ମତ୍ସ୍ୟଚାଷ ପାଇଁ ଓଡ଼ିଶା ଦେଇଛି ୩.୩ କୋଟି ସବ୍‌ସିଡି

ଡବ୍ଲୁଟିଓକୁ ଜଣାଇଲା ଭାରତ

ନୂଆଦିଲ୍ଲୀ: ଭାରତର ମତ୍ସ୍ୟଚାଷ ସବ୍‌ସିଡିକୁ ନେଇ ଅନେକ ଦେଶ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ନିକଟରେ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକୁ ଆଧାର କରି ଡବ୍ଲୁଟିଓ ପକ୍ଷରୁ ଭାରତ ସରକାରଙ୍କୁ ଏ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ଭାରତ ପକ୍ଷରୁ ଦାଖଲ କରାଯାଇଥିବା ତାଲିକାରୁ ଜଣାପଡ଼ିଛି ଯେ, ୨୦୧୮-୧୯ରେ ଓଡ଼ିଶା ସରକାର ମତ୍ସ୍ୟଚାଷ ପାଇଁ ୩.୩ କୋଟି ଟଙ୍କାର ସବ୍‌ସିଡି ପ୍ରଦାନ କରିଛନ୍ତି। ଦିଗ ନିରୂପଣ ଯନ୍ତ୍ର ଠାରୁ ଆରମ୍ଭ କରି ହାଇସ୍ପିଡ୍ ଡିଜେଲ୍ ଉପରେ ବିକ୍ରି କର, ପାରମ୍ପରିକ ବୋଟ୍‌ଗୁଡ଼ିକୁ ମୋଟର ଚାଳିତ ବୋଟ୍‌ରେ ପରିଣତ କରିବା, ମାଛମରା ବୋଟ୍‌ ପାଇଁ ଡିଜେଲ୍ କିଣିବା ବେଳେ ବିକ୍ରି କର ଫେରସ୍ତ କରିବା ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ବ୍ୟବହାର କରୁଥିବା କିରାସିନି ଉପରୁ ବିକ୍ରି କର ଉଚ୍ଛେଦ କରିବା ଭଳି ବିଭିନ୍ନ ପ୍ରକାରରେ ଏହି ସବ୍‌ସିଡି ମତ୍ସ୍ୟଚାଷ ପାଇଁ ପ୍ରଦାନ କରାଯାଇଛି। ମତ୍ସ୍ୟ ଚାଷ ପାଇଁ ସର୍ବାଧିକ ୨୪୭ କୋଟି ଟଙ୍କାର ସବ୍‌ସିଡି ଗୁଜରାଟ ପ୍ରଦାନ କରିଛି। ଏହି ତାଲିକାର ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ କର୍ଣ୍ଣାଟକ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ରହିଛନ୍ତି।

ଡବ୍ଲୁଟିଓକୁ ଦିଆଯାଇଥିବା ତାଲିକାରୁ ଜଣାପଡ଼ିଛି ଯେ, ମହାରାଷ୍ଟ୍ର, କେରଳ, ଗୋଆ ଓ ପଶ୍ଚିମବଙ୍ଗ ମଧ୍ୟ ମତ୍ସ୍ୟ ଚାଷ ପାଇଁ ବିପୁଳ ପରିମାଣର ସବ୍‌ସିଡି ପ୍ରଦାନ କରିଛନ୍ତି। ମତ୍ସ୍ୟ ଚାଷ ପାଇଁ ଭାରତ ଦେଉଥିବା ସବ୍‌ସିଡି ତୁରନ୍ତ ବନ୍ଦ କରିବାକୁ ବିଭିନ୍ନ ଦେଶ ଦାବି କରୁଛନ୍ତି। ଅନ୍ୟ ପକ୍ଷରେ ଭାରତ ଭଳି ନିମ୍ନ ଆୟ ବର୍ଗର ଦେଶ ନିଜ ଗରିବ ମତ୍ସ୍ୟଚାଷୀଙ୍କ ଆୟ ଓ ଜୀବନଜୀବିକାକୁ ସୁରକ୍ଷିତ ରଖିବା ପାଇଁ ଏହି ସବ୍‌ସିଡି ଦିଆଯିବା ନିହାତି ଜରୁରୀ ବୋଲି କହୁଛନ୍ତି। କେବଳ ମତ୍ସ୍ୟ ଚାଷ ନୁହେଁ ଚିନି ଉପରେ ଭାରତ ପ୍ରଦାନ କରୁଥିବା ସବ୍‌ସିଡିକୁ ନେଇ ମଧ୍ୟ ବ୍ରାଜିଲ୍ ଓ ଅଷ୍ଟ୍ରେଲିଆ ଡବ୍ଲୁଟିଓରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର