ତେଲଦର ୭୦ ଡଲାର ଛୁଇଁବ ?

ନୂଆଦିଲ୍ଲୀ : ଆଜି ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୦ ଡଲାର ଟପିଛି । ଗତ ୨୦୧୪ ପରେ ପ୍ରଥମ ଥର ପାଇଁ ତେଲଦର ଏହି ସ୍ତରରେ ପହଞ୍ଚିଛି । ଏହା ଫଳରେ କେନ୍ଦ୍ରର ମୋଦି ସରକାରଙ୍କ ପାଇଁ ଚିନ୍ତା ବଢିଚାଲିଛି । ଦେଶରେ କ୍ରମାଗତ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଫଳରେ ଜନ ଅସନ୍ତୋଷ ବଢିଚାଲିଛି । ଆଗକୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଓ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ତେଲଦର ବୃଦ୍ଧି ସରକାରଙ୍କ ପାଇଁ ଏକ ସତର୍କ ଘଣ୍ଟି ହୋଇଛି । କାରଣ ତେଲଦର ବଢିଲେ ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ଦର ବଢିବ । ଅନ୍ୟପକ୍ଷରେ ବିଶ୍ୱ ବଜାରରେ ଡଲାର ସୁଦୃଢ ହେବାରୁ ଟଙ୍କା ମୂଲ୍ୟ ୬୭କୁ ହ୍ରାସ ପାଇଛି । ଏପରି ସ୍ଥିତି ବଜାୟ ରହିଲେ ବର୍ଷ ଶେଷ ବେଳକୁ ଡଲାର ତୁଳନାରେ ଏହା ୭୦ ଟଙ୍କା ଟପଯିବ । ଗୋଟିଏ ପଟେ ତେଲ ଦର ବଢିଚାଲିଥିବାବେଳେ ଅନ୍ୟପଟେ ଟଙ୍କା ଦୂର୍ବଳ ହୋଇଚାଲିଥିବାରୁ ଦେଶର ତେଲ ଆମଦାନୀ ବିଲ୍‌ ବଢିବାର ଆଶଙ୍କା ଦେଖାଗଲାଣି । କାରଣ ଭାରତ ନିଜ ଆବଶ୍ୟକତାର ୭୦ ତେଲ ଆମଦାନୀ କରେ । ସେପଟେ ଇରାନ ଉପରେ କଟକଣା ଲଗାଇବାକୁ ଆମେରିକା ଧମକ ଦେଇଥିବାରୁ ଇରାନରୁ ତେଲ ଯୋଗାଣ କମିବ । ଏହା ଫଳରେ ଆଗାମୀ ଦିନରେ ତେଲ ଦର ଆହୁରି ବଢିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର