ଆନୁଷଙ୍ଗିକ ଆଲୁମିନିୟମ ଶିଳ୍ପରେ ନିବେଶ ଚାହୁଛି ଓଡ଼ିଶା

ଭୁବନେଶ୍ୱର: ଆଲୁମିନିୟମକୁ ବ୍ୟବହାର କରି ବିଭିନ୍ନ ଉତ୍ପାଦ ଓଡ଼ିଶା ଭିତରେ ଉତ୍ପାଦନ କରିବା ଉପରେ ସରକାର ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଆନୁଷଙ୍ଗିକ ଆଲୁମିନିୟମ କ୍ଷେତ୍ରରେ ଏବେ ଅଧିକ ପୁଞ୍ଜିନିବେଶ ଚାହୁଁଛି ଓଡ଼ିଶା। ସେଥିପାଇଁ ୭୦ରୁ ଅଧିକ କଂପାନି ସହିତ ସରକାର ଆଲୋଚନା କରିଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ସେମାନଙ୍କୁ ଆହ୍ଵାନ ଦିଆଯାଇଛି।
ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓ ରାଜ୍ୟ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଆଲୁମିନିୟମ ସମ୍ପର୍କିତ କାର୍ଯ୍ୟକ୍ରମରେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ଆମେ ଅନୁଗୁଳ ଆଲୁମିନିୟମ ପାର୍କ ପାଇଁ ଅନେକ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛୁ ଏବଂ ଏହି ପ୍ରକଳ୍ପ ଜରିଆରେ ୧୫୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।
ବିଗତ ପାଞ୍ଚ ବର୍ଷ ଭିତରେ ଆନୁଷଙ୍ଗିକ ଆଲୁମିନିୟମ୍‌ କ୍ଷେତ୍ର ପାଇଁ ୮୯୩ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି। ବାହାରେନ୍‌ର କଂପାନି ମିଡାଲ୍‌ କେବୁଲ୍‌ ଏବଂ ଗ୍ରିଡ୍‌ କଣ୍ଡକ୍ଟର ଭଳି ସଂସ୍ଥା ପୁଞ୍ଜିନିବେଶ ପ୍ରସ୍ତାବ ପ୍ରଦାନ କରିଛନ୍ତି।

ଏହି ଅବସରରେ ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ତଥା ନାଲ୍‌କୋର ସିଏମ୍‌ଡି ତପନ କୁମାର ଚାନ୍ଦ କହିଛନ୍ତି ଯେ ଓଡ଼ିଶାରେ ନିବେଶକମାନେ ବିକଶିତ ଜମି, ବିଦ୍ୟୁତ ଶକ୍ତି ଏବଂ ତାଲିମ ସୁବିଧା ପାଇବେ। କାରଖାନା ସ୍ଥାପନ କରିବାରେ ନିବେଶକମାନଙ୍କୁ ସରକାର ବିଭିନ୍ନ ପ୍ରକାର ସହାୟତା ଯୋଗାଇୁ ଦେବେ। ଆନୁଷଙ୍ଗିକ ଶିଳ୍ପକୁ ନାଲ୍‌କୋ ସବୁ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ସେ କହିଛନ୍ତି। ନାଲ୍‌କୋ ଏବଂ ଇଡ୍‌କୋ ପକ୍ଷରୁ ୨୨୩ ଏକର ଜମିରେ ଅନୁଗୁଳ ଆଲୁମିନିୟମ ପାର୍କକୁ ବିକଶିତ କରାଯାଉଛି।
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ସିଇଓ ଅଭିଜିତ ପତି କହିଛନ୍ତି ଯେ ପ୍ରସ୍ତାବିତ ୨୫୦ ଏକର ଆଲୁମିନିୟମ ପାର୍କ ଜରିଆରେ ଆନୁଷଙ୍ଗିକ କ୍ଷେତ୍ର ପାଇଁ ପୁଞ୍ଜିନିବେଶ ହାସଲ କରାଯାଇପାରିବ। ଆନୁଷଙ୍ଗିକ କ୍ଷେତ୍ରର କଂପାନିମାନଙ୍କୁ ବେଦାନ୍ତ ୩୦୦ କେଟି ତରଳ ଆଲୁମିନିୟମ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଏହା ଦ୍ୱାରା ୧୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିପାରିବ, ୧୭୦୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ରାଜକୋଷକୁ ୯୦୦ କୋଟି ଟଙ୍କାର ରାଜସ୍ୱ ମିଳିପାରିବ ବୋଲି ସେ କହିଛନ୍ତି।
ଏହି ଅବସରରେ ଅନୁଗୁଳ ଆଲୁମିନିୟମ ପାର୍କର ସିଇଓ ଏସ୍‌ କେ ମହାନ୍ତି, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ରାଜେଶ କେ ଗୁପ୍ତା ଏବଂ ବିଭିନ୍ନ ପ୍ରତିଷ୍ଠିତ କଂପାନିର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର