ଓଡ଼ିଶା ରପ୍ତାନି ଚାମ୍ପିଅନ୍‌

ପଣ୍ୟଦ୍ରବ୍ୟ ରପ୍ତାନିରେ ସର୍ବାଧିକ ୧୧୪% ବୃଦ୍ଧି, ୯ ବର୍ଷ ହେଲା ନିରନ୍ତର ବଢ଼ୁଛି ରପ୍ତାନି

ଭୁବନେଶ୍ୱର: ରପ୍ତାନି କ୍ଷେତ୍ରରେ ଓଡ଼ିଶାକୁ ଚାମ୍ପିଅନ୍‌ ରାଜ୍ୟ ମାନ୍ୟତା ମିଳିଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଓଡ଼ିଶା ରପ୍ତାନି କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି ହାସଲ କରିଥିବାରୁ ସମସ୍ତ ରାଜ୍ୟ ମଧ୍ୟରେ ଓଡ଼ିଶାକୁ କେନ୍ଦ୍ର ସରକାର ଏହି ମାନ୍ୟତା ପ୍ରଦାନ କରିଛନ୍ତି। ଭାରତ ସରକାରଙ୍କ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟର ରପ୍ତାନି ପ୍ରଦର୍ଶନ ଓ ରଣକୌଶଳ ପ୍ରଣୟନ ସମ୍ପର୍କିତ ସମୀକ୍ଷା ବୈଠକରେ ଏହି ଘୋଷଣା କରାଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ପଣ୍ୟଦ୍ରବ୍ୟ ରପ୍ତାନି କ୍ଷେତ୍ରରେ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସର୍ବାଧିକ ୧୧୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ୨୦୧୫-୧୬ରେ ଓଡ଼ିଶାର ମୋଟ ରପ୍ତାନି ୧୯ ହଜାର ୮୨ କୋଟି ଟଙ୍କା ଥିବାବେଳେ ୨୦୧୬-୧୭ରେ ଏହା ବୃଦ୍ଧି ପାଇ ୪୦ ହଜାର ୮୭୨ କୋଟି ଟଙ୍କାରେ ପହଞ୍ଚିଛି।

୨୦୧୨-୧୩ରୁ ୨୦୧୬-୧୭ ମଧ୍ୟରେ ଆମେରିକୀୟ ଡଲାର ମୂଲ୍ୟରେ ଭାରତର ସାମଗ୍ରିକ ରପ୍ତାନି ଅଭିବୃଦ୍ଧି ୨.୦୭ ପ୍ରତିଶତ ସଙ୍କୁଚିତ ହୋଇଥିବାବେଳେ ଓଡ଼ିଶାର ରପ୍ତାନିରେ ୧୭.୬୦ ପ୍ରତିଶତ ବୃଦ୍ଧି ଘଟିଛି। ଟଙ୍କା ମୂଲ୍ୟରେ ଉପରୋକ୍ତ ସମୟ ମଧ୍ୟରେ ଭାରତର ରପ୍ତାନି ଅଭିବୃଦ୍ଧି ୩.୧୮ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ଓଡ଼ିଶାର ରପ୍ତାନି ୨୩.୮୪ ପ୍ରତିଶତ ବୃଦ୍ଧି ଘଟିଛି। ରପ୍ତାନି କ୍ଷେତ୍ରର ମୁଖ୍ୟ ସାମଗ୍ରୀ ଗୁଡ଼ିକ ହେଉଛି ଆଲୁମିନିୟମ, ଆଲୁମିନିୟମ ଉତ୍ପାଦ, ଲୁହାପଥର, ପ୍ରକ୍ରିୟାକୃତ ଖଣିଜ, ଲୌହ, ଇସ୍ପାତ, ସାମୁଦ୍ରିକ ଉତ୍ପାଦ, ରସାୟନ ଓ ସମବର୍ଗୀ ଉତ୍ପାଦ, ବସ୍ତ୍ର, ସୂଚନା ପ୍ରଯୁକ୍ତି ଓ ସୂଚନା ପ୍ରଯୁକ୍ତି ସମର୍ଥିତ ସେବା। ନୂଆ ରପ୍ତାନି ନୀତିର ଅଂଶସ୍ୱରୂପ ଓଡ଼ିଶା ଔଷଧ, ପ୍ଲାଷ୍ଟିକ, ମସଲା, ଖାଦ୍ୟଶସ୍ୟ ଓ ଜୈବ କୃଷିଜାତ ଦ୍ରବ୍ୟ ଉପରେ ଅଧିକ ଦୃଷ୍ଟି କେନ୍ଦ୍ରିତ କରିବାକୁ ଯାଉଛି। ୨୦୦୧-୦୨ରେ ରାଜ୍ୟର ରପ୍ତାନି ମାତ୍ର ୫୬୩ କୋଟି ଟଙ୍କା ଥିଲା। ୨୦୦୫ରୁ ୨୦୦୭ ମଧ୍ୟରେ ଏହା ୧୫ ଗୁଣ ବୃଦ୍ଧି ପାଇ ୮ ହଜାର ୯୧୭ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୦୮-୦୯ରୁ ଓଡ଼ିଶାରୁ ରପ୍ତାନି ନିରନ୍ତର ବୃଦ୍ଧି ପାଉଛି। ୨୦୦୮-୦୯ରେ ରାଜ୍ୟର ରପ୍ତାନି କାରବାର ୧୫ ହଜାର ୪୧୧ କୋଟି ଟଙ୍କା ଥିବାବେଳେ ୨୦୧୬-୧୭ରେ ଏହା ବୃଦ୍ଧି ପାଇ ୪୦ ହଜାର ୮୭୯ କୋଟି ଟଙ୍କାରେ ପହଞ୍ଚିଛି। ଗତ ୯ ବର୍ଷ ମଧ୍ୟରେ ରପ୍ତାନିରେ ୧୬୫ ପ୍ରତିଶତ ବୃଦ୍ଧି ପାଇଛି।

ଝାରସୁଗୁଡ଼ାର ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ, ବାଲେଶ୍ୱରର ଇନ୍‌ଲାଣ୍ଡ କଣ୍ଟେନର ଡିପୋ, ପାରାଦୀପର ପୋର୍ଟ ସାଇଟ୍‌ କଣ୍ଟେନର ଟର୍ମିନାଲରୁ ରପ୍ତାନି ଆରମ୍ଭ ହେଲେ ରପ୍ତାନି ଆହୁରି ବୃଦ୍ଧି ପାଇବ। ରପ୍ତାନି କରାଯାଉଥିବା ଦ୍ରବ୍ୟର ମାନଦଣ୍ଡ ଓ ଗୁଣାତ୍ମକ ମାନକୁ ବଜାୟ ରଖିବାରେ ରପ୍ତାନିକାରୀଙ୍କୁ ସହାୟତା ଦେବା ପାଇଁ ଉଭୟ ଏକ୍ସପୋର୍ଟ ଇନ୍‌ସପେକ୍ସନ ଏଜେନ୍ସି ଓ ଏମ୍‌ପିଇଡିଏ ପକ୍ଷରୁ ଭୁବନେଶ୍ୱରରେ ନିର୍ମାଣାଧୀନ ପରୀକ୍ଷାଗାରକୁ ବ୍ୟବସାୟ ଭିତ୍ତିରେ ଆସନ୍ତା ୨୦୧୮ ମାର୍ଚ ପୂର୍ବରୁ ଚାଲୁ କରିବା ପାଇଁ ପ୍ରଚେଷ୍ଟା ଚାଲିଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ୨୦୧୭ ଅକ୍ଟୋବର ସୁଦ୍ଧା ରାଜ୍ୟର ପଣ୍ୟଦ୍ରବ୍ୟ ରପ୍ତାନି(ସେବାକୁ ଛାଡ଼ି) ୨୨ ହଜାର କୋଟି ଟଙ୍କା ଅତିିକ୍ରମ କରିଛି।

ସମ୍ବନ୍ଧିତ ଖବର