ସିଏସ୍‌ଙ୍କ ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ଅଛି

ସର୍ବ ଭାରତୀୟ କମ୍ପାନି ସେକ୍ରେଟାରି ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ଦ୍ରୁତ ଶିଳ୍ପାୟନ ପଥରେ ଆଗକୁ ବଢ଼ୁଛି। ୨୦୧୬ରେ ଅନୁଷ୍ଠିତ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀରେ ରାଜ୍ୟକୁ ୨ ଲକ୍ଷ କୋଟି ଟଙ୍କାରୁ ଊର୍ଧ୍ୱ ନିବେଶ ପ୍ରସ୍ତାବ ଆସିଛି। ୧୦ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ଆସିଥିବା ଏହି ନିବେଶ ପ୍ରସ୍ତାବ ଗୁଡ଼ିକ ମଧ୍ୟରୁ ୬୦ ପ୍ରତିଶତରୁ ଊର୍ଧ୍ୱ ପ୍ରକଳ୍ପ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟ ଦେଇ ଏବେ ଆଗକୁ ବଢ଼ୁଛି। ଏହି ନିବେଶ ଯୋଗୁଁ ରାଜ୍ୟରେ ୧ ଲକ୍ଷ ୪୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ମଧ୍ୟ କମ୍ପାନି ସେକ୍ରେଟାରି (ସିଏସ୍‌)ମାନଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମତବ୍ୟକ୍ତ କରିଛନ୍ତି। ଭାରତୀୟ କମ୍ପାନି ସେକ୍ରେଟାରି ସଂସ୍ଥାନର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଭୁବନେଶ୍ୱରସ୍ଥିତ ମେ ଫେୟାର ହୋଟେଲରେ ଆୟୋଜିତ ୩ ଦିନିଆ ୪୬ତମ ଜାତୀୟ ସମ୍ମିଳନୀ ଓ ଷଷ୍ଠ ଅନ୍ତର୍ଜାତୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ଜାପାନ ଚଳିତବର୍ଷ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀର ସହଯୋଗୀ ଦେଶ ହେବାକୁ ଥିବା ବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବ୍ୟାଙ୍କିଙ୍ଗ୍‌ ସହଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଦେଶର ଅଗ୍ରଣୀ ପେସାଦାର ପ୍ରତିଷ୍ଠାନ ଭାବେ ଆଇସିଏସ୍‌ଆଇ ୫୦ ବର୍ଷ ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କମ୍ପାନି ସେକ୍ରେଟାରିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। କମ୍ପାନି ସେକ୍ରେଟାରିମାନେ କମ୍ପାନି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ। କମ୍ପାନି ଗୁଡ଼ିକରେ କମ୍ପାନି ସେକ୍ରେଟାରିମାନେ ହେଲେ ମୂଳ ଆଧାର। ସେମାନେ କମ୍ପାନିରେ ବିବିଧ କାର୍ଯ୍ୟ ସମ୍ପାଦନ କରିଥାନ୍ତି। କମ୍ପାନିର ଅଭିବୃଦ୍ଧିରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ସେମାନଙ୍କୁ କମ୍ପାନି ପାଇଁ ଉପଦେଷ୍ଟାଠାରୁ ଆରମ୍ଭ କରି ଆମ୍ବାସଡର ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ପଡ଼ିଥାଏ। ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକୁ ଜରୁରୀ ସହାୟତା ଯୋଗାଇବାରେ ଗତ ୫୦ ବର୍ଷ ହେଲା ଆପଣମାନେ କାର୍ଯ୍ୟ କରି ଆସୁଛନ୍ତି। ଦେଶରେ ବ୍ୟାପକ ଶିଳ୍ପାୟନ ହେଉଥିବାରୁ କମ୍ପାନି ସେକ୍ରେଟାରୀମାନଙ୍କ ପାଇଁ ଉଜ୍ୱଳ ଭବିଷ୍ୟତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ଆଜି ସମ୍ମିଳନୀର ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ର ଏମ୍‌ଡି ଅରୁଣ ମିଶ୍ର, ଆଇସିଏସ୍‌ଆଇ ସଭାପତି ମକରନ୍ଦ ଲେଲେ, ଉପ ସଭାପତି ଭି.ଆହାଲାଦ ରାଓ, ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ମଲ୍ଲିକ, ପୂର୍ବାଞ୍ଚଳ ଚାପ୍ଟରର ଅଧ୍ୟକ୍ଷ ଅଶୋକ ପୁରୋହିତ ଏବଂ ଆୟୋଜନ କମିଟିର ଅଧ୍ୟକ୍ଷ ଏସ. କେ. ଅଗ୍ରଓ୍ଵାଲ, ଦୀନେଶ ଆରୋରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ଆଇସିଏସଆଇର ସ୍ମରଣିକାକୁ ଉନ୍ମୋଚନ କରିଥିଲେ। ସମ୍ମିଳନୀରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଶତାଧିକ କମ୍ପାନି ସେକ୍ରେଟାରି ଯୋଗଦେଇଛନ୍ତି।

ସମ୍ବନ୍ଧିତ ଖବର