ଓଏମ୍‌ସି ଦେବ ୨୧୦୦ କୋଟି ଜରିମାନା

ଆସନ୍ତା ୩୦ ସୁଦ୍ଧା ଜମା କରିବ ବାଧାପ୍ରାପ୍ତ ହେବ ସମ୍ପ୍ରସାରଣ କାର୍ଯ୍ୟ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦେଶ ମାନି ଓଡ଼ିଶା ଖଣି ନିଗମ ଆସନ୍ତା ୩୦ ତାରିଖ ସୁଦ୍ଧା ଜରିମାନା ବାବଦରେ ୨୧୦୦ କୋଟି ଟଙ୍କା ଜମା କରିବ। ସର୍ବୋଚ୍ଚ ଅଦାଲତ ଏହି ଅର୍ଥ ଡିସେମ୍ବର ୩୧ ସୁଦ୍ଧା ଜମା କରିବାକୁ ନିର୍ଦେଶ ଦେଇଥିଲେ। ଓଏମ୍‌ସି ପକ୍ଷରୁ ଏହି ଅର୍ଥ ସ୍ପେସାଲ ପର୍‌ପୋଜ୍‌ ଭେଇକିଲ୍‌(ଏସ୍‌ପିଭି)ରେ ଜମା କରାଯିବ। ଖଣି ଅଂଚଳର ବିକାଶ ପାଇଁ ଓଡ଼ିଶା ମିନେରାଲ ବିଅରିଂ ଏରିଆଜ୍‌ ଡେଭଲପମେଣ୍ଟ କର୍ପୋରେସନ୍‌ (ଓଏମ୍‌ବିଏଡିସି) ନାମରେ ଏସ୍‌ପିଭି ଗଠନ କରାଯାଇଛି।
ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟ ସରକାର ପରିବେଶ ନିୟମ ଉଲ୍ଲଂଘନ ବାବଦରେ ୧୭,୫୭୫ କୋଟି ଟଙ୍କା ଓ ଜଙ୍ଗଲ ଆଇନ ଉଲ୍ଲଂଘନ ପାଇଁ ଲାଗିଥିବା ୨୦୦୦ କୋଟି ଟଙ୍କାର ଜରିମାନା ଓଏମ୍‌ସି ସହିତ ଅନ୍ୟ ଖଣି ଖନନକାରୀଙ୍କ ଠାରୁ ଆଦାୟ ଉପରେ ଜୋର ଦେଉଛନ୍ତି। ଏହା ଫଳରେ ଓଏମ୍‌ବିଏଡିସି ପ୍ରାୟ ୨୦ ହଜାର କୋଟି ଟଙ୍କା ପାଇବା ସହିତ ଖଣି ଅଂଚଳରେ ବ୍ୟାପକ ଉନ୍ନୟନମୂଳକ କାର୍ଯ୍ୟ ଚଳାଇ ପାରିବ।
ତେବେ ଓଏମ୍‌ସି ଜରିମାନା ବାବଦରେ ଉପରୋକ୍ତ ବିପୁଳ ପରିମାଣର ଅର୍ଥ ଜମା କରିବା ପରେ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହେବ। ଏଥିଯୋଗୁଁ ନିଗମ ତାହାର ସମ୍ପ୍ରସାରଣ କାର୍ଯ୍ୟ କରିବା କଷ୍ଟକର ହୋଇପଡ଼ିବ। ନିଗମର ଏବେ ଅନେକ ଛୋଟବଡ଼ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ରାଜ୍ୟର ଏହି ନିଗମ ୨୦୧୬-୧୭ରେ ୨୩୦୦ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ ୨୦୧୭-୧୮ରେ ୨୫୦୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖିଛି। ୨୦୧୯-୨୦ ସୁଦ୍ଧା ଓଏମ୍‌ସି ବାର୍ଷିକ ୨୦ ନିୟୁତ ଟନ୍‌ ଖଣିଜ ଉତ୍ତୋଳନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି।
ଖଣି ନିଗମ ମଧ୍ୟ ଓଡ଼ିଶା ମିନେରାଲ ଏକ୍ସପ୍ଲୋରେସନ୍‌ କର୍ପୋରେସନ ଲିମିଟେଡ (ଓଏମ୍‌ଇସିଏଲ୍‌) ଗଠନ ସହିତ ଏହାକୁ ଶତ ପ୍ରତିଶତ ସହାୟତା ପ୍ରଦାନ କରୁଛି। ନୂଆ ଖଣି ଅଂଚଳରେ ଏହି ନିଗମ କାର୍ଯ୍ୟ କରିବ। ଖଣି ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଥିବା କମିଟି ନିଗମ କେଉଁଠାରେ ଖଣିଜ କାର୍ଯ୍ୟ ଚଳାଇବ ତାହା ସ୍ଥିର କରିବ। ବଲାଙ୍ଗୀରଠାରେ ଥିବା ୪ଟି ମାଙ୍ଗାନିଜ୍‌ ବ୍ଲକ୍‌, ରାୟଗଡ଼ାରେ ୪ଟି ବକ୍ସାଇଟ୍‌ ବ୍ଲକ୍‌, ଖଣ୍ଡାଧାରରେ ଥିବା ୭ଟି ଲୁହାପଥର ଏବଂ ଠାକୁରାଣୀ-ଏରେ ଥିବା ଗୋଟିଏ ଲୁହାପଥର ବ୍ଲକ୍‌ ଓଏମ୍‌ସିଇଏଲ୍‌ ଦ୍ୱାରା ଖନନ ପାଇଁ ଚିହ୍ନଟ ହୋଇଛି। ଏହି ସବୁ ଖଣିରେ ବିପୁଳ ପରିମାଣର ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଛି। ଖଣି ନିଗମ ପକ୍ଷରୁ ଗ୍ରିଡ୍‌କୋ ଓ ନୀଳାଚଳ ଇସ୍ପାତ ନିଗମକୁ ୧୮୦୦ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି। ଦୁଇ ସଂସ୍ଥା ନିୟମିତଭାବେ ସୁଧ ପଇଠ କରୁଥିବାବେଳେ ହଠାତ୍‌ ଏତେ ପରିମାଣର ଋଣ ପରିଶୋଧ କରିବାକୁ ସକ୍ଷମ ନୁହଁନ୍ତି। ତେଣୁ ସମ୍ପ୍ରସାରଣ ପାଇଁ ଓଏମ୍‌ସି ଋଣ କରିବାକୁ ଏକ ପ୍ରକାର ବାଧ୍ୟ ହେବ। ତେବେ ଅର୍ଥ ସଂକଟ ଯୋଗୁଁ ଓଏମ୍‌ସିର ବିଭିନ୍ନ ସମ୍ପ୍ରସାରଣ କାର୍ଯ୍ୟ ପ୍ରାୟ ୨ ବର୍ଷ ବିଳମ୍ବ ହୋଇଯାଇପାରେ।

ସମ୍ବନ୍ଧିତ ଖବର