ଏଥର ୧୦୦୦ ଦିନିଆ କାର୍ଯ୍ୟସୂଚୀ, ମୋଦୀ ୨.୦

ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ସରକାର ଗଠନ କରିବାକୁ ଯାଉଛନ୍ତି। ନୂଆ ଭାରତ ଗଠନ କରିବାର ପ୍ରତିଶ୍ରୁତିକୁ ମୋଦୀ ତାଙ୍କ ଦ୍ବିତୀୟ ଅବଧିରେ ପୂରଣ କରିବାକୁ ଉଦ୍ୟମ କରିବେ। ଚଳିତ ଥର ସେ ୧୦୦ ଦିନିଆ କାର୍ଯ୍ୟସୂଚୀ ନଆଣି ୧୦୦୦ ଦିନିଆ କାର୍ଯ୍ୟସୂଚୀ ଆଣିବେ। ୨୦୨୨ରେ ମୋଦୀ ସରକାର ଦେଶ ସ୍ବାଧୀନତାର ୭୫ ବର୍ଷ ପାଳନ କରିବ। ତେଣୁ ମୋଦୀ ସରକାରଙ୍କ ୧୦୦୦ ଦିନିଆ କାର୍ଯ୍ୟକ୍ରମ ୨୦୨୨ ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟସୂଚୀ ପ୍ରସ୍ତୁତି ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ଦୁଇ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତରେ ଏହି ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟସୂଚୀରେ କୃଷି କ୍ଷେତ୍ରର ଶ୍ରମିକ ଓ ମହିଳାଙ୍କୁ ସଶକ୍ତ କରିବା ଠାରୁ ଆରମ୍ଭ କରି ମହାକାଶକୁ ମାନବ ପ୍ରେରଣ କରିବା ପର୍ଯ୍ୟନ୍ତ ଆଦି ଯୋଜନା ରହିଛି। ମୋଦୀ ଦ୍ବିତୀୟ ଅବଧିରେ ନୂଆ ଭାରତ ଗଠନର ପ୍ରତିଶ୍ରୁତି ପୂରଣ ନେଇ ଯତ୍ନବାନ ଥିବାରୁ ଏଥିପାଇଁ ୧୦୦୦ ଦିନିଆ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଲାଗି ନିର୍ଦେଶ ଦିଆଯାଇଛି। ୨୦୨୨ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ପାଇଁ ମନ୍ତ୍ରୀ ଓ ବିଭାଗୀୟ ମୁଖ୍ୟମାନଙ୍କୁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବାକୁ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ଗରିବ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପୂର୍ବପରି ଅନ୍ତ୍ୟୋଦୟ ଯୋଜନା ମଧ୍ୟ ଚାଳିବ। ସରକାରଙ୍କ ଦାବି ଅନୁଯାୟୀ, ମୋଦୀଙ୍କ ପ୍ରଥମ ଶାସନକାଳରେ ଏହି ଯୋଜନାରେ ୨୨ କୋଟି ଲୋକ ଉପକୃତ ହୋଇଛନ୍ତି। ଏନଡିଏକୁ ପୁଣି କ୍ଷମତାକୁ ଫେରାଇବାରେ ଏହି ଯୋଜନା ବିଶେଷ ସହାୟକ ହୋଇଛି ବୋଲି ସରକାର ବିଶ୍ବାସ କରୁଛନ୍ତି।

ନୂଆ ସରକାର ଗଠନକୁ ଅପେକ୍ଷା ନକରି ଅଧିକାରୀମାନେ ଏହି କାର୍ଯ୍ୟସୂଚୀ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେବା ଲାଗି କୁହାଯାଇଛି। ନୂଆ ମନ୍ତ୍ରିମଣ୍ଡଳ ଗଠନ ଏବଂ ବିଭାଗ ଆବଣ୍ଟନ ପରେ ଏହି ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ। ଫଳରେ କୌଣସି ସମୟ ନଷ୍ଟ ହେବନାହିଁ। ଯେଉଁ ସବୁ ପ୍ରମୁଖ ଯୋଜନାକୁ କାର୍ଯ୍ୟସୂଚୀରେ ସାମିଲ କରାଯିବ ସେଥିରେ ରହିଛି ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣ କରିବା, ଛାତ ଉପରେ ୪୦ ହଜାର ମେଗାୱାଟର ସୌରଶକ୍ତି ଉତ୍ପାଦନ, ସମସ୍ତଙ୍କ ପାଇଁ ଗୃହ, ୧୦୦ ଗିଗାୱାଟର ସୌର ଶକ୍ତି ଉତ୍ପାଦନ, କୃଷିକ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସମେତ ମହିଳାଙ୍କୁ ସଶକ୍ତ କରିବା, ମହାକାଶକୁ ମାନବ ପ୍ରେରଣ। ଏଥିସହିତ ୧୦ କୋଟି ଶ୍ରମିକଙ୍କୁ ୨୦୨୨ ସୁଦ୍ଧା କର୍ମଚାରୀ ରାଜ୍ୟ ବୀମା ଯୋଜନାରେ ସାମିଲ। ଏଥିସହିତ ଡିଜିଟାଲ ଇଣ୍ଡିଆ ଏବଂ ଇ-ଗଭର୍ଣ୍ଣାନ୍ସକୁ ଅଧିକ ପ୍ରଭାବଶାଳୀ କରିବା ସହିତ ସ୍ବାସ୍ଥ୍ୟ ସେବା ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ଉପରେ ନୂଆ ସରକାର ପ୍ରାଧାନ୍ୟ ଦେବେ ‌ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର