‘ଗୋଟିଏ ଜିଏସ୍‌ଟି ହାର ସମ୍ଭବ ନୁହେଁ’

ଜାନୁଆରିରେ ୮୬ ହଜାର କୋଟିର ଟିକସ ଆଦାୟ

ନୂଆଦିଲ୍ଲୀ: ଭାରତ ବିଭିନ୍ନତାର ଏକ ଦେଶ ହୋଇଥିବାରୁ ଏଠାରେ ଗୋଟିଏ ଜିଏସ୍‌ଟି ହାର ଲାଗୁ କରିବା ସମ୍ଭବପର ନୁହେଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି। ଇଣ୍ଡୋ-କୋରିଆ ସମ୍ମିଳନୀରେ ଯୋଗ ଦେଇ ସେ, ନିବେଶକମାନଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଟିକସ ଆଦାୟ ବଢ଼ିବା ପରେ ଜିଏସ୍‌୍‌ଟିରେ ପରବର୍ତି ସଂସ୍କାର ହେବ। ଏବେ ଦେଶରେ ଗୋଟିଏ ଜିଏସ୍‌ଟି ହାର ଲାଗୁ କରାଯାଇପାରିବ ନାହିଁ। ଆଗାମୀ ଦିନରେ ହୁଏତ ଏହା ଦୁଇଟି ହାରକୁ ହ୍ରାସ ପାଇବ ଏବଂ ସମୟ ଆସିଲେ ଗୋଟିଏ ଜିଏସ୍‌ଟି ହାର ଲାଗୁ ହୋଇପାରିବ। କିନ୍ତୁ ଏଥିପାଇଁ ବହୁତ ସମୟ ଲାଗିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ଦେଶରେ ୫%, ୧୨%, ୧୮% ଏବଂ ୨୮%ର ଚାରି ଥାକିଆ ଜିଏସ୍‌ଟି ହାର ଲାଗୁ କରାଯାଇଛି। ଅତୀତରେ ଜିଏସ୍‌ଟିରେ ବିଭିନ୍ନ ପର୍ଯ୍ୟାୟରେ ସଂସ୍କାର ଅଣାଯାଇଛି। କେତେକ ସାମଗ୍ରୀ ଏବଂ ସେବା ଉପରୁ ଟିକସ ପରିମାଣ ହ୍ରାସ କରାଯାଇଛି। ଏହି ଅବସରରେ ଓଡ଼ିଶାର ପୋସ୍କୋ ପ୍ରକଳ୍ପ ବିଷୟରେ ହୋଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଜେଟ୍‌ଲି କହିଛନ୍ତି ଯେ, ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ତାହା ପୁରୁଣା ସମସ୍ୟା ଥିଲା। ଯଦିଓ ସେଭଳି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇନାହିଁ କିନ୍ତୁ ବହୁତ କମିଯାଇଛି। ପୋସ୍କୋକୁ ନେଇ ଆପଣମାନେ ଯେଉଁ ସମସ୍ୟା କଥା କହୁଛନ୍ତି ତାହା ଆଜିର ଭାରତରେ ଦେଖିବାକୁ ମିଳିବ ନାହିଁ। ଆଗାମୀ ଦିନରେ ଏଭଳି ସମସ୍ୟାର ପୁନରାବୃତ୍ତି ହେବ ନାହିଁ ବୋଲି ମଧ୍ୟ ଜେଟ୍‌ଲି କହିଛନ୍ତି। ଏହି ସବୁ ବାକ୍ୟରେ ସେ ପୁରୁଣା ସରକାରଙ୍କ ଅପାରଗତା ଆଡ଼କୁ ଇଙ୍ଗିତ କରିଥିବା ଜଣାପଡ଼ୁଛି।

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାନୁଆରି ମାସରେ ୮୬,୩୧୮ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଛନ୍ତି। ୨୦୧୭ ଡିସେମ୍ବର ତୁଳନାରେ ଏହା କମ୍‌ ରହିଛି। ଜାନୁଆରିରେ ୧୪,୨୩୩ କୋଟି ଟଙ୍କାର ସିଜିଏସ୍‌ଟି, ୧୯,୯୬୧ କୋଟି ଟଙ୍କାର ଏସ୍‌ଜିଏସ୍‌ଟି, ୪୩,୭୯୪ କୋଟି ଟଙ୍କାର ଆଇଜିଏସ୍‌ଟି ଏବଂ ୮୩୩୧ କୋଟି ଟଙ୍କାର କମ୍ପୋଜିସନ୍‌ ସେସ୍‌ ଆଦାୟ କରାଯାଇଛି। ୨୦୧୮ ଫେବ୍ରୁଆରି ୨୫ ସୁଦ୍ଧା ଜିଏସ୍‌ଟି ନେଟଓ୍ଵର୍କରେ ୧.୦୩ କୋଟି ଟିକସଦାତା ସାମିଲ ହୋଇସାରିଲେଣି। କମ୍ପୋଜିସନ୍‌ ସ୍କିମ୍‌ରୁ ୧୭.୬୫ ଲକ୍ଷ ଡିଲର ଏବଂ ୧.୨୩ ଲକ୍ଷ କମ୍ପୋଜିସନ୍‌ ଡିଲର ବିଦାୟ ନେଇଛନ୍ତି। ସେମାନେ ସାଧାରଣ ଟିକସଦାତାରେ ପରିଣତ ହୋଇଛନ୍ତି।
ଗତବର୍ଷ ଜୁଲାଇରେ ଜିଏସ୍‌୍‌ଟି ଲାଗୁ ହୋଇଥିଲା। ଏହା ପରଠାରୁ ଜୁଲାଇ ପାଇଁ ୯୫ ହଜାର କୋଟି ଟଙ୍କା, ଅଗଷ୍ଟରେ ୯୧ ହଜାର କୋଟି ଟଙ୍କା, ସେପ୍ଟେମ୍ବରରେ ୯୨,୧୫୦ କୋଟି ଟଙ୍କା, ଅକ୍ଟୋବରରେ ୮୩ ହଜାର କୋଟି ଟଙ୍କା, ନଭେମ୍ବରରେ ୮୦,୮୦୩ କୋଟି ଟଙ୍କା ଏବଂ ଡିସେମ୍ବରରେ ୮୬,୭୦୩ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି।

ସମ୍ବନ୍ଧିତ ଖବର