୧୫ ଦିନ ହେ‌ଲା ବଦଳିନି ତେଲ ଦର, ଆଜିଠୁ ଦେଶବ୍ୟାପୀ ବିଏସ୍‌-୬ ମାନର ତେଲ ବିକ୍ରି

ଭୁବନେଶ୍ବର: ଗତ ୧୬ ତାରିଖରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨୦ ଡଲାର ପାଖାପାଖି ସ୍ତରକୁ କମି ଯାଇଥିଲେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦରରେ ଏହାର ପ୍ରତିଫଳନ ଦେଖିବାକୁ ମିଳୁନାହିଁ। ବିଭିନ୍ନ ରାଜ୍ୟର ନିର୍ବାଚନ ସମୟରେ ‌ତେଲ କମ୍ପାନି ଗୁଡ଼ିକ ସରକାରଙ୍କ ଅଲିଖିତ ନିର୍ଦ୍ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରି ନଥାନ୍ତି ବର୍ତ୍ତମାନ ସେହିଭଳି ‌ହୋଇଛି। ନିକଟରେ ସଂସଦରେ ଗୃହୀତରେ ହୋଇଥିବା ଅର୍ଥ ବିଲଥ ୨୦୨୦ରେ ସଂଶୋଧନ ଅଣାଯାଇଛି। ଏଥିରେ ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦ ଶୁଳ୍କକୁ ବଢ଼ାଇବା କ୍ଷମତା ସରକାରଙ୍କୁ ପ୍ରଦାନ କରାଯାଇଛି। ଲିଟର ପିଛା ୮ ଟଙ୍କା ବୃଦ୍ଦି ଅନୁମତି ପ୍ରଦାନ କରାଯାଇଛି। ପୂର୍ବରୁ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୧୦ ଟଙ୍କା ଆଦାୟ କରିବା ଅନୁମତି ସରକାର ପାଇଥିବାବେଳେ ଏବେ ୧୮ ଟଙ୍କା ଆଦାୟ କରିବା କ୍ଷମତା ମିଳିଯାଇଛି। ସେହିଭଳି ଡିଜେଲର ଉତ୍ପାଦ ଶୁଳ୍କ ୪ ଟଙ୍କା ଆଦାୟ କରିବା କ୍ଷମତା ଥିବାବେଳେ ଏବେ ୧୨ ଟଙ୍କା ଆଦାୟ କରିବା କ୍ଷମତା ମିଳିଯାଇଛି। ଫଳରେ ସରକାର ଯେକୌଣସି ସମୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିପାରନ୍ତି।

କରୋନା ପାଇଁ ଦେଶରେ ତେଲର ଚାହିଦା ହ୍ରାସ ପାଇଛି। ଏହା ଦ୍ବାରା ପେଟ୍ରୋଲ, ଡିଜେଲ ଆଦିର ବିକ୍ରି କମିଛି। ଫଳରେ ସରକାର ଆବଶ୍ୟକ ପରିମାଣର ଶୁଳ୍କ ଏ ବାବଦରେ ପାଇ ପାରୁନାହାନ୍ତି। ତେଣୁ ଆଗାମୀ ଦିନରେ ଶୁଳ୍କ ବୃଦ୍ଧି କରି ଟିକସ ଆଦାୟ ହ୍ରାସକୁ ଭରଣା କରିପାରନ୍ତି। ଅଶୋଧିତ ତେଲ ଦର କମିଥିଲେ ମଧ୍ୟ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ଏତେଦିନ ଧରି ନ କମାଇବା ପଛର ଏହା ଏକ ବଡ଼ କାରଣ ବୋଲି ବଜାର ବିଶ୍ଳେଷକମାନେ ମତ ଦେଉଛନ୍ତି। ତେଲ ଦର ନକମିବାର ଅନ୍ୟ ଏକ କାରଣ ହେଲା ତେଲ କମ୍ପାନି ଗୁଡ଼ିକ ବିଏସ-୬ ମାନଦଣ୍ଡର ତେଲ ଉତ୍ପାଦନ କରିବା ପାଇଁ ବିଶୋଧନାଗାରର ଆଧୁନିକୀକରଣ ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ କରିଛନ୍ତି। ସେ ବାବଦ ଅର୍ଥ ଗ୍ରାହକଙ୍କଠାରୁ ଆଦାୟ କରିବା ପାଇଁ ମଧ୍ୟ କମ୍ପାନି ଗୁଡ଼ିକ ଉଦ୍ୟମ କରିବେ। ତେଣୁ ଉଭୟ ଉତ୍ପାଦ ଶୁଳ୍କ ବୃଦ୍ଧି ଏବଂ ତୈଳ କମ୍ପାନିଙ୍କ ବିଏସ-୬ ବାବଦ ନିବେଶ କାରଣରୁ ଗତ ୧୬ ଦିନ ହେଲା ‌ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସର ଲାଭରୁ ଗ୍ରାହକ ବଞ୍ଚିତ କରାଯାଇ ଥାଇପାରେ ବୋଲି କୁହାଯାଇଛି। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ଙ୍କୁ ପଚାରିବାରୁ ସେ କୁହନ୍ତି, ସରକାର ବୋଧହୁଏ ଉତ୍ପାଦ ଶୁଳ୍କ ନିକଟ ଭବିଷ୍ୟତରେ ବୃଦ୍ଧି କରିପାରନ୍ତି। ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି କରିଲେ ମଧ୍ୟ ତେଲ କମ୍ପାନି ଗୁଡ଼ିକ ଦର ବୃଦ୍ଧି ନକରି ଏହାକୁ ସେହି ସ୍ତରରେ ରଖିବା ସମ୍ଭାବନା ରହିଛି। ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ଏତେଦିନ ଧରି ସ୍ଥିର ରହିବା ଏହାର ଏକ ପ୍ରମୁଖ କାରଣ ହୋଇପାରେ ବୋଲି ସେ କହିଛନ୍ତି। ଏଥିସହିତ ତେଲ କମ୍ପାନି ଗୁଡ଼ିକ ବିଏସ୍‌-୬ ତେଲ ଉତ୍ପାଦନ ବାବଦରେ ଯେଉଁ ନିବେଶ କରିଛନ୍ତି ତାହାକୁ ଗ୍ରାହକଙ୍କ ଉପରେ ଲଦିଥାନ୍ତେ। ଅଶୋଧିତ ତେଲ ଦର କମ୍ ସ୍ତରରେ ଥିବାରୁ ତେଲ ଦର ଯେତିକି କମ୍‌ରେ ଗ୍ରାହକ ପାଇଥାନ୍ତେ ତାହା ନକରି ବିଏସ୍‌-୬ ତେଲ ଉତ୍ପାଦନ ବାବଦ ବୋଝକୁ ମଧ୍ୟ ଗ୍ରାହକଙ୍କ ଉପରେ ଲଦିପାରନ୍ତି। ତେଣୁ ତେଲ ଦର ଏତେଦିନ ହେଲା ଏହି ସ୍ତରରେ ସ୍ଥିର ରହିଥିବା ନେଇ ଅନୁମାନ କରାଯାଇ ପାରିବ ବୋଲି ଶ୍ରୀ ଲାଠ୍ ମତ ଦେଇଛନ୍ତି।

ଆଜିଠୁ ଦେଶବ୍ୟାପୀ ବିଏସ୍‌-୬ ମାନର ତେଲ ବିକ୍ରି
ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ପହିଲାରୁ ଦେଶର ସମସ୍ତ ପେଟ୍ରୋଲ ପମ୍ପ ଗୁଡ଼ିକରେ କମ୍ ପ୍ରଦୂଷଣଯୁକ୍ତ ବିଏସ୍‌-୬ ମାନଦଣ୍ଡର ପେଟ୍ରୋଲ ଏବଂ ଡିଜେଲ ମିଳିବ। ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦିବସ ଧାର୍ଯ୍ୟ କରାଯାଇଥିଲା। ଏଥିପାଇଁ କମ୍ପାନି ଗୁଡ଼ିକ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିସାରିଥିଲେ। ବିଶୋଧନାଗାର ଗୁଡ଼ିକରେ ବିଏସ-୬ ମାନଦଣ୍ଡର ତେଲ ଉତ୍ପାଦନ କରିବା ସହିତ ପେଟ୍ରୋଲ ପମ୍ପରେ ପହଞ୍ଚାଇବା ପାଇଁ ପଦକ୍ଷେପ ନେଇଥିଲେ। ସେହି ଅନୁଯାୟୀ, ଏପ୍ରିଲ ୧ ତାରିଖରୁ ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ବିଏସ-୬ ମାନଦଣ୍ଡର ପେଟ୍ରୋଲ ଏବଂ ଡିଜେଲ ଗ୍ରାହକ ପାଇବେ। ତେବେ ଏହି ମାନଦଣ୍ଡର ତେଲ ଉତ୍ପାଦନ ପାଇଁ କମ୍ପାନି ଗୁଡ଼ିକ ବିଶୋଧନାଗାର ଗୁଡ଼ିକରେ ବିପୁଳ ପରିମାଣର ଅର୍ଥ ମଧ୍ୟ ନିବେଶ କରିଛନ୍ତି। ତେଣୁ ଆଗାମୀ ଦିନରେ କମ୍ପାନି ଗୁଡ଼ିକ ଏହି ନିବେଶର ବୋଝକୁ ଗ୍ରାହକଙ୍କ ଉପରେ ଲଦିବା ଆଶଙ୍କା ମଧ୍ୟ ରହିଛି। ବିଏସ୍‌-୪ ମାନଦଣ୍ଡର ତେଲରେ ୫୦ ପିପିଏମ୍‌ର ସଲଫର ରହୁଥିବାବେଳେ ବିଏସ-୬ ମାନଦଣ୍ଡର ପେଟ୍ରୋଲ ଏବଂ ଡିଜେଲରେ ୧୦ପିପିଏମ୍‌ର ସଲଫର ରହିବ। ଏଥିଯୋଗୁଁ ପରିବେଶ କମ୍ ପ୍ରଦୂଷଣ ହେବ। ଗାଡ଼ି କମ୍ପାନି ଗୁଡ଼ିକ ମଧ୍ୟ ସେହି ଅନୁଯାୟୀ ଏପ୍ରିଲ ପହିଲାରୁ ବିଏସ-୬ ଇଞ୍ଜିନ ଯୁକ୍ତ ଗାଡ଼ି ବିକ୍ରି କରିବାକୁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ନିକଟରେ ସୁପ୍ରିମ୍‌ କୋର୍ଟ ସେମାନଙ୍କୁ କୋଭିଡ-୧୯ ପାଇଁ ହୋଇଥିବା ଲକ୍‌ଡାଉନ୍‌ ପରେ ୧୦ ଦିନ ପାଇଁ ବିଏସ-୪ ଇଞ୍ଜିନଯୁକ୍ତ ଗାଡ଼ି ବିକ୍ରି କରିବାକୁ ଅନୁମତି ଦେଇଛନ୍ତି।

ସମ୍ବନ୍ଧିତ ଖବର