ଆଧାରକାର୍ଡ ସହିତ ଯୋଡ଼ି ହୋଇଥିବା ଏହି ସୂଚନା କାହାକୁ ଦିଅନ୍ତୁ ନାହିଁ, ବିପଦରେ ପଡ଼ିପାରନ୍ତି

ନୂଆଦିଲ୍ଲୀ: ଆଜିକା ସମୟରେ ଆଧାରକାର୍ଡ ପ୍ରତ୍ୟେକ କ୍ଷେତ୍ରରେ ବାଧ୍ୟତାମୂଳକ ହୋଇଯାଇଛି। ତାହା ଫୋନ୍‌ ନମ୍ବର ଲାଗି ହେଉ ଅବା ବ୍ୟାଙ୍କ ଖାତା ଖୋଲିବା ଲାଗି ହେଉ, ସବୁଥିରେ ଆଧାରକାର୍ଡର ଆବଶ୍ୟକତା ପଡ଼ିଥାଏ। ଏମିତିରେ ଆଧାରକାର୍ଡ ବିନା ଆପଣଙ୍କ କେତେକ କାମ ମଧ୍ୟ ଅଟକି ଯାଇପାରେ। ତେବେ ଆଧାରକାର୍ଡ ସହିତ ଯୋଡ଼ି ହୋଇଥିବା ଏହି କେତେକ ସୂଚନାକୁ ଅନ୍ୟ କାହାରିକୁ କୁହନ୍ତୁ ନାହିଁ, ପଡ଼ି ପାରନ୍ତି ବିପଦରେ !

ଗତ କିଛିଦିନ ହେବ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି କି ଆଧାରକାର୍ଡ ଜରିଆରେ ଅପରାଧୀ ଆପଣଙ୍କ ଗୋପନ ତଥ୍ୟକୁ ଚୋରାଇ ନେଉଛନ୍ତି। ନିକଟରେ ଦିଲ୍ଲୀରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା କି, ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୃତ୍ତ ଆଧାର ସମ୍ପର୍କରେ ସୂଚନା ନେଇ ତାଙ୍କର ଆକାଉଣ୍ଟର ଲକ୍ଷାଧିକ ଟଙ୍କାର ହେରାଫେରି କରି ନେଇଥିଲେ।

ପ୍ରଥମ କଥା, ଅପରାଧୀ ଆପଣଙ୍କ ଫୋନ୍‌ ନମ୍ବରକୁ ଆଧାର ସହିତ ଲିଙ୍କ କରିବା ନେଇ ଆଧାର ନମ୍ବର ମାଗିଥାଆନ୍ତି। ସେମାନେ ଆପଣଙ୍କ ଆଧାର ନମ୍ବର ଜାଣିବା ପରେ ବ୍ୟାଙ୍କ ଖାତା ପର୍ଯ୍ୟନ୍ତ ପହଞ୍ଚି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇ ଥାଆନ୍ତି। ଏଥିପାଇଁ ଆପଣ ଫୋନ୍‌ରେ ନିଜର ଆଧାରନମ୍ବର କାହାରିକୁ ଦିଅନ୍ତୁ ନାହିଁ।

ଦ୍ୱିତୀୟ: ଯଦି ଆପଣଙ୍କ ପାଖକୁ ଏଭଳି କିଛି ଫୋନ୍‌ ଆସୁଛି ତେବେ ଏ ସମ୍ପର୍କରେ ତୁରନ୍ତ ସୂଚନା ପୁଲିସକୁ ଦେବାକୁ ଭୁଲନ୍ତୁ ନାହିଁ। କାରଣ ସାଇବର ଏକ୍ସପର୍ଟଙ୍କ ଅନୁସାରେ, ଆପଣ ଯଦି ତୁରନ୍ତ ଏ ସମ୍ପର୍କରେ ପୁଲିସକୁ ସୂଚନା ଦେବେ ତେବେ ଅପରାଧୀକୁ ଧରିବା ପାଇଁ ପୁଲିସକୁ ସହଜ ହୋଇଥାଏ।

ତୃତୀୟ: ଆପଣଙ୍କୁ ଯେଉଁଠାରେ ବି ଆଧାର ଲିଙ୍କ୍‌ କରିବାର ଅଛି ସେହି କେନ୍ଦ୍ରକୁ ଆପଣ ନିଜେ ହିଁ ଯାଇ ଆଧାର ଲିଙ୍କ କରନ୍ତୁ। ଅଜଣା ଲୋକଙ୍କୁ ଆଧାର ନମ୍ବର ଦିଅନ୍ତୁ ନାହିଁ।

ଚତୁର୍ଥ: ଆଧାର ଲିଙ୍କ୍‌ କରିବା ପାଇଁ କୌଣସି ବି ବ୍ୟାଙ୍କ କର୍ମଚାରୀ କିମ୍ବା କୌଣସି ନେଟଓ୍ଵାର୍କରୁ ଗ୍ରାହକଙ୍କୁ ଫୋନ୍‌ ଆସି ନଥାଏ। ଏହା ଆପଣଙ୍କୁ ସର୍ବଦା ଧ୍ୟାନ ରଖିବା ଉଚିତ। ଏପରି କ୍ଷେତ୍ରରେ ଯଦି ଏଭଳି ଫୋନ ଆସେ ତେବେ ଏହା କଲ ନକଲ ବୋଲି ବୁଝି ନେବା ଉଚିତ।

ପଞ୍ଚମ: ଏଥିସହିତ ଏପରି କଲ କରୁଥିବା ଅପରାଧୀ ଆପଣଙ୍କ କାର୍ଡ ସହିତ ଯୋଡ଼ି ହୋଇଥିବା ତଥ୍ୟର ଭୁଲ ଦିଗରେ ବ୍ୟବହାର ମଧ୍ୟ କରି ପାରନ୍ତି।

ସମ୍ବନ୍ଧିତ ଖବର