ତୃତୀୟ ପକ୍ଷ ବୀମା ଶସ୍ତା ହେବ, ପ୍ରିମିୟମ୍ ଉପରୁ ଜିଏସ୍‌ଟି କମିବ

ନୂଆଦିଲ୍ଲୀ: ଆଗାମୀ ଦିନରେ ତୃତୀୟ ପକ୍ଷ ବୀମା ଶସ୍ତା ହେବ। ଏହାର ପ୍ରିମିୟମ୍ ଉପରେ ଯେଉଁ ଜିଏସ୍‌ଟି ଲାଗୁ କରାଯାଉଛି ତାହାକୁ କମ୍ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏ ସଂକ୍ରାନ୍ତରେ ଖୁବ୍‌ଶୀଘ୍ର ପ୍ରସ୍ତାବ ଅଣାଯିବ। ବର୍ତ୍ତମାନ ସବୁ ପ୍ରକାର ଗାଡ଼ିର ତୃତୀୟ ପକ୍ଷ (ଥାର୍ଡ ପାର୍ଟି) ବୀମାର ପ୍ରିମିୟମ୍‌ରୁ ୧୮% ହାରରେ ଜିଏସ୍‌ଟି ଆଦାୟ କରାଯାଉଛି। ଯଦି ଜିଏସ୍‌ଟି ହାର କମିବ ତେବେ ଗାଡ଼ି ମାଲିକମାନଙ୍କୁ ବଡ଼ ଧରଣର ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଉଛି।

ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଆୟୋଜନ କରାଯାଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଥାର୍ଡ ପାର୍ଟି ବୀମା ଜିଏସ୍‌ଟି ହାର ଉପରେ ଆଲୋଚନା ହୋଇଥିଲା। ଜିଏସ୍‌ଟି ହାରକୁ କମ୍ କରିବା ପାଇଁ ଏକ ପ୍ରସ୍ତାବ ଦେବାକୁ ବିତ୍ତୀୟ ସେବା ବିଭାଗକୁ କୁହାଯାଇଛି। ସେହି ପ୍ରସ୍ତାବ ଉପରେ ଆଗାମୀ ଦିନରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଆଲୋଚନା କରାଯିବ। ଯେହେତୁ ଗାଡ଼ି ମାଲିକଙ୍କ ପାଇଁ ଏହି ବୀମା କିଣିବା ବାଧ୍ୟତାମୂଳକ କରାଯାଇଛି, ତେଣୁ ଜିଏସ୍‌ଟି ହାରକୁ କମ୍ କରିବାର ଆବଶ୍ୟକତା ରହିଛି ବୋଲି ପିଏମ୍‌ଓ ବୈଠକରେ ମତ ପ୍ରକାଶ ପାଇଥିଲା। ଥାର୍ଡ ପାର୍ଟି ବୀମା ଉପରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଛା‌ଡ଼ କରିବାକୁ ଟ୍ରକ୍ ସଂଘ ଦାବି କରୁଛି। ଏହି ଦାବି ଉପରେ ବିଚାର କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ପ୍ରତିଶ୍ରୁତି ଦେଇଛି।

ସର୍ବଭାରତୀୟ ମୋଟର ଟ୍ରାନ୍ସଫୋର୍ଟ କଂଗ୍ରେସର ବାଲ୍‌ ମାଲ୍‌କିତ୍ ସିଂହ କହିଛନ୍ତି ଯେ, ଥାର୍ଡ ପାର୍ଟି ବୀମାର ସମାଜ ସହିତ ସମ୍ପର୍କ ଅଛି। ଏହାର ପ୍ରିମିୟମ୍‌ ଉପରୁ ଜିଏସ୍‌ଟି କମ୍ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ଯଦି ତାହା ହେବ ତେବେ ବଡ଼ ଟ୍ରକ୍‌ଗୁଡ଼ିକ ପାଇଁ ବୀମା ପ୍ରିମିୟମ୍ ବୋଝ ପାଞ୍ଚରୁ ସାତ ହଜାର ଟଙ୍କା କମ୍ ହୋଇଯିବ। ସବୁ ଗାଡ଼ି ପାଇଁ ଥାର୍ଡ ପାର୍ଟି ବୀମାକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଯେଭଳି ପୂର୍ଣ୍ଣ କ୍ଷମତାର ସହିତ ଲାଗୁ ହେବ ତାହା ନିଶ୍ଚିତ କରିବାକୁ ପିଏମ୍‌ଓ ପକ୍ଷରୁ ସବୁ ରାଜ୍ୟଗୁଡ଼ିକୁ ପତ୍ର ଳେଖାଯାଇଛି।

ସମ୍ବନ୍ଧିତ ଖବର