ଏଲଆଇସିକୁ ଆଇଡିବିଆଇ ବ୍ୟାଙ୍କର ଅଂଶଧନବିକ୍ରିକୁ  ଅଫିସର ସଂଘର ବିରୋଧ

ନୂଆଦିଲ୍ଲୀ : ଦେଶର ବୃହତ୍ତମ ବୀମା କମ୍ପାନି ଏଲଆଇସି କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ ବ୍ୟାଙ୍କ ଆଇଡିବିଆଇ ବ୍ୟାଙ୍କର ୫୧ ପ୍ରତିଶତ ଅଂଶଧନ ଖରିଦ କରିବାକୁ  ଯୋଜନା ଚାଲିଛି । କିନ୍ତୁ ଏହାକୁ ବ୍ୟାଙ୍କର କର୍ମଚାରୀ ଓ ଅଫିସର ସଂଘ ତୀବ୍ର ବିରୋଧ କରିଛି ।  ଅଲ ଇଣ୍ଡିଆ ଆଇଡିବିଆଇ ଅଫିସର୍ସ ସଂଘ ପକ୍ଷରୁ କୁହାଯାଇଛି ଯେ ୨୦୦୩ରେ ଆଇଡିଆବିଆଇର ଅଂଶଧନ ପ୍ରତ୍ୟାହାର ବେଳେ ତତକାଳୀନ ଏନଡିଏ ସରକାର ପ୍ରତିଶୃତି ଦେଇଥିଲେ ଯେ ଏହି ବ୍ୟାଙ୍କରୁ ସରକାରଙ୍କ ଅଂଶଧନ କେବେହେଲେ ମଧ୍ୟ ୫୧ ପ୍ରତିଶତ ତଳକୁ ଅଣାଯିବ ନାହିଁ । କିନ୍ତୁ ଏବେ ସରକାର ଏଲଆଇସିକୁ ୫୧ ପ୍ରତିଶତ ଅଂଶଧନ ବିକିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ ଯେ ଆଇଡିବିଆଇ ବ୍ୟାଙ୍କର ୫୧ ପ୍ରତିଶତ ଅଂଶଧନ ଖରିଦ କରିବାକୁ ଏଲଆଇସିକୁ ବୀମା ନିୟାମକ ଆଇଆରଡିଏ ଅନୁମତି ଦେଇସାରିଛି । ଏହାକୁ ଏକ ସ୍ୱତନ୍ତ୍ର ମାମଲା ଭାବେ ବିଚାର କରି ଆଇଆରଡିଏ ଏହି ନିଷ୍ପତ୍ତି ନେଇଛି । କାରଣ ଆଇଆରଡିଏର ନିୟମ ଅନୁସାରେ କୌଣସି ବୀମା କମ୍ପାନି କୌଣସି କମ୍ପାନି ବା ବ୍ୟାଙ୍କର ୧୫ ପ୍ରତିଶତରୁ ଅଧିକ ଅଂଶଧନ କିଣିପାରିବେ ନାହିଁ । କିନ୍ତୁ ଆଇଡିବିଆଇକୁ ଉଦ୍ଧାର କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଥିବାରୁ ଆଇଆରଡିଏ ଏହାକୁ ସ୍ୱତନ୍ତ୍ରଭାବେ ମଂଜୁର କରିଛି । ଆସନ୍ତା କିଛି ଦିନ ମଧ୍ୟରେ ଏଲଆଇସି ଏହି ଅଂଶଧନ ଖରିଦ, ପୁଞ୍ଜିଭର୍ତ୍ତି, ସବସୀଡାରୀ ଢାଞ୍ଚା ଆଦି ସଂପର୍କରେ ସବିଶେଷ ପ୍ରସ୍ତାବ ପ୍ରଦାନ କରିବ । କିନ୍ତୁ ପରବର୍ତ୍ତି କାଳରେ ଏଲଆଇସି ନିଜର ଅଂଶଧନକୁ ୧୫ ପ୍ରତିଶତକୁ ହ୍ରାସ କରିବ । କିଛିଦିନ ପୂର୍ବରେ ଷ୍ଟେଟ ବ୍ୟାଙ୍କର ଏମଡି ଏସ.ଶ୍ରୀରାମ ଇସ୍ତଫା ଦେଇଛନ୍ତି । ତାଙ୍କୁ ଆଇଡିବିଆଇର ସିଇଓ ତଥା ଏମଡି ନିଯୁକ୍ତ କରାଯାଇଛି ।

ସମ୍ବନ୍ଧିତ ଖବର