ପୁଞ୍ଜିନିବେଶ ପାଇଁ ୧୭୫୪ କୋଟିର ପ୍ରସ୍ତାବକୁ ମଞ୍ଜୁର କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ୧୭୫୩.୮୨ କୋଟି ଟଙ୍କା ମୂଲ୍ୟର ୬ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ମଞ୍ଜୁରି ଦେଇଛନ୍ତି। ଲୋକସେବା ଭବନ ପରିସରରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୮୭ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କର୍ତ୍ତୃପକ୍ଷ ବୈଠକରେ ପ୍ରସ୍ତାବ ଗୁଡ଼ିକୁ ଅନୁମୋଦନ ମିଳିଛି। ଏହି ୬ଟି ନିବେଶ ପ୍ରସ୍ତାବ ଦ୍ବାରା ରାଜ୍ୟରେ ୫୫୬୬ ଜଣଙ୍କ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୋଷାକ ଏବଂ ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଧାତବ ଏବଂ ଧାତବ କ୍ଷେତ୍ରର ଆନୁଷଙ୍ଗିକ ଶିଳ୍ପ, ପ୍ଲା‌ଷ୍ଟିକ୍ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଏହି ନିବେଶ ପ୍ରସ୍ତାବ ଗୁଡ଼ିକ ଆସିଛି।

ଖୋର୍ଦ୍ଧାଠାରେ ହେବାକୁ ଥିବା ପେଜ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଦ୍ବିତୀୟ ୟୁନିଟ୍‌କୁ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପରେ ମୋଟ ୨୫୭ କୋଟି ୫୦ ଲକ୍ଷ ଟଙ୍କା ନିବେଶ ହେବ। ଏଥିରେ ପ୍ରାୟ ୩୫୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିବ। ଉକ୍ତ କମ୍ପାନି ଜକି ବ୍ରାଣ୍ଡ୍‌ର ଚଡ଼ି ଏବଂ ଗଞ୍ଜି ଆଦି ପ୍ରସ୍ତୁତ କରୁଛି। ସେହିଭଳି କଟକ ଜିଲ୍ଲା ରାମଦାସପୁରଠାରେ ଜୟ ଭାରତ ସ୍ପାଇସେସ ପ୍ରାଇଭେଟ ଲିମିଟେଡର ସମ୍ପ୍ରସାରଣ ଏବଂ ଅନ୍ୟାନ୍ୟ ୟୁନିଟ ସ୍ଥାପନ ବାବଦରେ ୫୦ କୋଟି ୧୦ ଲକ୍ଷ ଟଙ୍କା ନିବେଶ ହେବ। ଉକ୍ତ ପ୍ରକଳ୍ପରେ ପ୍ରାୟ ଅଧିକ ୫୫୦ ଜଣ ଲୋକଙ୍କୁ ନିଯୁକ୍ତି ମିଳିବ। ସେଞ୍ଚୁରି ବ୍ରାଣ୍ଡ୍‌ରେ ମ୍ୟାଟ୍ରେସ ନିର୍ମାଣ କରୁଥିବା ଶ୍ରୀ ମାଲାନି ଫୋମ୍ସ ପ୍ରାଇଭେଟ ଲିମିଟେଡର ଅତିରିକ୍ତ ୧୦ କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। କମ୍ପାନି ଖୋର୍ଦ୍ଧାଠାରେ ବାର୍ଷିକ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ରିବାଉଣ୍ଡେଡ ଫୋମ୍ ବ୍ଲକ୍ (ଆରବିଏଫ) ୟୁନିଟ୍ ସ୍ଥାପନ କରିବ। ଏଥିରେ ପ୍ରାୟ ଅତିରିକ୍ତ ୨୫ ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିଭଳି ପର୍ଯ୍ୟଟନ କ୍ଷେତ୍ରରେ ଦେଓ ରେସିଡେନ୍ସି ଆଣ୍ଡ ରିସର୍ଟ ପ୍ରାଇଭେଟ ଲିମିଟେଡର ସମ୍ପ୍ରସାରଣ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲା କଳିଙ୍ଗ ନଗର ବାରଗାଡ଼ିଆଠାରେ ଥିବା ହୋଟେଲର ସମ୍ପ୍ରସାରଣ ପାଇଁ ଦେଓ ରେସିଡେନ୍ସି ୫୩ କୋଟି ୬୯ ଲକ୍ଷ ଟଙ୍କା ନିବେଶ କରିବ। ଏଥିରେ ୯୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଇମ୍ଫା ପକ୍ଷରୁ ଯାଜପୁରର କଳିଙ୍ଗ ନଗରଠାରେ ୫୪୭ କୋଟି ୧୯ ଲକ୍ଷ ଟଙ୍କାର ନିବେଶରେ ଏକ ଫେରୋକ୍ରୋମ ୟୁନିଟ୍ ଏବଂ ଏକ ପାୱାର ପ୍ଲାଣ୍ଟ ସ୍ଥାପନ ପ୍ରସ୍ତାବକୁ କର୍ତ୍ତୃପକ୍ଷ ଅନୁ‌ମୋଦନ କରିଛନ୍ତି। ଫେରୋକ୍ରୋମ ୟୁନିଟ୍‌ର ବାର୍ଷିକ ଉତ୍ପାଦନ କ୍ଷମତା ୯୬ ହଜାର ମେଟ୍ରିକ୍ ଟନ୍ ଏବଂ ପାୱାର ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୧୦ ମେଗାୱାଟ୍ ରହିଛି। ଏହି ପ୍ରକଳ୍ପରେ ୯୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିଭଳି କେନ୍ଦୁଝର ଜିଲ୍ଲାର ଉଲିବୁରୁଠାରେ ଶ୍ରୀ ଜଗନ୍ନାଥ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡର ସମ୍ପ୍ରସାରଣ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ୮୩୫.୩୪ କୋଟି ଟଙ୍କାର ନିବେଶରେ ଶ୍ରୀ ଜଗନ୍ନାଥ ଷ୍ଟିଲର ଇସ୍ପାତ ଉତ୍ପାଦନ କ୍ଷମତା ବାର୍ଷିକ ୦.୧ ନିୟୁତ ଟନ୍‌ରୁ ୦.୩ ନିୟୁତ ଟନ୍‌କୁ ବୃଦ୍ଧି ପାଇବ। ଏଥିରେ ୫୦୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବୈଠକରେ ଶିଳ୍ପ ବିଭାଗର କମିସନର ତଥା ସଚିବ ହେମନ୍ତ କୁମାର ଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର