ନୂଆଦିଲ୍ଲୀ: ଋଣ ସଙ୍କଟରେ ଫସିଥିବା ଆଇଏଲ୍ ଆଣ୍ଡ୍ ଏଫ୍ଏସ୍ କମ୍ପାନିକୁ ସରକାର ଶେଷରେ ଆଜି ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏକ ୬ ଜଣିଆ କମିଟିକୁ କମ୍ପାନିର ପରିଚାଳନା ଭାର ହସ୍ତାନ୍ତର କରାଯାଇଛି। ଏଥିରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଏମ୍ଡି ଉଦୟ କୋଟାକ, ଟେକ୍ ମହିନ୍ଦ୍ରା ମୁଖ୍ୟ ବିନିତ ନାୟାର, ସେବିର ପୂର୍ବତନ ମୁଖ୍ୟ ଜି ଏନ ବାଜପେୟୀ, ଆଇସିଆଇସିଆଇ ବ୍ୟାଙ୍କର ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜି ସି ଚତୁର୍ବେଦୀ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମାଳିନୀ ଶଙ୍କର ଏବଂ ନନ୍ଦ କିଶୋରଙ୍କୁ ସଦସ୍ୟଭାବେ ରଖାଯାଇଛି। ନୂଆକରି ଗଠନ ହୋଇଥିବା ବୋର୍ଡର ବୈଠକ ଆସନ୍ତା ୮ ତାରିଖ ସୁଦ୍ଧା ଅନୁଷ୍ଠିତ ହେବ। ଏଥିସହିତ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଟି)କୁ ବୋର୍ଡ ରିପୋର୍ଟ ପ୍ରଦାନ କରିବ। ଏନସିଏଲଟିରେ ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୩୧ ତାରିଖରେ ହେବ। ସମସ୍ୟା ସମାଧାନ ନେଇ ପ୍ରସ୍ତୁତ ହୋଇଥିବା ନକ୍ସା ଉପରେ ହିଁ ସେହିଦିନ ଶୁଣାଣି କରାଯିବ। ସରକାର ଆଇଏଲ ଆଣ୍ଡ ଏଫଏସର ବୋର୍ଡକୁ ଭାଙ୍ଗି ଦେବାକୁ କରିଥିବା ଆବେଦନକୁ ଏନସିଏଲଟି ଅନୁମତି ପ୍ରଦାନ କରିଛନ୍ତି। ପୁରୁଣା ନିର୍ଦେଶକମାନେ ରହିଲେ ତାହା କମ୍ପାନି ପାଇଁ ହାନିକାରକ ହେବା ସହିତ ଜନସାଧାରଣଙ୍କ କୌଣସି ସ୍ବାର୍ଥ ସାଧନ ହେବନାହିଁ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଶନିବାର ଆଇଏଲ୍ ଆଣ୍ଡ୍ ଏଫ୍ଏସ୍ର ସେୟାରଧାରକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସେୟାରଧାରକମାନେ କମ୍ପାନିକୁ ଋଣ ଓ ଇକ୍ବିଟି ମାଧ୍ୟମରେ ପାଣ୍ଠି ସଂଗ୍ରହ ପାଇଁ ଅନୁମତି ଦେଇଛନ୍ତି ବୋଲି ରବିବାର େଘାଷଣା କରାଯାଇଥିଲା। ଏହି ଘୋଷଣା ପରଦିନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ପୂର୍ବରୁ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଋଣ ପରିଶୋଧ ନେଇ ଏକ ପୁନର୍ଗଠନ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଯୋଜନା ମୁତାବକ କମ୍ପାନିର ସମ୍ପତ୍ତି ବିକ୍ରି ଓ ରାଇଟ୍ସ ଇସ୍ୟୁ କରାଯାଇ ଋଣ ପରିଶୋଧ କରାଯିବ ବୋଲି କୁହାଯାଇଥିଲା। ଆଇଏଲ୍ ଆଣ୍ଡ୍ ଏଫ୍ଏସ୍ ଉପରେ ୯୧ ହଜାର କୋଟି ଟଙ୍କାରୁ ଊର୍ଧ୍ବ ଋଣ ବୋଝ ରହିଛି। ଏହା ମଧ୍ୟରୁ ଏକାଧିକ ଋଣ ପରିଶୋଧ କରିବାରେ ଆଇଏଲ୍ ଆଣ୍ଡ୍ ଏଫଏସ୍ ବିଫଳ ହୋଇଛି।
ରାହୁଲ-ଜେଟ୍ଲୀ ମୁହାଁମୁହିଁ
ଆଇଏଲ ଆଣ୍ଡ ଏଫଏସ ପ୍ରସଙ୍ଗକୁ ନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମୁହାଁମୁହିଁ ହୋଇଛନ୍ତି। ରାହୁଲ ଏହାକୁ ଏକ ସ୍କାମ ବା ଦୁର୍ନୀତି କହିଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଜେଟଲୀ। ଜେଟଲୀ କହିଛନ୍ତି, ରାହୁଲଙ୍କ ଏହା ବିକୃତ ଚିନ୍ତାଧାରା। ରାହୁଲ କଂଗ୍ରେସର ବରିଷ୍ଠ ନେତାମାନଙ୍କଠାରୁ ଏ ନେଇ ଜ୍ଞାନ ନେବା ଉଚିତ ବୋଲି ଜେଟଲି କହିଛନ୍ତି। ଆଇଏଲ ଆଣ୍ଡ ଏଫଏସ ପ୍ରସଙ୍ଗରେ କଂଗ୍ରେସ ଭୁଲ ସୂଚନା ପ୍ରସାର କରୁଥିବା ଜେଟଲି କହିଛନ୍ତି। ଅତୀତରେ କଂଗ୍ରେସ ନେତା କେ ଭି ଥୋମାସ ଆଇଏଲ ଆଣ୍ଡ ଏଫଏସକୁ ଉଦ୍ଧାର କରିବା ପାଇଁ ଲେଖିଥିବା ଚିଠିକୁ ରାହୁଲ ପଢ଼ନ୍ତୁ ବୋଲି ଅର୍ଥମନ୍ତ୍ରୀ ଜେଟଲି େଫସବୁକ ପୋଷ୍ଟରେ କହିଛନ୍ତି।
କାହା ହାତରେ କେତେ ଅଂଶଧନ
ଏଲଆଇସି ହାତରେ ଆଇଏଲ୍ ଆଣ୍ଡ୍ ଏଫ୍ଏସ୍ର ସର୍ବାଧିକ ଅଂଶଧନ ରହିଛି। ଏହି କମ୍ପାନି ପାଖରେ ୨୫.୩୪% ଅଂଶଧନ ରହିଛି। ଏହା ପଛକୁ ଅନ୍ୟ ବଡ଼ ଅଂଶଧନଧାରୀମାନଙ୍କ ମଧ୍ୟରେ ରହିଛନ୍ତି ଜାପାନର ଓରିକ୍ସ କର୍ପୋରେସନ। ଓରିକ୍ସ ନିକଟରେ ୨୩.୫୪% ଅଂଶଧନ ଅଛି। ଏହାବ୍ୟତୀତ ଆବୁ ଧାବି ଇନଭେଷ୍ଟମେଣ୍ଟ ଅଥରିଟି ହାତରେ ୧୨.୫୬%, ଭାରତୀୟ ଷ୍ଟେଟ ବ୍ୟାଙ୍କ ହାତରେ ୬.୫୨% ଓ ଅନ୍ୟ କେତେକ ସଂସ୍ଥା ହାତରେ ଅବଶିଷ୍ଟ ଅଂଶଧନ ରହିଛି।
ସତ୍ୟମ ପରେ ଦ୍ବିତୀୟ କଂପାନି
ଆଇଏଲ୍ଆଣ୍ଡ୍ଏଫ୍ଏସ୍ ହେଉଛି ଦ୍ବିତୀୟ କଂପାନି ଯାହାର ମାଲିକାନାକୁ ସରକାର ନିଜ କବ୍ଜାକୁ ନେଇଛନ୍ତି। ଏହା ପୂର୍ବରୁ ୨୦୦୯ରେ ସତ୍ୟମ କମ୍ପ୍ୟୁଟର୍ସ ମାମଲାରେ ଉପା ସରକାର ଏପ୍ରକାର ହସ୍ତକ୍ଷେପ କରିଥିଲେ। ଏଚଡିଏଫସିର ଅଧ୍ୟକ୍ଷ ଦୀପକ ପାରେଖଙ୍କ ଅଧ୍ୟକ୍ଷତାରେ ଏକ ନୂଆ ବୋର୍ଡ ଗଠନ କରିଥିଲେ। ସତ୍ୟମର ପ୍ରତିଷ୍ଠାତା ବି ରାମଲିଙ୍ଗା ରାଜୁ କମ୍ପାନିର ଘୋଟାଲା ସମ୍ପର୍କରେ ୨୦୦୯ ଜାନୁଆରିରେ ତଥ୍ୟ ରଖିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ କଂପାନିର ମାଲିକାନାକୁ ସରକାର ନିଜ ହାତକୁ ନେଇଯାଇଥିଲେ ଓ କିଛି ଦିନ ପରେ ତାହାକୁ ନିଲାମ କରାଇଥିଲେ।