ଅନ୍ତର୍ଜାତୀୟ ବଜାରରେ ତେଲଦର ୮୦ ଡଲାର ଛୁଇଁଲା , କଣ ଭାରତରେ ପେଟ୍ରୋଲ, ଡିଜେଲ ଦର ୪ଟଙ୍କା ବଢିବ ?

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଆଦି ଅଶୋଧିତ ତେଲଦର ୮୦ ଡଲାର ନିକଟବର୍ତ୍ତି ହୋଇଛି । ଏହାଫଳରେ ଭାରତ ସରକାରଙ୍କ ଅଧିନସ୍ଥ ତେଲ କମ୍ପାନି (ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ) ର କ୍ଷତି ପରିମାଣ ବଢିଚାଲିଛି । କର୍ଣ୍ଣାଟକ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାୟ ୧୯ ଦିନ ଧରି ଦର ବଢାଯାଇନଥିଲା । ଏହା ଫଳରେ ଅନ୍ତର୍ଜାତୀୟ ଦର ଓ ଘରୋଇ ଦର ମଧ୍ୟରେ ତାରତମ୍ୟ ବଢିଯାଇଛି । ଏହାକୁ ଭରଣା କରିବାକୁ କମ୍ପାନିମାନେ ଏବେ ଉଦ୍ୟମ କରୁଛନ୍ତି । କର୍ଣ୍ଣାଟକରେ ଭୋଟ ଗ୍ରହଣ ପରେ ପେଟ୍ରୋଲ ଦର ପ୍ରାୟ ୬୯ ପଇସା ବଢିଥିବାବେଳେ ଡିଜେଲ ଦର ଲିଟରପିଛା ୮୫ ପଇସା ବଢିଛି । କିନ୍ତୁ ଏହି ବୃଦ୍ଧି ସତ୍ତ୍ୱେ କ୍ଷତି ଭରଣା ହୋଇନାହିଁ । କ୍ଷତି ଭରଣା କରିବାକୁ ଅତିକମରେ ୩.୫-୪ ଟଙ୍କା ଲେଖାଏଁ ଦରବୃଦ୍ଧି କରିବାକୁ ପଡିବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି ।
ବିଶ୍ୱ ବଜାରରେ ତେଲ ଦର ବଢିବାର ବିଭିନ୍ନ କାରଣ ରହିଛି । ଆମେରିକା ପୁଣି ଥରେ ଇରାନ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛି । ଏହା ଫଳରେ ଇରାନ ବିଶ୍ୱ ବଜାରରେ ତେଲ ବିକ୍ରି କରିପାରିବ ନାହିଁ । ଇରାନ ବିଶ୍ୱର ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ । ବିଶ୍ୱର ତୈଳ ଯୋଗାଣର ପ୍ରାୟ ୪ ପ୍ରତିଶତ ଇରାନରୁ ଆସିଥାଏ । ଅନ୍ୟପକ୍ଷରେ ପେଟ୍ରୋଲିୟମ ଉତ୍ପାଦନକାରୀ ସଂଘ ଓପେକର ଦେଶମାନେ ଦର ବଢାଇବାକୁ ତୈଳ ଉତ୍ପାଦନ ଜାଣିଶୁଣି କମ କରୁଛନ୍ତି ।

ସମ୍ବନ୍ଧିତ ଖବର