ଏବେ ତୃତୀୟ ଲିଙ୍ଗ ନାଁଁ ରେ ପ୍ୟାନ କାର୍ଡ ବାହାରି ପାରିବ

ନୂଆଦିଲ୍ଲୀ: ଏଣିକି ତୃତୀୟ ଲିଙ୍ଗ ଅର୍ଥାତ୍‌ କିନ୍ନର ମାନଙ୍କ ନାଁରେ ପ୍ୟାନ କାର୍ଡ ବାହାରି ପାରିବ । ଏଥିପାଇଁ ଉଦ୍ଦିଷ୍ଟ ଆବେଦନ ପତ୍ରରେ ସଂଶୋଧନ କରାଯାଇ ତୃତୀୟ ଲିଙ୍ଗ ବିକଳ୍ପ ମଧ୍ୟ ଦିଆଯାଇଛି । ଅର୍ଥାତ୍‌ ଫର୍ମରେ ପୁରୁଷ,ମହିଳା ଓ ତୃତୀୟ ଲିଙ୍ଗ ବିକଳ୍ପ ଲେଖା ରହିବ । ଏ ନେଇ ଗତ କାଲି ସରକାର ଏକ ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ପୂର୍ବରୁ ଆଧାର ଓ ଭୋଟର ପରିଚୟ ପତ୍ରରେ ଏହି ବ୍ୟବସ୍ଥା ରହିଆସିଛି ।

ଗତ ବର୍ଷ ସରକାର ପ୍ୟାନ ସହ ଆଧାର ସଂଯୋଗ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ । କିନ୍ତୁ ଏହା କଲା ବେଳେ କିନ୍ନରମାନେ ବେଶ ଅସୁବିଧାର ସମ୍ମୁଖୀନ ହେଉଥିଲେ । କାରଣ ଆଧାର କାର୍ଡରେ ତୃତୀୟ ଲିଙ୍ଗ ବିକଳ୍ପ ରହିଛି, କିନ୍ତୁ ପ୍ୟାନ କାର୍ଡରେ ନାହିଁ । ଆଧାର ଓ ପ୍ୟାନ୍‌ ଲିଙ୍କ କଲା ବେଳେ ତଥ୍ୟରେ ଟିକିଏ ଅମେଳ ରହିଲେ ତାହା ହୋଇପାରିବ ନାହିଁ । ଏଥିପାଇଁ ପ୍ୟାନରେ ତୃତୀୟ ଲିଙ୍ଗ ବିକଳ୍ପ ପାଇଁ କିନ୍ନରମାନେ ଦାବି କରିଆସୁଥିଲେ । ଏବେ ସରକାର ତାହା ପୂରଣ କରିଥିବାରୁ କିନ୍ନରମାନେ ଉପକୃତ ହେବେ ।

ସମ୍ବନ୍ଧିତ ଖବର