୨୮ ବର୍ଷ ପରେ ପୁଣି ଆନ୍ତର୍ଜାତିକ ତେଲ ବଜାରରେ ସଙ୍କଟ

ଭାରତ ପାଇଁ ଅନେକ ସମସ୍ୟା

ନୂଆଦିଲ୍ଲୀ: ତେଲ ସଙ୍କଟ ସାରା ବିଶ୍ବ ପାଇଁ ନୂଆ ହୋଇନଥିଲେ ମଧ୍ୟ ନିକଟ ଅତୀତରେ ଏଭଳି ବଡ଼ ଧରଣର ସଙ୍କଟ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଶେଷ ଥର ପାଇଁ ୧୯୯୦ର ଇରାକ ଶାସକ ସଦ୍ଦାମ ହୁସେନଙ୍କ କୁଏତ୍‌ ଆକ୍ରମଣ ବେଳେ ବଡ଼ ଧରଣର ତୈଳ ସଙ୍କଟ ଦେଖାଦେଇଥିଲା। ଦୈନିକ ୪.୩ ନିୟୁତ ବ୍ୟାରେଲର ତୈଳ ଯୋଗାଣ ସେହି ସମୟ‌େର ପ୍ରଭାବିତ ହୋଇଥିଲା। ଏହା ପରେ ଶେଷ ଥର ପାଇଁ ୨୦୦୩ରେ ଇରାକ୍ ଯୁଦ୍ଧ ଯୋଗୁ ତେଲ ସଙ୍କଟ ଦେଖାଦେଇଥିଲା। କିନ୍ତୁ ସେହି ସମୟରେ ଯୋଗାଣ ସେତେଟା ପ୍ରଭାବିତ ହୋଇନଥିଲା। ଦୀର୍ଘ ୨୮ ବର୍ଷ (୧୯୯୦-୯୧ ଅନୁଯାୟୀ) ପରେ ପୁଣି ଥରେ ବଡ଼ ଧରଣର ତେଲ ସଙ୍କଟ ଫେରିଛି। ସାଉଦି ଉପରେ ଡ୍ରୋନ୍ ଆକ୍ରମଣ ଯୋଗୁ ସେଠାକାର ତୈଳ ଉତ୍ପାଦନ ଅଧା ବନ୍ଦ ହୋଇଯାଇଛି। ଏହି ସଙ୍କଟର କିଭଳି ମୁକାବିଲା କରାଯିବ ତାହାକୁ ନେଇ ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି।

୧୯୯୦ ଅଗଷ୍ଟ ଯେତେବେଳେ ଇରାକ୍‌ର ଶାସକ ସଦ୍ଦାମ ସୁହେନ କୁଏତ୍‌ରେ ଆକ୍ରମଣ କରିଥିଲେ ସେହି ସମୟରେ ଉଭୟ କୁଏତ୍‌ ଓ ଇରାକ୍‌ର ତେଲ ଯୋଗାଣ ପ୍ରଭାବିତ ହୋଇଥିଲା। ସେହିପରି, ଇସ୍‌ଲାମିକ୍ ବିପ୍ଳବ ଯୋଗୁ ୧୯୭୯ରେ ଇରାନର ତେଲ ଯୋଗାଣ ପ୍ରଭାବିତ ହୋଇଥିଲା। ଏହାର ପରବର୍ତି ଦଶନ୍ଧୀଗୁଡ଼ିକରେ ତେଲ ଯୋଗାଣ ପ୍ରାୟ ସ୍ବାଭାବିକ ରହିଥିଲା। କୌଣସି ବଡ଼ ଧରଣର ଅଘଟଣ ଘଟିନଥିଲା। ତେଲକୁ ନେଇ ବିଶ୍ବ ବଜାରରେ ସଙ୍କଟମୟ ସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସାଉଦି ଆରବ ନିର୍ଭର ପ୍ରତିଶ୍ରୁତି ଦେଇଛି। ଆଗାମୀ ଚାରି ପାଞ୍ଚ ଦିନ ଭିତରେ ପୁଣି ଥରେ ତେଲ ଉତ୍ପାଦନ ସ୍ବାଭାବିକ ହୋଇଯିବ ବୋଲି ଏହି ଦେଶ କହୁଛି। ଗତ ଜୁଲାଇରେ ସାଉଦି ବିପୁଳ ପରିମାଣର ତେଲ ଉତ୍ପାଦନ କରିଥିଲା। ତାହାକୁ ଏବେ ବଜାରକୁ ଛାଡ଼ୁଛି। ବଜାର ଆବଶ୍ୟକତା ପୂରଣ କରିବାକୁ ସେହି ତେଲ ଯଥେଷ୍ଟ ବୋଲି ସାଉଦି ପକ୍ଷରୁ କୁହାଯାଇଛି।

ପୂର୍ବରୁ ଆନ୍ତର୍ଜାତିକ ତେଲ ବଜାର ଅନେକ ସଙ୍କଟ ଦେଇ ଗତି କରିଛି। ତେବେ ତେଲ ଯୋଗାଣକୁ ପ୍ରଭାବିତ କରିବା ଭଳି ବଡ଼ ଧରଣର ଘଟଣା ମାତ୍ର ଦୁଇ ତିନି ଥର ଘଟିଥିଲା। ସେଥିରେ ଦୈନିକ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ୧୯୭୮-୭୯ର ଇରାନ ବିପ୍ଳବ ବେଳେ ଦୈନିକ ଯୋଗାଣ କ୍ଷତି ସର୍ବାଧିକ ୫.୬ ନିୟୁତ ବ୍ୟାରେଲ୍‌ ଥିଲା। ମାତ୍ର ଏବେ ସାଉଦି ଉପରେ ଡ୍ରୋନ୍‌ ଆକ୍ରମଣ ‌ଯୋଗୁ ‌ଯେଉଁ ସଙ୍କଟ ଦେଖାଦେଇଛି ସେଥିରେ ଦୈନିକ ତେଲ ଯୋଗାଣ କ୍ଷତି ୫.୭ ନିୟୁତ ବ୍ୟାରେଲ୍‌ରେ ପହଞ୍ଚିଯାଇଛି। ତେଲ ବଜାର ଇତିହାସରେ ଏହା ସବୁଠୁ ବଡ଼ ଧରଣର ଯୋଗାଣ କ୍ଷତି ବୋଲି କୁହାଯାଉଛି।

ନୂଆଦିଲ୍ଲୀ: ନିଜ ତେଲ ଆବଶ୍ୟକତାର ୮୩% ଭାଗକୁ ଆମଦାନି ଜରିଆରେ ପୂରଣ କରୁଥିବା ଭାରତ ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଭାରତ ଏହାର ଦ୍ବିତୀୟ ସର୍ବାଧିକ ତେଲ ସାଉଦିରୁ କିଣୁଥିଲା। ସେଠାରେ ଏବେ ଯେତିକି ତେଲ ଅଛି ତାହା କେବଳ ଏକ ସପ୍ତାହାର ଆବଶ୍ୟକତା ମେଣ୍ଟାଇ ପାରିବ। ସେହି ସମୟ ଭିତରେ ଯଦି ଏହି ଦେଶ ନିଜର ତେଲ ଉତ୍ପାଦନ ବଢ଼ାଇ ନପାରିବ ତେବେ ବିଶ୍ବ ତେଲ ବଜାରକୁ ବଡ଼ ଧରଣର ଝଟ୍‌କା ଲାଗିବ। ଏବେ ପ୍ରଶ୍ନ ଉଠୁଛି ସାଉଦିରେ ଯଦି ଅଧିକ ଦିନ ସଙ୍କଟ ଲାଗି ରହିବ ତେବେ ଭାରତ କ’ଣ କରିବ? ପୂର୍ବରୁ ଇରାକ୍ ଏବଂ ଇରାନ୍‌ ଠାରୁ ଭାରତ ଅଧିକ ତେଲ କିଣୁଥିଲା। ଭେନେଜୁଏଲାରୁ ମଧ୍ୟ କିଛି ପରିମାଣର ତେଲ ଅଣାଯାଉଥିଲା। ଏବେବି ଇରାକ୍‌ରୁ ସର୍ବାଧିକ ତେଲ କିଣାଯାଉଛି। କିନ୍ତୁ ଭେନେଜୁଏଲାରେ ଲାଗି ରହିଥିବା ସଙ୍କଟ ଏବଂ ଇରାନ ଉପରେ ‌ଆମେରିକାର ଅର୍ଥନୈତିକ କଟକଣା ଯୋଗୁ ଏହି ଦୁଇ ଦେଶର ତେଲ ଉପରେ ଭାରତ ଆଉ ଭରସା କରୁନାହିଁ। ନିଜର ଆବଶ୍ୟକତା ପୂରଣ କରିବା ଲାଗି ଆମେରିକା ତେଲ ବା ସେଲ୍‌ ଗ୍ୟାସ୍‌ ଉପରେ ଭାରତ ଏହାର ନିର୍ଭରଶୀଳତା ବଢ଼ାଇଛି। କିନ୍ତୁ ଆମେରିକାରୁ ତେଲ ମଗାଇବା ଏକ ବ୍ୟୟବହୁଳ ବ୍ୟାପାର। ସମୁଦ୍ର ପଥରେ ତେଲ ଆଣିବାରେ ଅନେକ ବିପଦ ରହିଛି ଏବଂ ଜାହାଜର ବୀମା ବାବଦରେ ମୋଟା ଅଙ୍କର ଅର୍ଥ ଖର୍ଚ କରିବାକୁ ପଡ଼ିବ। ତେଲ ପରିବହନ ପାଇଁ ଅଧିକ ଖର୍ଚ କରିବାକୁ ପଡ଼ିବ। ଦ୍ବିତୀୟ ବଡ଼ ସମସ୍ୟା ହେଉଛି, ତେଲ ଉତ୍ପାଦନ କରୁଥିବା ଅନ୍ୟ ଦେଶଗୁଡ଼ିକ କେବଳ ଭାରତକୁ ଚାହିରହିନାହାନ୍ତି। ସେମାନଙ୍କ ତେଲକୁ ଅନ୍ୟ ଦେଶଗୁଡ଼ିକ ମଧ୍ୟ କିଣୁଛନ୍ତି। ଏସିଆରେ ଚୀନ୍, ଦକ୍ଷିଣ କୋରିଆ‌ ଓ ଜାପାନ ମଧ୍ୟ ବିପୁଳ ତେଲ କିଣୁଛନ୍ତି। ସେମାନେ ଯଦି ଅଧିକ ଅର୍ଥ ଦେଇ ତେଲ କିଣିବାକୁ ରାଜି ହୋଇଯିବେ ତେବେ ଭାରତକୁ ତା’ଠାରୁ କମ୍ ଦାମ୍‌ରେ ତେଲ ମିଳିବ ନାହିଁ।

ସମ୍ବନ୍ଧିତ ଖବର