ଅଚଳ ନୋଟ୍‌ ପାଇଁ ହେବନି ଫୌଜଦାରୀ ମାମଲା

ସମ୍ବିଧାନ ପୀଠକୁ ପଠାଗଲା ୧୪ଟି ମାମଲା

ନୂଆଦିଲ୍ଲୀ: ନିର୍ଦିଷ୍ଟ କିଛି ପରିମାଣଠାରୁ ଅଧିକ ଅଚଳ ନୋଟ୍‌ ପାଖରେ ରଖିବା ଦଣ୍ଡନୀୟ ଅପରାଧ ବୋଲି କେନ୍ଦ୍ର ସରକାର ବିମୁଦ୍ରାକରଣ ପରେ ଘୋଷଣା କରିଥିଲେ। କିନ୍ତୁ ଯେଉଁ ଲୋକମାନଙ୍କ ପାଖରେ ୨୦୧୬ ଡିସେମ୍ବର ୩୧ ପରେ ମଧ୍ୟ ଧାର୍ଯ୍ୟ ସୀମାଠାରୁ ଅଧିକ ଅଚଳ ନୋଟ୍‌ ରହିଛି ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରାଯିବ ନାହିଁ। କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଏହା କହିଛନ୍ତି। ବିମୁଦ୍ରାକରଣ ବେଳେ ଦିଆଯାଇଥିବା ୫୦ ଦିନର ସମୟ ସୀମା ଭିତରେ ଯେଉଁମାନେ ଅଚଳ ନୋଟ୍‌ ଜମା କରିପାରି ନଥିଲେ ସେମାନଙ୍କ ମଧ୍ୟରୁ କେତେକ ଲୋକ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ସେଭଳି ଏକ ମାମଲାର ଶୁଣାଣି ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ହୋଇଥିଲା। ଏହି ଅବସରରେ ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଳ ଆବେଦନକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରାଯିବ ନାହିଁ। ଯେତିକି ପରିମାଣର ନୋଟ୍‌ ଜମା କରିପାରିନାହାନ୍ତି ବୋଲି ସେମାନେ କୋର୍ଟଙ୍କୁ ଜଣାଇଛନ୍ତି କେବଳ ସେତିକି ପରିମାଣର ଅଚଳ ନୋଟ୍‌ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। କିନ୍ତୁ ତା’ଠାରୁ ଅଧିକ ଅଚଳ ନୋଟ୍‌ ସେମାନଙ୍କ ପାଖରେ ଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟଙ୍କୁ ସେ ଜଣାଇ ଦେଇଛନ୍ତି।

ମହରାଷ୍ଟ୍ରର କିଛି ଚାଷୀ, ହସ୍‌ପିଟାଲ୍‌ ଶଯ୍ୟାରେ ପଡ଼ିରହିଥିବା ରୋଗୀ ଏବଂ ବିଦେଶରେ ବାସ କରୁଥିବା କେତେକ ଭାରତୀୟ ନାଗରିକ ଅଚଳ ନୋଟ୍‌ ଜମା କରିବା ସମୟ ସୀମା ବଢ଼ାଇବା ପାଇଁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। କୌଣସି ପରିସ୍ଥିତିରେ ଅଚଳ ନୋଟ୍‌ ଜମା କରିବା ପାଇଁ ସୁଯୋଗ ପ୍ରଦାନ କରାଯିବ ନାହିଁ ବୋଲି ସରକାର ସୁପ୍ରିମକୋର୍ଟରେ କହିସାରିଛନ୍ତି। ଏହା ହେଲେ ବିମୁଦ୍ରାକରଣର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରିବ ନାହିଁ ବୋଲି ସରକାର ଜଣାଇଛନ୍ତି।

କୋର୍ଟରେ ଯେଉଁମାନେ ମାମଲା ଦାୟର କରିଛନ୍ତି ସେମାନେ ସମ୍ବିଧାନ ପୀଠରେ ସେମାନଙ୍କ ଅଭିଯୋଗ କରିପାରିବେ। ବିମୁଦ୍ରାକରଣର ସାମ୍ବିଧାନିକ ବୈଧତା ଯାଞ୍ଚ କରିବା ପାଇଁ ପାଞ୍ଚ ଜଣ ବିଚାରପତିଙ୍କୁ ନେଇ ସମ୍ବିଧାନ ପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ୨୦୧୬ ଡିସେମ୍ବର ୧୬ରେ ନିର୍ଦେଶ ଦେଇଥିଲେ। ଆଜି କୋର୍ଟ ଅଚଳ ନୋଟ୍‌ ଜମା କରିବା ସଂପର୍କିତ ୧୪ଟି ମାମଲାକୁ ସମ୍ବିଧାନ ପୀଠକୁ ପଠାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କରିଥିଲେ। ଫଳରେ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯାଇଥିଲା। ସେହି ନୋଟ୍‌ଗୁଡ଼ିକୁ ଜମା କରିବା ପାଇଁ ଦେଶରେ ବାସ କରୁଥିବା ଲୋକମାନଙ୍କୁ ୫୦ ଦିନର ସମୟ ପ୍ରଦାନ କରାଯାଇଥିଲା। ୨୦୧୬ ଡିସେମ୍ବର ୩୧ ପରେ ଦେଶବାସୀଙ୍କ ପାଇଁ ଅଚଳ ନୋଟ୍‌ ଜମା ସୁବିଧାକୁ ସରକାର ବନ୍ଦ କରିଦେଇଥିଲେ।

ସମ୍ବନ୍ଧିତ ଖବର