ଏବେ ବଢ଼ିବନି ଟିଭି, ଫ୍ରିଜ୍ ଦାମ୍

ନୂଆଦିଲ୍ଲୀ: ପୂଜା ବଜାରରେ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ କିଣିବାକୁ ଚାହୁଥିବା ଗ୍ରାହକଙ୍କ ପାଇଁ ଆଶ୍ବସ୍ତ କରିବା ଭଳି ଖବର। ପୂଜାରେ ଟିଭି, ଫ୍ରିଜ୍, ୱାସିଂ ମେସିନ୍ ଆଦିର ଦର ବଢ଼ିବ ନାହିଁ। ଏହି ସବୁ ସାମଗ୍ରୀ ବିକ୍ରି କରୁଥିବା କଂପାନିଗୁଡ଼ିକ ଏଭଳି ସଙ୍କେତ ପ୍ରଦାନ କରିଛନ୍ତି। କିଛି ଦିନ ତଳେ କେନ୍ଦ୍ର ସରକାର ଫ୍ରିଜ୍ ଓ ୱାସିଂ ମେସିନ୍ ଭଳି ୧୯ଟି ସାମଗ୍ରୀ ଉପରେ ଆମଦାନି ଶୁଳ୍କ ବଢ଼ାଇଥିଲେ। ଏହାର ପ୍ରଭାବରେ ପୂଜା ବଜାରରେ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ପାନା‌େସାନିକ୍, ହାୟର ଓ ଗୋଦ୍‌ରେଜ୍ ଆପ୍ଲାଏନ୍‌ସେସ୍‌ ଭଳି କଂପାନି ନିଜ ଉତ୍ପାଦର ଦାମ୍ ବଢ଼ାଇବେ ନାହିଁ ବୋଲି କହିଛନ୍ତି। କଂପାନିଗୁଡ଼ିକ ଜଣାଇଛନ୍ତି ଯେ ଟିକସ ବୃଦ୍ଧିର ବୋଝକୁ ଗ୍ରାହକଙ୍କ ଉପରେ ଲଦିଦିଆଯିବ ନାହିଁ। ସେହି ବୋଝକୁ କଂପାନି ନିଜେ ସହିଯିବେ। ଯେହେତୁ ପୂଜା ସିଜନ୍‌ରେ ବିପୁଳ ପରିମାଣର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ହୁଏ, ସେଥିପାଇଁ କୌଣସି ସଂସ୍ଥା ନିଜ ଜିନିଷ ଦାମ୍‌ ବଢ଼ାଇ ରାଜସ୍ବ ହରାଇବାକୁ ଚାହୁନାହାନ୍ତି। କେବଳ ପୂଜା ସିଜନ୍‌ରେ ଇଲେକ୍‌ଟ୍ରୋନିକ୍ସ କଂପାନିଗୁଡ଼ିକର ୨୫% ବିକ୍ରି ହୋଇଥାଏ।

ଦକ୍ଷିଣ ଭାରତରେ କେରଳ ବନ୍ୟା ଯୋଗୁ ସେମାନଙ୍କ କାରବାର ପ୍ରଭାବିତ ହୋଇଛି। ଅନ୍ୟ ପଟେ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଓ ପେଟ୍ରୋଲ୍ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂପାନିଗୁଡ଼ିକ ଚିନ୍ତିତ ଅଛନ୍ତି। ଏଭଳି ପରିସ୍ଥିତି ନିଜ ଉତ୍ପାଦର ଦର ବଢ଼ାଇ ଅଧିକ ଚାପ ନେବାକୁ କଂପାନିଗୁଡ଼ିକ ଚାହୁନାହାନ୍ତି। ପାନା‌େସାନିକ୍ ଇଣ୍ଡିଆର ମୁଖ୍ୟ ମନିଷ ଶର୍ମା କହିଛନ୍ତି ଯେ, କଂପ୍ରେସର ଉପରେ ଟିକସ ବୃଦ୍ଧି କରାଯାଇଥିବାରୁ ଏସି ଓ ଫ୍ରିଜ୍ ଦାମ ପ୍ରଭାବିତ ହେବ। କିନ୍ତୁ, ପୂଜା ସିଜନ୍‌କୁ ଦୃ୍ଷ୍ଟିରେ ରଖି ଆମେ ସେହି ବୋଝ ନିଜ ମୁଣ୍ଡକୁ ନେଇଯାଇଛୁ। ପୂଜା ଶେଷ ହେବା ପରେ ଦର ବୃଦ୍ଧି ଉପରେ ବିଚାର କରାଯିବ ବୋଲି ସେ କହିଛନ୍ତି। ସେହିପରି ଗୋଦ୍‌ରେଜ୍ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ କମଳ ନନ୍ଦୀ କହିଛନ୍ତି ଯେ, ପୂଜା ବଜାରରେ ବିକ୍ରି ହେବାକୁ ଥିବା ସାମଗ୍ରୀଗୁଡ଼ିକ ଆଗୁଆ ପ୍ରସ୍ତୁତ ହୋଇଯାଇଛି। ତେଣୁ ଟିକସ ବୃଦ୍ଧି ଯୋଗୁ କୌଣସି ସାମଗ୍ରୀ ଦର ତତ୍କାଳ ବଢ଼ାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ।

ସମ୍ବନ୍ଧିତ ଖବର