ଓଡ଼ିଶା ନିବେଶକଙ୍କ ପସନ୍ଦ ‘ଇକ୍ବିଟି’

ଭୁବନେଶ୍ବର, ଷ୍ଟକ ବଜାରରେ ଟଙ୍କା ଖଟାଇ ଅଧିକ ରିଟର୍ଣ୍ଣ ପାଇବାକୁ ଆଶା ରଖୁଥିବା ରାଜ୍ୟର ନିବେଶକମାନେ ଇକ୍ବିଟି ପାଣ୍ଠିକୁ ଅଧିକ ପସନ୍ଦ କରୁଛନ୍ତି। ଲମ୍ବା ସମୟକୁ ନଜରରେ ରଖି ଇକ୍ବିଟିରେ ନିବେଶ କଲେ ଅଧିକ ରିଟର୍ଣ୍ଣ ମିଳିଥାଏ। ଯଦିଓ ଏହି ନିବେଶରେ ବିପଦ ମାତ୍ରା ଅଧିକ ତଥାପି ରାଜ୍ୟର ଅଧିକାଂଶ ନିବେଶକ ଇକ୍ବିଟି ପାଣ୍ଠିକୁ ଅଧିକ ଗୁରୁତ୍ବ ଦେଉଥିବା ଜଣାପଡ଼ିଛି। ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡ୍‌ର ଫଣ୍ଡ୍‌ ମ୍ୟାନେଜର ସ୍ବାତୀ କୁଲକର୍ଣ୍ଣି କହିଛନ୍ତି ଯେ, ଓଡ଼ିଶାର ୩୫% ନିବେଶକ ଇକ୍ବିଟି ପାଣ୍ଠିରେ ନିବେଶ କରୁଥିବା ବେଳେ ୩୦% ଲିକ୍ବିଡିଟି ପାଣ୍ଠିକୁ ପସନ୍ଦ କରୁଛନ୍ତି। ଲିକ୍ବିଡିଟି ପାଣ୍ଠିରେ ନିବେଶ କରୁଥିବା ନିବେଶକମାନଙ୍କ ପାଖରେ ଜରୁରୀକାଳୀନ ସମୟରେ ଟଙ୍କା ଉଠାଇପାରିବାର ସୁବିଧା ରହିଛି। ସେଥିପାଇଁ ଅନେକ ଖୁଚୁରା ନିବେଶକ ଲିକ୍ବିଡିଟି ପାଣ୍ଠିରେ ଟଙ୍କା ଖଟାଉଛନ୍ତି। ରାଜ୍ୟର ୨୦% ନିବେଶକ ହାଇବ୍ରିଡ୍ ପାଣ୍ଠିରେ ଏବଂ ବଳକା ୧୫% ନିବେଶକ ଡେବ୍‌ଟରେ ନିବେଶ କରୁଛନ୍ତି। ହାଇବ୍ରିଡ୍ ପାଣ୍ଠି ହେଉଛି ଏଭଳି ଏକ ପାଣ୍ଠି ଯେଉଁଥିରେ ସଂଗ୍ରହ କରାଯାଇଥିବା ଟଙ୍କାକୁ ଉଭୟ ଇକ୍ବିଟି ଏବଂ ଡେବ୍‌ଟରେ ନିବେଶ କରାଯାଏ। ଏହା ଏକ ସନ୍ତୁଳିତ ପାଣ୍ଠି ଯେଉଁଥିରେ ଡେବ୍‌ଟର ନିବେଶ ସୁରକ୍ଷିତ ରହୁଥିବା ବେଳେ ଇକ୍ବିଟି ନିବେଶ ପ୍ରତି ବିପଦ ରହିଥାଏ। ଉଲ୍ଲେଖଯୋଗ୍ୟ, ଦେଶବିଦେଶର ସାଂପ୍ରତିକ ଅର୍ଥନୈତିକ ପରିସ୍ଥିତି ବିଷୟରେ କଂପାନିର ଚ୍ୟାନେଲ୍ ପାର୍ଟନର୍‌ ଓ ନିବେଶକମାନଙ୍କୁ ସଚେତନ କରିବା ପାଇଁ ୟୁଟିଆଇ ଏମ୍ଏଫ୍‌ ପକ୍ଷରୁ ବିଭିନ୍ନ ସହରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।

କେଉଁଠି କେତେ ଟଙ୍କା ଲାଗିଛି
ପାଣ୍ଠି ନିବେଶକ ସଂଖ୍ୟା
ଇକ୍ବିଟି ୩୫%
ଲିକ୍ବିଡିଟି ୩୦%
ହାଇବ୍ରିଡ୍ ୨୦
ଡେବ୍‌ଟ ୧୫%

ସମ୍ବନ୍ଧିତ ଖବର