଧ୍ୟ ରେଳବାଇ ଆଣିବ। ତେବେ ଏସବୁ ପ୍ରସ୍ତାବକୁ ସଂସ୍କୃତି ମନ୍ତ୍ରାଳୟର ମଞ୍ଜୁରି ଆବଶ୍ୟକ।

ସମ୍ବନ୍ଧିତ ଖବର