ଓଡ଼ିଶା ମାଗିଲା ୮ ଲକ୍ଷ ୨୪ ହଜାର କୋଟି

0 1,054

ଭୁବନେଶ୍ବର, : ଓଡ଼ିଶା ଗସ୍ତରେ ଆସିଥିବା ପଞ୍ଚଦଶ ଅର୍ଥ ଆୟୋଗକୁ ଓଡ଼ିଶା ୮ ଲକ୍ଷ ୨୪ ହଜାର ୬୪୪ କୋଟି ଟଙ୍କା ମାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ଦିଆଯାଇଛି।
ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ. କେ. ସିଂହ ଓ ଅନ୍ୟ ସଦସ୍ୟମାନଙ୍କୁ ଭେଟି ସାରିବା ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ମାଗିଥିବା ମୋଟ ୮ ଲକ୍ଷ ୨୪ ହଜାର ୬୪୪ କୋଟି ଟଙ୍କା ମଧ୍ୟରୁ ପ୍ରାକ୍ ଆବଣ୍ଟନ ରାଜସ୍ବ ନିଅଣ୍ଟ ବାବଦରେ ୬ ଲକ୍ଷ ୭୧ ହଜାର ୩୬୫ କୋଟି ଟଙ୍କା, ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ ପାଇଁ ୮୭ ହଜାର ୫୨୦ କୋଟି ଟଙ୍କା, ବିପର୍ଯ୍ୟୟ ମୁକାବିଲା ବାବଦରେ ୧୧ ହଜାର ୮୭୫ କୋଟି ଏବଂ ସ୍ବାୟତ୍ତ ଶାସନ ସଂସ୍ଥା(ଉଭୟ ପଞ୍ଚାୟତିରାଜ ଓ ପୌରସଂସ୍ଥା)ଗୁଡ଼ିକୁ ୫୩ ହଜାର ୮୮୪ କୋଟି ଟଙ୍କା ଦେବା ଲାଗି ମଗାଯାଇଥିବା ଅର୍ଥ ସଚିବ ଏ. କେ. ମୀନା ସୂଚନା ଦେଇଥିଲେ।
ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଦାବି ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ପ୍ରଦାନ କରୁଥିବା ଟିକସ ରାଜସ୍ବ ବା ଭର୍ଟିକାଲ ଡିଭୋଲ୍ୟୁସନ୍‌ ପରିମାଣ ୪୨%ରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଉ। ସେହିଭଳି ରାଜ୍ୟ ରାଜ୍ୟ ମଧ୍ୟରେ ହେଉଥିବା ପାଣ୍ଠିର ବଣ୍ଟନ (ହରାଇଜଣ୍ଟାଲ ଡିଭୋଲ୍ୟୁସନ)ରେ ୧୯୭୧ ମସିହା ଜନଗଣନା ରିପୋର୍ଟର ଜନସଂଖ୍ୟାକୁ ବିଚାରକୁ ନିଆଯାଉ। ତେବେ ୧୯୭୧ କିମ୍ବା ୨୦୧୧ ମସିହାର ଜନସଂଖ୍ୟାକୁ ଆୟୋଗ ବିଚାରକୁ ନେଲେ କାହାକୁ କେତେ ଗୁରୁତ୍ବ ଦେବେ ସେ ନେଇ ମଧ୍ୟ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ୧୯୭୧ ମସିହା ଜନସଂଖ୍ୟାକୁ ଆଧାର କରାଗଲେ ଯୁଗ୍ମ ଲୋକସଂଖ୍ୟା ସୂଚୀକୁ ୨୫%, ଆୟ ପାର୍ଥକ୍ୟକୁ ୫୦%, ଯୁଗ୍ମ ଅଞ୍ଚଳ ସୂଚୀକୁ ୧୫%, ଜଙ୍ଗଲ ଅଞ୍ଚଳକୁ ୧୦% ଗୁରୁତ୍ବ ଦେବାକୁ କୁହାଯାଇଛି। ତେବେ ୨୦୧୧ ଜନସଂଖ୍ୟାକୁ ଟିକସ ବଣ୍ଟନ ପାଇଁ ଗ୍ରହଣ କରାଗଲେ ଏହି ମସିହାର ଯୁଗ୍ମ ଲୋକସଂଖ୍ୟା ସୂଚୀକୁ ୧୦%, ଲୋକସଂଖ୍ୟା ଅଭିବୃଦ୍ଧିର ହ୍ରାସକୁ ୧୫%, ଆୟ ପାର୍ଥକ୍ୟକୁ ୫୦%, ଯୁଗ୍ମ ଅଞ୍ଚଳ ସୂଚୀକୁ ୧୫% ଏବଂ ଜଙ୍ଗଲ ଅଞ୍ଚଳକୁ ୧୦% ଗୁରୁତ୍ବ ଦେବାକୁ କୁହାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଓଡ଼ିଶାକୁ ପ୍ରଦାନ କରିବା ଲାଗି ଦାବି କରାଯାଇଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଭଳି ଓଡ଼ିଶାକୁ ମଧ୍ୟ ୯୦:୧୦ ଅନୁପାତରେ ପାଣ୍ଠି ଯୋଗାଇ ଦେବାକୁ ଓଡ଼ିଶା ଅର୍ଥ ଆୟୋଗ ନିକଟରେ ଦାବି କରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ଆର୍ଥିକ ନିଅଣ୍ଟ ସମ୍ପର୍କରେ ମଧ୍ୟ ଆୟୋଗଙ୍କୁ ଅବଗତ କରାଯାଇଛି। ୨୦୨୦ରୁ ୨୦୨୫ ମଧ୍ୟରେ ରାଜ୍ୟର ରାଜସ୍ବ ନିଅଣ୍ଟ ୬,୭୧,୩୬୫ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି।

ପଞ୍ଚାୟତିରାଜ ସଂସ୍ଥା ଓ ପୌରସଂସ୍ଥାକୁ ୫% ପାଣ୍ଠି
ପଞ୍ଚାୟତିରାଜ ସଂସ୍ଥା ଓ ପୌରସଂସ୍ଥା ଗୁଡ଼ିକୁ କେନ୍ଦ୍ର ସରକାର ଏବେ କେନ୍ଦ୍ରୀୟ ପାଣ୍ଠିରୁ ୩.୦୫% ଅର୍ଥ ପ୍ରଦାନ କରୁଛନ୍ତି। ଏହି ପାଣ୍ଠିକୁ ୫%କୁ ବୃଦ୍ଧି କରିବା ଲାଗି ଓଡ଼ିଶା ଦାବି କରିଛି। ପଞ୍ଚାୟତିରାଜ ସଂସ୍ଥା ଗୁଡ଼ିକର ପାଣ୍ଠି ଆବଶ୍ୟକତା ୩୩,୫୭୪ କୋଟି ଏବଂ ପୌରସଂସ୍ଥା ଗୁଡ଼ିକର ପାଣ୍ଠି ଆବଶ୍ୟକତା ୨୦,୩୧୧ କୋଟି ଟଙ୍କା ରହିଛି ବୋଲି ଦର୍ଶାଯାଇଛି।
ବିପର୍ଯ୍ୟୟ ପରିଚାଳନା: ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଗକୁ କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)କୁ କେନ୍ଦ୍ର ସରକାର ୧୦୦ ପ୍ରତିଶତ ବହନ କରନ୍ତୁ ବୋଲି ରାଜ୍ୟ ସରକାର ଦାବି କରିଛନ୍ତି। ୨୦୨୦ରୁ ୨୦୨୫ ମଧ୍ୟରେ ଏ ବାବଦରେ ରାଜ୍ୟର ଆବଶ୍ୟକତା ୧୧୮୭୫ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ତେବେ ବିପର୍ଯ୍ୟୟ ପ୍ରଶମନ ବାବଦରେ ମୋଟ ୨୫,୭୫୨ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ଦର୍ଶାଯାଇଛି।
ଗ୍ରାଣ୍ଟ-ଇନ-ଏଡ୍‌: ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାଣ୍ଟ-ଇନ୍-ଏଡ୍ ବା ଅନୁଦାନ ନେଇ କେତେଗୁଡ଼ିଏ ପ୍ରସ୍ତାବ ଅର୍ଥ ଆୟୋଗକୁ ଦିଆଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ରାଜସ୍ବ ନିଅଣ୍ଟ ଅନୁଦାନକୁ ଉଚ୍ଛେଦ କରି ତାହା ସ୍ଥାନରେ ବିକାଶ ନିଅଣ୍ଟ ଅନୁଦାନ ବା ଡେଭଲପମେଣ୍ଟ୍ ଡେଫିସିଟ୍ ଗ୍ରାଣ୍ଟ୍ସ ପ୍ରଚଳନ କରାଯାଉ। ଏଥିରେ ପୁଞ୍ଜି ବ୍ୟୟକୁ ସାମିଲ କରିବା ଲାଗି ରାଜ୍ୟ ଦାବି କରିଛି। ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ ପାଇଁ ମଧ୍ୟ ୮୭,୫୨୦ କୋଟି ଟଙ୍କାର ଅନୁଦାନ ମଗାଯାଇଛି। ଏହି ଅନୁଦାନରେ ରାଜ୍ୟ ସରକାର ସମସ୍ତଙ୍କୁ ପାଇପରେ ପାନୀୟ ‌ଜଳ ଯୋଗାଣ, ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ପରିଚାଳନା, ଆଶ୍ରମ ସ୍କୁଲକୁ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବା, ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି, ପୁଲିସ, କାରଗାର, ଅଗ୍ନିଶମ ସେବା, ଜଙ୍ଗଲ ଅଞ୍ଚଳ ବୃଦ୍ଧି, ଦକ୍ଷତା ବିକାଶ, ଜଗନ୍ନାଥ ମନ୍ଦିର ଚତୁପାର୍ଶ୍ବରେ ଯାତ୍ରୀଙ୍କ ପାଇଁ ସୁବିଧା ବୃଦ୍ଧି ଆଦି କାର୍ଯ୍ୟ ଏହି ଅର୍ଥରେ କରାଯିବ। ଏତଦବ୍ୟତୀତ ପୁଞ୍ଜି ସମ୍ପତ୍ତି ରକ୍ଷଣାବେକ୍ଷଣ ବବାଦରେ ୭୮,୭୦୦ କୋଟି ଟଙ୍କା ଦେବାକୁ ମଧ୍ୟ କୁହାଯାଇଛି। ଆଦିବାସୀ ଲୋକ ଓ ଅଞ୍ଚଳର ବିକାଶ ଲାଗି ମଧ୍ୟ ପାଣ୍ଠି ମଗାଯାଇଛି।
ଜିଏସଟି: ଜିଏସଟି ବାବଦ କ୍ଷତିପୂରଣ ପ୍ରଦାନର ଅବଧି ଆଉ ୧୦ ବର୍ଷ ବୃଦ୍ଧି କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି। ୨୦୨୨ ଅଗଷ୍ଟରୁ ଏହି ସୀମା ବୃଦ୍ଧି କରିବା ଲାଗି କୁହାଯାଇଛି। ସବୁଜ ପରିବେଶ ସେସ୍‌କୁ ଜିଏସଟି ପରିସରରୁ କାଢ଼ି ଆଣିବା ସହିତ ସେ ବାବଦରେ ଆଦାୟ ହେଉଥିବା ଅର୍ଥକୁ କୋଇଲା ଉତ୍ପାଦନକାରୀ ରାଜ୍ୟଗୁଡ଼ିକୁ ଦେବା ଲାଗି ରାଜ୍ୟ ସରକାର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.