ଏକକ ଇଲେକଟ୍ରୋନିକ୍‌ ‌ଟୋଲ୍‌ ଆଦାୟ ବ୍ୟବସ୍ଥା ; ବିଭିନ୍ନ ରାଜ୍ୟ ଓ ସଂସ୍ଥା ସହ ବୁଝାମଣା ସ୍ବାକ୍ଷରିତ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତୀନ ଗଡ଼କରୀ ନୂଆଦିଲ୍ଲୀରେ ‘ଏକ ରାଷ୍ଟ୍ର ଏକ ଟ୍ୟାଗ୍‌-ଫାଷ୍ଟ୍‌ ଟ୍ୟାଗ୍‌’ ଉପରେ ଏକ ସମ୍ମିଳନୀର ଉଦ୍‌ଘାଟନ କରିଛନ୍ତି। ସାରା ଦେଶରେ ଗୋଟିଏ ବୈଦ୍ୟୁତିକ ‌ଟୋଲ୍‌ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏହି କା‌ର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଜାତୀୟ ବୈଦ୍ୟୁତିକ ‌ଟୋଲ୍‌ ଆଦାୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଜାତୀୟ ରାଜପଥର ଟୋଲ୍‌ ପ୍ଲାଜା ଗୁଡ଼ିକରେ ଆରଏଫ୍‌ଆଇଡି ଆଧାରିତ ଫାଷ୍ଟ୍‌ ଟ୍ୟାଗ୍‌ ଜରିଆରେ ଟୋଲ୍‌ ଆଦାୟ କରାଯାଉଛି। ରାଜ୍ୟ ରାଜପଥର ଟୋଲ୍‌ ପ୍ଲାଜା ଗୁଡ଼ିକରେ ସାଧାରଣ ପଦ୍ଧତି କିମ୍ବା ଅନ୍ୟ ଟ୍ୟାଗ୍‌ ଜରିଆରେ ଟୋଲ୍‌ ଆଦାୟ କରାଯାଏ। ଏହାଦ୍ବାରା ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟକୁ ଫାଷ୍ଟ୍‌ ଟ୍ୟାଗ୍‌ ଅଧୀନକୁ ଆଣିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ପ୍ରୟାସ କରାଯାଉଛି। ଏହାଦ୍ବାରା ସାରା ଦେଶରେ ବାଧାମୁକ୍ତ ପରିବହନ ସୁନିଶ୍ଚିତ ହୋଇପାରିବ। ଏଥିପାଇଁ ଆଇଏଚଏମ୍‌ସିଏ ପକ୍ଷରୁ ସମସ୍ତ ରାଜ୍ୟ ଓ ସହରର ଟୋଲ୍‌ ପ୍ଲାଜାଗୁଡ଼ିକୁ ଫାଷ୍ଟ୍‌ ଟ୍ୟାଗ୍‌ ଅଧୀନରେ ସାମିଲ କରିବା ଳାଗି ସବୁ ରାଜ୍ୟକୁ ଯୋଜନା ଗାଇଡଲାଇନ୍‌ ପ୍ରଦାନ କରାଯାଇଛି। ଆଧୁନିକ ଫାଷ୍ଟ୍‌ ଟ୍ୟାଗ୍‌ ବ୍ୟବସ୍ଥାରେ ୬୦ ଲକ୍ଷ ଟ୍ୟାଗ୍‌ ସାମିଲ କରାଯାଇପାରିବ ଏବଂ ଦୈନିକ ୧୦ ଲକ୍ଷ କାରବାର ହୋଇପାରିବ। ଏହି ବୃହତ୍‌ ବ୍ୟବସ୍ଥାକୁ ଯଥାଶୀଘ୍ର ରାଜ୍ୟ କର୍ତ୍ତୃପକ୍ଷ ଏବଂ ଏଜେନ୍ସିଗୁଡ଼ିକୁ ଆଣିବା ଲାଗି ଯୋଜନାରେ ବ୍ୟବସ୍ଥା ରହିଛି। ଏହି ଯୋଜନା ଅନ୍ତର୍ଗତ ଆଇଏଚଏମସିଏଲ୍‌ ପକ୍ଷରୁ ରାଜ୍ୟ ଗୁଡ଼ିକୁ ବୈଦ୍ୟୁତିକ ଟୋଲ୍‌ ଆଦାୟ ଭିତ୍ତିଭୂମି ନିର୍ମାଣ ଲାଗି ୫୦ ପ୍ରତିଶଥ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଆଜି ଆଇଏଚଏମସିଏଲ୍‌ ପକ୍ଷରୁ କେତେକ ରାଜ୍ୟ/କର୍ତ୍ତୃପକ୍ଷଙ୍କ ସହ ଫାଷ୍ଟ୍‌ ଟ୍ୟାଗ୍‌ ବ୍ୟବସ୍ଥା ସହ ଯୋଡ଼ଇ ହେବାଲାଗି ବୁଝାମଣା ସ୍ବାକ୍ଷର ହୋଇଛି। ଚଳିତବର୍ଷ ଡିସେମ୍ବର ପହିଲାରୁ ସମସ୍ତ ଜାତୀୟ ରାଜପଥର ଟୋଲ୍‌ ପ୍ଲାଜା ଗୁଡ଼ିକରେ ଫାଷ୍ଟ୍‌ ଟ୍ୟାଗ୍‌ ଜରିଆରେ ଟୋଲ୍‌ ଆଦାୟ ବାଧ୍ୟତା‌ମୂଳକ କରାଯିବ। ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଫାଷ୍ଟ୍‌ ଟ୍ୟାଗ୍‌ ସହିତ ଇ-ୱେ ବିଲ୍‌ ବ୍ୟବସ୍ଥାକୁ ଯୋଡ଼ିବା ଲାଗି ଆଇଏଚଏମସିଏଲ୍‌ ଏବଂ ଜିଏସ୍‌ଟି ନେଟୱର୍କ ମଧ୍ୟ‌ରେ ଆଉ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି। ଜିଏସ୍‌ଟି ଇ-ୱେ ବିଲ୍‌ (ଇଡବ୍ଲ୍ୟୁଡି) ବ୍ୟବସ୍ଥାକୁ ଖୋଜିବା ଓ ଠାବ କରିବା କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ଦୂର କରିବା ଏବଂ ଅନୁଧ୍ୟାନ ବ୍ୟବସ୍ଥାର ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଏହା କରାଯାଇଛି।

ସମ୍ବନ୍ଧିତ ଖବର