ଟ୍ରମ୍ପ୍‌ଙ୍କ ତାଗିଦ କାମ ଦେଲାନି

ଇଞ୍ଜିନିୟର ଖୋଜିବାକୁ ଭାରତରେ ଆମେରିକୀୟ କମ୍ପାନିଙ୍କ ଭିଡ଼

ବେଙ୍ଗାଲୁରୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ଆମେରିକା ପ୍ରଥମ ନୀତି ଆପଣାଇଛନ୍ତି। ଆମେରିକାରେ ବିଦେଶୀ ନାଗରିକଙ୍କ ନିଯୁକ୍ତିକୁ ବିରୋଧ କରିଆସୁଛନ୍ତି। ସେହିଭଳି ବିଦେଶରୁ ମଧ୍ୟ ଆମେରିକାକୁ କରାଯାଉଥିବା ଆଉଟସୋର୍ସିଂ କାର୍ଯ୍ୟକୁ ପସନ୍ଦ କରୁନାହାନ୍ତି। ଏହାସତ୍ତ୍ବେ ଆମେରିକୀୟ କମ୍ପାନିମାନେ ଭାରତରେ ସେମାନଙ୍କ ନିଯୁକ୍ତି ବଢ଼ାଇ ଚାଲିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭାରତରେ ବହୁରାଷ୍ଟ୍ରୀୟ କମ୍ପାନି ଗୁଡ଼ିକର ଗବେଷଣା ଓ ବିକାଶ କେନ୍ଦ୍ର ସଂଖ୍ୟା ୯୪୩ ଥିବାବେଳେ ୨୦୧୭ରେ ଏହା ୯୭୬କୁ ବୃଦ୍ଧି ପାଇଛି। ୨୦୧୮ରେ ଏହି ସଂଖ୍ୟା ୧୦୦୫କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ପରାମର୍ଶଦାତା ଫାର୍ମ ଜିନୋଭ୍‌ ପକ୍ଷରୁ ଏହି ଆକଳନ କରାଯାଇଛି। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଏହି ବହୁରାଷ୍ଟ୍ରୀୟ କମ୍ପାନି ଗୁଡ଼ିକ ମଧ୍ୟରୁ ୬୦%ରୁ ଅଧିକ କମ୍ପାନି ଆମେରିକାର। ସବୁ କ୍ଷେତ୍ରର କମ୍ପାନି ଏବେ ପ୍ରଯୁକ୍ତିକୁ ଅଧିକରୁ ଅଧିକ ମାତ୍ରାରେ ଆପଣାଉଛନ୍ତି। ଫଳରେ ଏସବୁ କମ୍ପାନିଙ୍କ ପାଇଁ ଇଞ୍ଜିନିୟରଙ୍କ ଆବଶ୍ୟକତା ବଢ଼ିଯାଇଛି। ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି କି ବହୁରାଷ୍ଟ୍ରୀୟ କମ୍ପାନି ଗୁଡ଼ିକ ଆବଶ୍ୟକ ସଂଖ୍ୟା ଓ ଉପଯୁକ୍ତ ଦକ୍ଷତା ଥିବା ଇଞ୍ଜିନିଅର ପାଇବା ନେଇ ଦୃଢ଼ ଆଶା ପୋଷଣ କରୁଛନ୍ତି। ଏଥିଯୋଗୁ ବହୁରାଷ୍ଟ୍ରୀୟ କମ୍ପାନି ଗୁଡ଼ିକର ଗବେଷଣା ଓ ବିକାଶ କେନ୍ଦ୍ର ଯାହାକୁ ଗ୍ଲୋବାଲ ଇନହାଉସ ସେଣ୍ଟର (ଜିଆଇସି) କୁହାଯାଉଛି ସେଠାରେ ମଧ୍ୟ କର୍ମଚାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୬ରେ ଭାରତରେ ଏହି କେନ୍ଦ୍ର ଗୁଡ଼ିକରେ ୩୪୩,୦୦୦ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ୨୦୧୭ରେ ଏମାନଙ୍କ ସଂଖ୍ୟା ୩,୯୬,୦୦୦କୁ ବୃଦ୍ଧି ପାଇଛି। ଚଳିତବର୍ଷ ଏଥିରେ ୧୦ ପ୍ରତିଶତ ବୃଦ୍ଧି ଘଟି କର୍ମଚାରୀଙ୍କ ସଂଖ୍ୟା ୪,୩୫,୦୦୦ରେ ପହଞ୍ଚିବ ବୋଲି ଆଶା ରଖାଯାଇଛି। ଭାରତରେ ନିଯୁକ୍ତି ମିଳିବା ଯେତେବେଳେ କଷ୍ଟକର ସେତେବେଳେ ଏହି କ୍ଷେତ୍ରରେ ଭଲ ନିଯୁକ୍ତି ମିଳୁଛି। କେବଳ ନିଯୁକ୍ତି ନୁହେଁ କର୍ମଚାରୀଙ୍କୁ ଭଲ ଦରମା ମଧ୍ୟ ମିଳୁଛି।

ଏମଏନସିଗୁଡ଼ିକ ଜିଆଇସିରେ କର୍ମଚାରୀଙ୍କ ବେତନ ଓ ଭିତ୍ତିଭୂମି ବାବଦରେ ଅଧିକରୁ ଅଧିକ ଖର୍ଚ୍ଚ କରିଚାଲିଛନ୍ତି। ୨୦୧୬ରେ ଏମାନେ ୧୩ ବିଲିଅନ ଡଲାର ଖର୍ଚ୍ଚ କରିଥିବାବେଳେ ୨୦୧୭ରେ ୧୫ ବିଲିଅନ ଡଲାର ଖର୍ଚ୍ଚ କରିଛନ୍ତି। ୨୦୧୮ରେ ଖର୍ଚ୍ଚ ରାଶି ୧୭ ବିଲିଅନ ଡଲାରରେ ପହଞ୍ଚିବ ବୋଲି ଆଶା ରଖାଯାଇଛି। ସଫ୍ଟଓୟାର କ୍ଷେତ୍ରରେ ଭାରତରେ ଉପଲବ୍ଧ ହେଉଥିବା ପ୍ରତିଭା ବହୁରାଷ୍ଟ୍ରୀୟ କମ୍ପାନିଙ୍କୁ ଭାରତ ପ୍ରତି ଆକୃଷ୍ଟ କରୁଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର