ଓଡ଼ିଶାର ଜିଏସ୍‌ଟି ଆଦାୟ ୬୬୨୫ କୋଟି: ମିଳିଲା ୨୩୦୯ କୋଟିର କ୍ଷତିପୂରଣ

ଭୁବନେଶ୍ୱର: ଓଡ଼ିଶା ସରକାର ୬୬୨୫.୯୧ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଛନ୍ତି। ୨୦୧୭ ଜୁଲାଇରୁ ୨୦୧୮ ମାର୍ଚ ମାସ ମଧ୍ୟରେ ଏହି ଟିକସ ଆଦାୟ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି। ୨୦୧୭ ଜୁଲାଇରେ ଜିଏସ୍‌ଟି ଲାଗୁ କରାଯାଇଥିଲା।
ଆଜି ବିଧାନସଭାରେ ବିଧାୟକ ସରୋଜ କୁମାର ସାମଲଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ୨୦୧୭-୧୮ ଆର୍ଥିକ ବର୍ଷରେ ଜିଏସ୍‌ଟିରେ ବିଲୀନ ହୋଇଯାଇଥିବା କେତେକ ଟିକସ ବାବଦରେ ଓଡ଼ିଶା ୧୮୩୨.୭୪ କୋଟି ଟଙ୍କା ଆଦାୟ କରିଛି। ମୋଟ ଉପରେ ଏହି ସମୟରେ ୮୪୫୮.୬୫ କୋଟି ଟଙ୍କାର ଟିକସ ଆଦାୟ କରାଯାଇଛି। ଜିଏସ୍‌ଟି ଲାଗୁ କରାଯିବା ବେଳେ ଏହା ନିଷ୍ପତ୍ତି ହୋଇଥିଲା ଯେ ୨୦୧୭-୧୮ରେ ପ୍ରତି ମାସରେ ଓଡ଼ିଶାର ଟିକସ ଆଦାୟ ପରିମାଣ ୧୧୯୬ କୋଟି ୪୮ ଲକ୍ଷ ଟଙ୍କା ହେବ। ସେହି ଅନୁସାରେ ସାରା ଆର୍ଥିକ ବର୍ଷରେ ୧୦୭୬୮ କୋଟି ୩୨ ଲକ୍ଷ ଟଙ୍କାର ଜିଏସ୍‌ଟି ଆଦାୟ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଓଡ଼ିଶାର ପ୍ରକୃତ ଜିଏସ୍‌ଟି ଆଦାୟ ପରିମାଣ ୮୪୫୮ କୋଟି ୬୫ ଲକ୍ଷ ଟଙ୍କାରେ ସୀମିତ ରହିଯାଇଛି। ତେଣୁ ବଳକା ୨୩୦୯ କୋଟି ୬୭ ଲକ୍ଷ ଟଙ୍କା ଓଡ଼ିଶାକୁ କ୍ଷତିପୂରଣ ବାବଦରେ ମିଳିବ।
୨୦୧୮ ଫେବ୍ରୁଆରି ସୁଦ୍ଧା ୨୦୧୯ କୋଟି ଟଙ୍କାର କ୍ଷତିପୂରଣ ମିଳିସାରିଛି। ମାର୍ଚ ମାସ ବାବଦକୁ ୨୯୦ କୋଟି ୬୭ ଲକ୍ଷ ଟଙ୍କାର କ୍ଷତିପୂରଣ କେନ୍ଦ୍ର ସରକାର ଜାରି କରିଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି। କେନ୍ଦ୍ର ସରକାର ପ୍ରତି ଦୁଇ ମାସରେ ଥରେ ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରୁଛନ୍ତି। ଜିଏସ୍‌ଟି ଲାଗୁ ହେବା ପରେ ଭାଟ୍‌, ପ୍ରବେଶ ଶୁଳ୍କ, ମନୋରଞ୍ଜନ ଶୁଳ୍କ, ଜଙ୍ଗଲ ଉନ୍ନୟନ ଟିକସ, କେନ୍ଦ୍ରୀୟ ବିକ୍ରି କର ଆଦି ଟିକସ ଉଚ୍ଛେଦ ହୋଇଥିଲା। ୨୦୧୭-୧୮ରେ ଅଣ ଜିଏସ୍‌ଟି ଟିକସ ବାବଦରେ ଓଡ଼ିଶା ୮୨୮୦ କୋଟି ଟଙ୍କା ଆଦାୟ କରିଛି ଯାହା ପୂର୍ବବର୍ଷର ଆଦାୟ ରାଶି ୩୩୫୪ କୋଟି ଟଙ୍କାଠାରୁ ବହୁତ ଅଧିକ। ଯେହେତୁ ଭାରତୀୟ ତୈଳ ନିଗମ ୨୦୧୨.୩୨ କୋଟି ଟଙ୍କାର ବକେୟା ଟିକସ ରାଜ୍ୟ ସରକାରଙ୍କୁ ୨୦୧୭-୧୮ରେ ପ୍ରଦାନ କରିଥିଲା, ସେଥିପାଇଁ ଆଦାୟ ପରିମାଣ ଅଧିକ ହୋଇଛି।
ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉ। ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ ବୁଣାକାରମାନେ ଜିଏସ୍‌ଟି ପାଇଁ ହଇରାଣ ହେଉଥିବା ଉଲ୍ଲେଖ କରିଥିଲେ। ଜିଏସ୍‌ଟି ବାହାନାରେ କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଲୁଟ୍‌ କରୁଛନ୍ତି ବୋଲି ଦେବାଶିଷ ନାୟକ ଅଭିଯୋଗ କରିଥିଲେ। ବେଦପ୍ରକାଶ ଅଗ୍ରଓ୍ଵାଲ ଜିଏସ୍‌ଟି କ୍ଷତିପୂରଣ ଠିକ୍‌ ଭାବେ ମିଳିବା ନେଇ ସନ୍ଦେହ ପ୍ରକାଶ କରିଥିଲେ। ପେଟ୍ରୋଲ, ଡିଜେଲ୍‌କୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାର ଜିଏସ୍‌ଟି ପରିଷଦରେ ନେତୃତ୍ୱ ନିଅନ୍ତୁ ବୋଲି ବିଜେପି ସଭ୍ୟ ପ୍ରଦୀପ ପୁରୋହିତ କହିଥିଲେ। ନବକିଶୋର ଦାସ, ପ୍ରିୟଦର୍ଶୀ ମିଶ୍ର ଅତିରିକ୍ତ ପ୍ରଶ୍ନ କରିଥିଲେ।
ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଜିଏସ୍‌ଟି ଉପରେ ଏବେ ଶାସକ ଦଳ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି। କିନ୍ତୁ ଯେତେବେଳେ ଜିଏସ୍‌ଟି ବିଲ୍‌ ବିଧାନସଭାରେ ଉପସ୍ଥାପନ ହୋଇଥିଲା, ସେତେବେଳେ କେହି ପାଟି ଫିଟାଉ ନ ଥିଲେ। ରାଜ୍ୟର ସ୍ୱାର୍ଥ, ଲାଭକ୍ଷତି ଦେଖିବାକୁ ସେତେବେଳେ କୁହାଯାଇଥିଲେ ବି ସରକାର ସେହି ଦିଗ ପ୍ରତି ଗୁରୁତ୍ୱ ଦେଇ ନ ଥିଲେ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର