ଜାତୀୟ ରାଜପଥ ନିର୍ମାଣ ପାଇଁ ଅନ୍‌ଲାଇନ୍‌ରେ ହେବ ଜମି ଅଧିଗ୍ରହଣ

ନୂଆଦିଲ୍ଲୀ: ଜାତୀୟ ରାଜପଥ ନିର୍ମାଣ ପାଇଁ ଆସନ୍ତାମାସରୁ ଅନ୍‌ଲାଇନ୍‌ରେ ଜମି ଅଧିଗ୍ରହଣ ହେବ। ଏହାଦ୍ୱାରା ଜମି ଅଧିଗ୍ରହଣ ସମୟ ୩ରୁ ୪ ମାସ ହ୍ରାସ ପାଇବ ବୋଲି ସଡ଼କ ପରିବହନ ମନ୍ତ୍ରାଳୟ ଆଶା ରଖିଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ଡିଜିଟାଲ ମାଧ୍ୟମରେ ହେବ। ଏନ୍‌ଆଇସି ପକ୍ଷରୁ ଏ ନେଇ ଭୂମିରାଶି ନାମରେ ଏକ େଓ୍ଵବସାଇଟ୍‌ ପ୍ରସ୍ତୁତ ହୋଇଛି। ଏହି େଓ୍ଵବସାଇଟ୍‌ରେ ଦେଶର ୬୬୮ ଜିଲ୍ଲାର ୬.୪୫ ଲକ୍ଷରୁ ଅଧିକ ଗ୍ରାମ ଗୁଡ଼ିକର ଜମି ସଂକ୍ରାନ୍ତ ବିବରଣୀ ମିଳିବ। ଜମି ଅଧିଗ୍ରହଣ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ଲାଗି ଏହି ପ୍ଲାଟଫର୍ମକୁ ଉପଯୋଗ କରାଯିବ। ଆସନ୍ତା ସପ୍ତାହରୁ ଏହି ବ୍ୟବସ୍ଥା ଆରମ୍ଭ ହେବ। ଖୁବ୍‌ଶୀଘ୍ର ୧୦୦ ପ୍ରତିଶତ ଜମି ଅଧିଗ୍ରହଣ ଅନ୍‌ଲାଇନ୍‌ରେ କରିବା ଲାଗି ଉଦ୍ୟମ କରାଯିବ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅଫ୍‌ଲାଇନ୍‌ରେ ଜମି ଅଧିଗ୍ରହଣ ଲାଗି ଏବେ ଏନ୍‌ଏଚ୍‌ଏଆଇକୁ ଅତିକମ୍‌ରେ ଦେଢ଼ ବର୍ଷ ସମୟ ଲାଗୁଛି। ଜମି ଅଧିଗ୍ରହଣ ବିଳମ୍ବ ହେବା ଯୋଗୁଁ ସଡ଼କ ନିର୍ମାଣ ବିଳମ୍ବ ହେଉଛି। ଏନ୍‌ଏଚ୍‌ଏଆଇ ଦେଶର ଏକ ବଡ଼ ଜମି ଅଧିଗ୍ରହଣକାରୀ ସଂସ୍ଥା। ସଡ଼କ ନିର୍ମାଣ ପାଇଁ ଏନ୍‌ଏଚଏଆଇ ବର୍ଷକୁ ହାରାହାରି ପ୍ରାୟ ୭୫୦୦ରୁ ୯୦୦୦ ହେକ୍ଟର ଜମି ଅଧିଗ୍ରହଣ କରିଥାଏ। ଏ ବାବଦରେ ଲୋକଙ୍କୁ ୮ ହଜାରରୁ ୯ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥାଏ। ନିକଟରେ ସରକାର ଭାରତମାଳା ପ୍ରକଳ୍ପ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ୨୪,୮୦୦ କିଲୋମିଟରର ଜାତୀୟ ରାଜପଥ ନିର୍ମାଣ ଯୋଜନା ରହିଛି।

ସମ୍ବନ୍ଧିତ ଖବର