ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ

ନୂଆଦିଲ୍ଲୀ: ପ୍ରଗତି ମଇଦାନଠାରେ ଆରମ୍ଭ ହୋଇଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ୩୭ତମ ସଂସ୍କରଣରେ ଓଡ଼ିଶା ମଣ୍ଡପ ଉଦ୍‌ଘାଟିତ ହୋଇଛି। ଗ୍ରାମ୍ୟ ଉନ୍ନୟନ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ମଣ୍ଡପକୁ ଷ୍ଟାର୍ଟଅପ୍‌ ଓଡ଼ିଶା ରୂପେ ସଜ୍ଜା ଯାଇଛି। ଏଥିରେ ରାଜ୍ୟର ଶିଳ୍ପ, କଲ୍ୟାଣମୂଳକ ଯୋଜନା, ଦକ୍ଷତା ବିକାଶ ତାଲିମ ଏବଂ କାର୍ଯ୍ୟକ୍ରମ, ବୈଷୟିକ ଶିିକ୍ଷା, ପର୍ଯ୍ୟଟନ ଓ ସୂଚନା ଓ ପ୍ରଯୁକ୍ତି ସମ୍ପର୍କିତ ଷ୍ଟଲ୍‌ ସହିତ ହସ୍ତତନ୍ତ, ବୟନ ଶିଳ୍ପ ଏବଂ କୁଟୀର ଶିଳ୍ପ ବିଭାଗ ପକ୍ଷରୁ ୩୦ଟି ବିକ୍ରୟ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଯେହେତୁ ବାଣିଜ୍ୟ ମେଳାରେ ଥିବା ସ୍ଥାୟୀ ଓଡ଼ିଶା ପାଭିଲିଅନ୍‌କୁ ଭାଙ୍ଗି ଦିଆଯାଇଛି ସେଥିପାଇଁ ଏଥର ହ୍ୟାଙ୍ଗର ନିର୍ମାଣ କରି ଓଡ଼ିଶା ମଣ୍ଡପ ପ୍ରତିଷ୍ଠା କରାଯାଇଛି।

ଏହି ମଣ୍ଡପ ଜରିଆରେ ସରକାରଙ୍କ ସଫଳତା ଏବଂ ଉପଲବ୍ଧିଗୁଡ଼ିକର ପ୍ରସାର ପ୍ରଚାର କରିବା ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ କରାଯାଇଛି। ପ୍ରଗତି ମଇଦାନର ହଂସଧ୍ୱନୀ ଥିଏଟରରେ ଚଳିତ ମାସ ୨୨ରେ ଓଡ଼ିଶା ରାଜ୍ୟ ଦିବସ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ଓଡ଼ିଶା ମଣ୍ଡପ ଉଦ୍‌ଘାଟନ ଅବସରରେ ମୁଖ୍ୟ ଆବାସିକ କମିସନର ସୁନୀଲ ଭାର୍ଗଭ, ଏମ୍‌ଏସ୍‌ଏମ୍‌ଇ ସଚିବ ଡକ୍ଟର ଏଲ୍‌ ଏନ୍‌ ଗୁପ୍ତା, ଆବାସିକ କମିସନର ସଞ୍ଜୀବ କୁମାର ମିଶ୍ର, ଅତିରିକ୍ତ ଆବାସିକ କମିସନର ତ୍ରୀବିକ୍ରମ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦେଶକ ବିପିନ ବିହାରି ବାରିକ ଏବଂ ଓଡ଼ିଶା ମଣ୍ଡପର ନିର୍ଦେଶକ ରବିନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର