ନୋଟ୍‌ ସ୍ୱାସ୍ଥ୍ୟ ପ୍ରତି ହାନିକାରକ କି?

ହୋଇପାରେ ଟିବି, ପେଟ ରୋଗ, ତଦନ୍ତ ଦାବି କଲା ବ୍ୟବସାୟୀ ମହାସଂଘ

0 216

ନୂଆଦିଲ୍ଲୀ: ନୋଟ୍‌ ବ୍ୟବହାର କରୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି। ନୋଟ୍‌ ଯୋଗୁ ଟିବି, ଅଲ୍‌ସର୍‌ ଓ ପେଟ ରୋଗ ହୋଇପାରେ। ଏଭଳି ଆଶଙ୍କା ପ୍ରକଟ କରିଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)। ନୋଟ୍‌ ପ୍ରକୃତ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ନା ନାହିଁ? ଯଦି ହାନିକାରକ ତେବେ ତାହାର ମାତ୍ରା କ’ଣ? ଯଦି ନୋଟ୍‌ ହାନିକାରକ ତେବେ ସେଥିପାଇଁ କ’ଣ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯିବା ଦରକାର? ଏସବୁ ପ୍ରଶ୍ନର ଉତ୍ତର ଶୀଘ୍ର ଖୋଜିବାକୁ ମହାସଂଘ ସରକାରଙ୍କ ନିକଟରେ ଦାବି କରିଛି। ଏବିଷୟରେ ମହାସଂଘ ପକ୍ଷରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଏକ ଚିଠି ଲେଖାଯାଇଛି। ତୁରନ୍ତ ଏହି ମାମଲାର ତଦନ୍ତ କରିବାକୁ ଚିଠିରେ ଦାବି କରାଯାଇଛି। ନୋଟ୍‌ର ଖରାପ ପ୍ରଭାବକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ବିଜ୍ଞାନ ପତ୍ରିକାଗୁଡ଼ିକରେ ପ୍ରକାଶିତ ରିପୋର୍ଟର ନକଲଗୁଡ଼ିକୁ ମହାସଂଘ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଓ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ନିକଟକୁ ପଠାଯାଇଛି। ତୁରନ୍ତ ଏହି ରିପୋର୍ଟଗୁଡ଼ିକୁ ବିଚାରକୁ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟଗୁଡ଼ିକରେ ଆଶଙ୍କା ପ୍ରକଟ କରାଯାଇଛି ଯେ ନୋଟ୍‌ରେ ରହିଛି ରୋଗ ସୃଷ୍ଟିକାରୀ ଉପାଦାନ। ଏହାର ସଂକ୍ରମଣରେ ଅନେକ ପ୍ରକାର ରୋଗ ସୃଷ୍ଟି ହେବ। ମୂତ୍ରାଶୟଠାରୁ ଆରମ୍ଭ କରି ନିଶ୍ୱାସ ପ୍ରଶ୍ୱାସ ଜନିତ ରୋଗ, ଚର୍ମ ରୋଗ, ସେପ୍ଟିସେମିଆ (ଜାବାଣୁ ଯୋଗୁ ରକ୍ତ ବିଶାକ୍ତ ହେବା), ମସ୍ତିସ୍କ ରୋଗ, ଟକ୍ସିକ୍‌ ସକ୍‌ ସିଣ୍ଡ୍ରୋମ୍‌ ଓ ବିଭିନ୍ନ ପ୍ରକାର ଗ୍ୟାସ୍‌ ଜନିତ ରୋଗ ହୋଇପାରେ ବୋଲି ରିପୋର୍ଟଗୁଡ଼ିକରେ ଆଶଙ୍କା ପ୍ରକଟ କରାଯାଇଛି। ସିଏଆଇଟିର ସେକ୍ରେଟାରି ଜେନେରାଲ୍‌ ପ୍ରବୀଣ ଖଣ୍ଡେଲ୍‌ଓ୍ଵାଲ୍‌ କହିଛନ୍ତି ଯେ, ବିଜ୍ଞାନ ପତ୍ରିକାଗୁଡ଼ିକରେ ପ୍ରାୟ ପ୍ରତିବର୍ଷ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଉଛି। କିନ୍ତୁ, ଦୁର୍ଭାଗ୍ୟର ବିଷୟ ହେଉଛି ତାହାକୁ କେହି ବିଚାରକୁ ନେଉନାହାନ୍ତି। ନୋଟ୍‌କୁ ବହୁଳ ମାତ୍ରାରେ ବ୍ୟବସାୟୀମାନେ ବ୍ୟବହାର କରୁଛନ୍ତି। ଯଦି ବିଜ୍ଞାନ ପତ୍ରିକାଗୁଡ଼ିକରେ ପ୍ରକାଶିତ ରିପୋର୍ଟ ସତ ହୋଇଥିବ ତେବେ ବ୍ୟବସାୟୀମାନେ ସର୍ବାଧିକ ପ୍ରଭାବିତ ହେବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.