ଓଡ଼ିଶା ବିକାଶ କନ୍‌କ୍ଲେଭ୍‌ ଉଦ୍‌ଘାଟିତ: ଓଡ଼ିଶାକୁ ନିତି ଆୟୋଗର ପ୍ରଶଂସା

ପୁଷ୍ଟି, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା: ରାଜୀବ

ଭୁବନେଶ୍ୱର: ଓଡ଼ିଶା ଯେଉଁ ହାରର ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି ତାହାକୁ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ପ୍ରଶଂସା କରିଛନ୍ତି। ସେ କହିଲେ, ଜାତୀୟ ଅଭିବୃଦ୍ଧି ହାର ୬-୭% ସ୍ତରରେ ରହୁଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ଏହାଠାରୁ ଯଥେଷ୍ଟ ଅଧିକ। ଓଡ଼ିଶାର ଅଭିବୃଦ୍ଧି ଜାତୀୟ ହାର ଠାରୁ ଅଧିକ ରହିବା ବହୁତ ଭଲ ବୋଲି ସେ କହିଛନ୍ତି। ଆଜିଠାରୁ ରେଳ ଅଡିଟୋରିୟମ୍‌ଠାରେ ଆରମ୍ଭ ହୋଇଥିବା ତିନି ଦିନିଆ ‘ଓଡ଼ିଶା ବିକାଶ କନ୍‌କ୍ଲେଭ୍‌ ୨୦୧୮’ର ଉଦ୍‌ଘାଟନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ସେ କହିଲେ, ନିତି ଆୟୋଗ ଏବେ ତିନିଟି ବିଷୟକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛି। ତାହା ହେଉଛି ପୁଷ୍ଟିସାଧନ, ଶିକ୍ଷା ଓ ସ୍ୱାସ୍ଥ୍ୟ। ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ରେ ଥିବା ୨୫୯ଟି ବିଷୟ ମଧ୍ୟରୁ ଏହି ତିନିଟିକୁ ହାସଲ କରିବା ଉପରେ ଆମେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛୁ।

ସେ କହିଛନ୍ତି ଯେ, ଏଠାରେ ୩୮% ଶିଶୁ ଅପପୁଷ୍ଟିର ଶିକାର। ପ୍ରତି ୧୦ ଶିଶୁ ମଧ୍ୟରୁ ୪ ଜଣଙ୍କଠାରେ ପୁଷ୍ଟିହୀନତା ସମସ୍ୟା ରହିଛି। ମା’ମାନଙ୍କ ଅବସ୍ଥା ମଧ୍ୟ ଭଲ ନାହିଁ। ୫୦% ମା’ଙ୍କଠାରେ ରକ୍ତହୀନତା ସମସ୍ୟା ରହିଛି। ଓଡ଼ିଶାରେ ଏଭଳି କିଛି ଜିଲ୍ଲା ରହିଛି ଯେଉଁଠାରେ ଉଭୟ ଅପପୁଷ୍ଟି ଓ ମାତୃ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ଜଟିଳ। ଏହି ସମସ୍ୟାର ସମାଧାନ କରିବା ପାଇଁ ସରକାର ଚଳିତ ବର୍ଷଠାରୁ ଜାତୀୟ ପୁଷ୍ଟିସାଧନ ମିସନ୍‌ ଆରମ୍ଭ କରିଛନ୍ତି। ଶିକ୍ଷା ସମ୍ପର୍କରେ ସେ କହିଥିଲେ, ସର୍ବଶିକ୍ଷା ଅଭିଯାନ ଭଳି ଯୋଜନା ଯୋଗୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଉପସ୍ଥାନରେ ଆଶାନୁରୂପ ଉନ୍ନତି ହୋଇଛି। କିନ୍ତୁ ପଞ୍ଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର ମାନ ଯେଉଁଭଳି ଭାବେ ହ୍ରାସ ପାଉଛି ତାହା ଚିନ୍ତାଜନକ। ସ୍କୁଲ ଶିକ୍ଷାର ମାନ ଅନୁଧ୍ୟାନ କରିବା ପାଇଁ ନିତି ଆୟୋଗ ଏକ ସୂଚୀ (ଇଣ୍ଡେକ୍ସ) ପ୍ରସ୍ତୁତ କରୁଛି। ଏଥିପାଇଁ ବିଭିନ୍ନ ମାନଦଣ୍ଡ ଧାର୍ଯ୍ୟ କରାଯିବ। କେଉଁ ମାନଦଣ୍ଡରେ କେଉଁ ରାଜ୍ୟର ପ୍ରଦର୍ଶନ କିଭଳି ରହିଛି ତାହାକୁ ନିତି ଆୟୋଗ ଅନୁଶୀଳନ କରିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଶର ସବୁଠୁ ବଡ଼ ଯୋଜନା ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ (ପ୍ରଜା)କୁ ସେପ୍ଟେମ୍ବର ମାସରୁ ଆରମ୍ଭ କରାଯିବ। ଏଥିରେ ଦେଶର ୪୦% ଲୋକଙ୍କ (୫୦ କୋଟି) ଚିକିତ୍ସା ଖର୍ଚ ସରକାର ବହନ କରିବେ। ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ନିତି ଆୟୋଗକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଦେଶରେ ଦେଢ଼ ଲକ୍ଷ ହେଲ୍‌ଥ ଆଣ୍ଡ୍‌ େଓ୍ଵଲ୍‌ନେସ୍‌ ସେଣ୍ଟର୍‌ ଖୋଲିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ସବୁ କେନ୍ଦ୍ରଗୁଡ଼ିକରେ ଟେଲି ମେଡିସିନ୍‌ ବଣ୍ଟନ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି। ସେ କହିଛନ୍ତି ଯେ, ଷ୍ଟ୍ରାଟେଜି ଫର୍‌ ନିଉ ଇଣ୍ଡିଆ ଆଟ୍‌ ୨୦୨୨ ଖୁବ୍‌ଶୀଘ୍ର ପ୍ରସ୍ତୁତ ହୋଇଯିବ। ସେଥିରେ ଦେଶର ୪୦ଟି କ୍ଷେତ୍ର ସମ୍ପର୍କିତ ତଥ୍ୟ ରହିବ। ନିତି ଆୟୋଗରେ ଖୁବ୍‌ଶୀଘ୍ର ‘ଡେଭେଲପ୍‌ମେଣ୍ଟ୍‌ ମନିଟରିଂ ଇଭାଲୁଏଟ୍‌ ଅର୍ଗାନାଇଜେସନ୍‌’ ନାମକ ଏକ ନୂତନ ସଂସ୍ଥା ଗଠନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

ସାମାଜିକ ନିରାପତ୍ତାରେ ଓଡ଼ିଶା ଅଗ୍ରଣୀ
ଭୁବନେଶ୍ୱର: ସାମାଜିକ ନିରାପତ୍ତା କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ରହିଛି। ‘ଓଡ଼ିଶା ବିକାଶ କନ୍‌କ୍ଲେଭ୍‌-୨୦୧୮’ର ଗୋଟିଏ ଅଧିବେଶନରେ ବେଙ୍ଗାଲୁରୁସ୍ଥିତ ‘ପବ୍ଲିକ୍‌ ଆଫେୟାର୍ସ ସେଣ୍ଟର’ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି। ଓଡ଼ିଶାର ସ୍ଥିତି ବିଷୟରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମହିଳା ଓ ଶିଶୁଙ୍କୁ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସପ୍ତମ ସ୍ଥାନରେ ରହିଛି। ସେହିପରି ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷାରେ ଚତୁର୍ଥ, ଅର୍ଥନୈତିକ ସ୍ୱାଧୀନତାରେ ୧୬ , ଦୁର୍ନୀତିରେ ୧୮, ଭିତ୍ତିଭୂମି ବିକାଶରେ ୧୭ ଓ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି ।

ଏହି ଅବସରରେ ଉନ୍ନୟନ କମିସନର ଆର୍‌. ବାଲକ୍ରିଷ୍ଣନ୍‌ କେହିଛନ୍ତି ଯେ, ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି। ଆଜିର ଦିନରେ ରାଜ୍ୟର ଦୁଇ ତୃତୀୟାଂଶ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କଟିଏ ଖୋଲି ପାରିନି। ରାଜ୍ୟର ଆଦିବାସୀ ଅଞ୍ଚଳର ଆର୍ଥିକ ସ୍ଥିତିର ବିକାଶ ପାଇଁ ‘ଓଡ଼ିଶା ମିଲେଟ୍‌ ମିସନ’ ଗଠନ କରାଯାଇଛି। ଓଡ଼ିଶାର ବଜେଟ୍‌ ଆକାର ମଧ୍ୟ ବୃଦ୍ଧି ପାଇଛି। ଏଥିରୁ ଓଡ଼ିଶାର ବିକାଶ ଚିତ୍ର ସ୍ପଷ୍ଟ ହେଉଛି ବୋଲି ଶ୍ରୀ ବାଲକ୍ରିଷ୍ଣନ୍‌ କହିିଥିଲେ। ଏହି ଅଧିବେଶନରେ ଅନ୍ୟତମ ଆଲୋଚକ ଭାବେ ‘ବିକାଶଶୀଳ ଦେଶମାନଙ୍କର ଗବେଷଣା ଓ ସୂଚନା ବ୍ୟବସ୍ଥା’ର ଗବେଷକ ଡ. ଅମିତାଭ କୁଣ୍ଡୁ ଓଡ଼ିଶାର କୃଷି ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିଥିଲେ। କୃଷି କ୍ଷେତ୍ରରେ ଓଡ଼ିଶା ଦ୍ରୁତ ଅଗ୍ରଗତି କରିଛି। ମାତୃ ଓ ଶିଶୁ ମୃତ୍ୟୁହାର କମାଇବାରେ ଓଡ଼ିଶାର ପଦକ୍ଷେପ ସନ୍ତୋଷଜନକ ବୋଲି ଡ. କୁଣ୍ଡୁ କହିଥିଲେ। ଅନ୍ୟତମ ଆଲୋଚକ ଭାବେ ରାଜ୍ୟ ଯୋଜନା ବୋର୍ଡର ପରାମର୍ଶଦାତା ଆର୍‌.ଏନ୍‌. ଦାସ, ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ବେହେରା, ରାଜ୍ୟ ସରକାରଙ୍କ ମହିଳା ସାଧନ କେନ୍ଦ୍ର ନିର୍ଦ୍ଦେଶିକା ଡ. ଅମ୍ରିତା ପଟେଲ୍‌ ଆଲୋଚନାରେ ଭାଗନେଇ ସେମାନଙ୍କ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ଅକ୍ସଫାମ ଇଣ୍ଡିଆର ସିଇଓ ଅମିତାଭ ବେହାର ସଂଯୋଜନା କରିଥିଲେ।

ଆଗାମୀ ୧୫ ବର୍ଷ ରାଜ୍ୟ ପାଇଁ ସମ୍ଭାବନାର ବର୍ଷ: ଧର୍ମେନ୍ଦ୍ର
ଭୁବନେଶ୍ୱର: ଆଗାମୀ ୧୦-୧୫ ବର୍ଷ ଓଡ଼ିଶାର ବିକାଶ ପାଇଁ ସମ୍ଭାବନାର ବର୍ଷ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ୨୦୨୨ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପାଳନ କରିବ। ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ଶହେ ବର୍ଷ ହେବ। ଏହି ଦୁଇ ସମୟକୁ ଦୃଷ୍ଟିରେ ରଖି ରାଜ୍ୟର ବିକାଶ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବାକୁ ପଡ଼ିବ ଓ ସେହି ଅନୁସାରେ କାମ କରି ରାଜ୍ୟକୁ ବିକାଶର ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ହେବ ବୋଲି ସେ କହିଛନ୍ତି। ଓଡ଼ିଶା ବିକାଶ କନ୍‌କ୍ଲେଭ୍‌ ୨୦୧୮ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଲେ, ଓଡ଼ିଶାରେ ୧ କୋଟି ପରିବାର ମଧ୍ୟରୁ ଏକ ତୃତୀୟାଂଶ ଲୋକ ଜୀବିକା ପାଇଁ ଘର ଛାଡ଼ି ବାହାରକୁ ଯାଉଛନ୍ତି। ବିଏଡ୍‌ ଭଳି ଶିକ୍ଷା ପାଇଁ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ କର୍ଣ୍ଣାଟକ ଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ରାଜ୍ୟରେ ଥିବା ୪୦% ଆଦିବାସୀମାନଙ୍କ ବିକାଶ ହୋଇପାରୁନାହିଁ। ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବା ଦରକାର।

ଏହି ଅବସରରେ ପିଆର୍‌ଆଇଏର ସଭାପତି ଡକ୍ଟର ରାଜେଶ ଟଣ୍ଡନ ପାରସ୍ପରିକ ସହଯୋଗିତା ବଢ଼ାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଦେଶରେ ବିଶ୍ୱାସର ଅଭାବ ରହିଛି। ତାହା ଦୂର କରିବା ପାଇଁ ଉଦ୍ୟମ ହେବା ଦରକାର ବୋଲି ସେ କହିଥିଲେ। ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମଧ୍ୟ ବିଶ୍ୱାସ ବଢ଼ାଇବା ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ, ସରକାର, ଶିଳ୍ପ ଓ ଜନତା କେହି କାହାରି ଉପରେ ବିଶ୍ୱାସ କରୁନାହାନ୍ତି। ପରସ୍ପରକୁ ସନ୍ଦେହ କରିବା ବଦଳରେ ବିଶ୍ୱାସର ଏକ ବାତାବରଣ ଆରମ୍ଭ ହେବା ଦରକାର। ସିଓ୍ଵାଇଏସ୍‌ଡିର ସହ-ପ୍ରତିଷ୍ଠାତା ଜଗଦାନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର କୋଣ ଅନୁକୋଣରୁ ଓ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ନୂଆଦିଲ୍ଲୀ ଆଦି ସ୍ଥାନରୁ ପ୍ରତିନିଧି ଆସି ଯୋଗ ଦେଇଥିବା ନେଇ ସେ ସୂଚନା ଦେଇଥିଲେ। କନ୍‌କ୍ଲେଭ୍‌ର ଆଭିମୁଖ୍ୟ ବିଷୟରେ ସେ ବିସ୍ତତ ଭାବେ ଆଲୋଚନା କରିଥିଲେ।ଏହି ଅବସରରେ ଓଡ଼ିଶା ବିକାଶ କନ୍‌କ୍ଲେଭ୍‌ର ଫ୍ୟାକ୍ଟସିଟ୍‌କୁ ଉନ୍ମୋଚନ କରାଯାଇଛି। ସ୍ୱାଭିମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ଶ୍ରୁତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ତିନି ଦିନ ଧରି ଚାଲିବାକୁ ଥିବା ବିକାଶ କନ୍‌କ୍ଲେଭ୍‌ରେ ଆସନ୍ତାକାଲି ୧୯ଟି ବିଷୟ ଉପରେ ଆଲୋଚନା ହେବ। ବିିଭିନ୍ନ ସ୍ଥାନରେ ଏହି ସବୁ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହେବ।

ସମ୍ବନ୍ଧିତ ଖବର