ତେଲ ତାତି, ନଭେମ୍ବରରେ ମିଳିବ ରିହାତି!

କର୍ଣ୍ଣାଟକ ନିର୍ବାଚନ ବେଳେ ୨୦ ଦିନ, ୟୁପି ବେଳେ ୭୫ ଦିନ ଦର ବଢ଼ି ନଥିଲା

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ବଢ଼ିବା ସହିତ ନୂଆ ସ୍ତର ଛୁଉଁଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ପ୍ରଥମ ଥର ପାଇଁ ୮୦ ଟଙ୍କା ଟପିଯାଇଥିବାବେଳେ ଡିଜେଲ ଦର ୭୨ ଟଙ୍କା ୫୧ ପଇସାରେ ପହଞ୍ଚି ଯାଇଛି। ଅନ୍ୟପକ୍ଷରେ ମୁମ୍ବାଇରେ ଆଜି ପେଟ୍ରୋଲ ଦର ୮୭ ଟଙ୍କା ୭୭ ପଇସା ଏବଂ ଡିଜେଲ ଦର ୭୬ ଟଙ୍କା ୯୮ ପଇସାରେ ପହଞ୍ଚି ଯାଇଛି। ଖାଉଟିମାନେ ତେଲ ଦର ବୃଦ୍ଧିରେ ଅତିଷ୍ଠ ହୋଇପଡ଼ିଥିଲେ ମଧ୍ୟ ସରକାର ଏହାର ଦର ହ୍ରାସ ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ତେବେ ଯାହା ଅନୁମାନ କରାଯାଉଛି ଆସନ୍ତା ନଭେମ୍ବର ବେଳକୁ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେହି ସମୟରେ ଗ୍ରାହକଙ୍କୁ ତେଲ କମ୍ପାନି ଗୁଡ଼ିକ ଦର ବୃଦ୍ଧିରୁ ରିହାତି ଦେଇପାରନ୍ତି। ଚଳିତବର୍ଷ କର୍ଣ୍ଣାଟକ ନିର୍ବାଚନ ସମୟରେ ତେଲ କମ୍ପାନି ଗୁଡ଼ିକ ୨୦ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ବଢ଼ାଇ ନଥିଲେ। ମେ ୧୨ ତାରିଖରେ ଭୋଟ ଗ୍ରହଣ ଶେଷ ହେବା ପରେ ୧୭ ଦିନ ମଧ୍ୟରେ ପେଟ୍ରୋଲ ଦର ପାଖାପାଖି ୪ ଟଙ୍କା ବୃଦ୍ଧି ଘଟିଥିଲା। ସେହିଭଳି ଗତବର୍ଷ ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଏବଂ ମଣିପୁର ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ମଧ୍ୟ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରି ନଥିଲେ। ଗତବର୍ଷ ଜାନୁଆରି ୧୬ରୁ ମାର୍ଚ ୩୧ ପର୍ଯ୍ୟନ୍ତ ୭୫ ଦିନ ଧରି ଦର ବୃଦ୍ଧି କରାଯାଇ ନଥିଲା। ଆସନ୍ତା ସୋମବାର ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଏହାସତ୍ତ୍ୱେ ସରକାର ଏନେଇ କିଛି ପଦକ୍ଷେପ ନେବେ ବୋଲି ଆଶା ନାହିଁ। ତେବେ ଆଗାମୀ ଦିନରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ମିଜୋରାମ୍‌ରେ ନିର୍ବାଚନ ହେବାକୁ ଅଛି। ଏହି ସମୟରେ ତେଲେଙ୍ଗାନାରେ ମଧ୍ୟ ନିର୍ବାଚନ ହୋଇପାରେ। ଅତୀତକୁ ଦେଖିଲେ ଉପରୋକ୍ତ ରାଜ୍ୟ ଗୁଡ଼ିକ ପାଇଁ ନିର୍ବାଚନ ଘୋଷଣା ହେଲେ ସମ୍ଭବତଃ ସରକାର ତେଲ କମ୍ପାନି ଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନକରିବାକୁ ପରାମର୍ଶ ଦେଇପାରନ୍ତି। ଏପରିକି ମୂଲ୍ୟ ହ୍ରାସ କରିବା ଲାଗି ମଧ୍ୟ ଅଲିଖିତ ନିର୍ଦେଶ ଦେଇପାରନ୍ତି ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର