ଏହି ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କ ବନ୍ଦ ହୋଇଯିବ କି ? ଜାଣନ୍ତୁ ସତ କଣ

ମୁମ୍ବାଇ: କୌଣସି ରାଷ୍ଟ୍ରାୟତ ବ୍ୟାଙ୍କକୁ ବନ୍ଦ କରାଯିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଶୁକ୍ରବାରଦିନ ସ୍ପଷ୍ଟ କରିଦେଇଛି । ବନ୍ଦ ବଦଳରେ ବ୍ୟାଙ୍କଗୁଡ଼ିକୁ ଆହୁରି ସୁଦୃଢ କରାଯିବ ବୋଲି ଆରବିଆଇ କହିଛି । ସେହିପରି ସରକାର ମଧ୍ୟ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକରେ ୨.୧୧ ଲକ୍ଷ କୋଟିର ପୁଞ୍ଜି ଭର୍ତ୍ତି କରି ସୁଦୃଢ କରାଯିବ ।

ଗତକାଲି ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା ଯେ ବଢିଚାଲିଥିବା ଅନାଦେୟ ଋଣ (ଏନପିଏ), ଲୋ ଲେବରେଜ ରେସିଓ, ଦୂର୍ବଳ କ୍ୟାପିଟାଲ ଏଡିକ୍ୱେସି ରେସିଓ ଫଳରେ ଆରବିଆଇ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁନାଇଟେଡ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ବନ୍ଦ କରିଦେବ ।

କିନ୍ତୁ ଏହି ଖବରକୁ ଦୃଢଭାବେ ଖଣ୍ଡନ କରି ଆରବିଆଇ କହିଛନ୍ତି ଯେ ତୁରନ୍ତ ସଂଶୋଧିତ କାର୍ଯ୍ୟାନୁଷ୍ଠାନ(ପିସିଏ) ର ଅର୍ଥ ନୁହେଁ ବ୍ୟାଙ୍କ ବନ୍ଦ କରିଦେବା । ବ୍ୟାଙ୍କଗୁଡିକର ଆର୍ଥିକ ଅବସ୍ଥାକୁ ସୁଦୃଢ କରିବାକୁ ତା ପାଖରେ ବିଭିନ୍ନ ବିକଳ୍ପ ରହିଛି । ପିସିଏ ମାଧ୍ୟମରେ ବ୍ୟାଙ୍କଗୁଡିକର ପ୍ରଦର୍ଶନକୁ ବିଭିନ୍ନ ମାନଦଣ୍ଡରେ ପରଖାଯାଏ । ଏହି ମାନଦଣ୍ଡ ତଳକୁ ଖସିଲେ ସଂପୃକ୍ତ ବ୍ୟାଙ୍କମାନଙ୍କୁ ସତର୍କ କରାଇଦିଆଯାଏ ।

ସରକାରଙ୍କ ତରଫରୁ ଅର୍ଥ ସେବା ସଚିବ ରାଜୀବ କୁମାର କହିଛନ୍ତି ଯେ ଗୁଜବ ସୃଷ୍ଟିକାରୀଙ୍କୁ ବିଶ୍ୱାସ କରନ୍ତୁ ନାହିଁ । ବ୍ୟାଙ୍କଗୁଡ଼ିକରେ ୨.୧୧ ଲକ୍ଷ କୋଟିର ପୁଞ୍ଜି ଭର୍ତ୍ତି କରି ସୁଦୃଢ କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର