ସରକାରଙ୍କୁ ଘେରିବେ ବିରୋଧୀ

ନୂ୍ଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ ଇସ୍ତଫା ପରେ ସରକାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ସେ କହିଲେ, ରିଜର୍ଭ ବ୍ୟାଙ୍କ ଭଳି ଅନୁଷ୍ଠାନ ଉପରେ ଆକ୍ରମଣ ବନ୍ଦ ହେବା ଦରକାର। ଏହାକୁ ନେଇ ସବୁ ବିରୋଦୀ ଦଳ ସମାନ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେପିକୁ ନିର୍ବାଚନରେ ହରାଇବା ଓ ଅନୁଷ୍ଠାନଗୁଡ଼ିକୁ ବଞ୍ଚାଇବା ପାଇଁ ସବୁ ଦଳ ରାଜି ହୋଇଛନ୍ତି। ପାର୍ଲାମେଣ୍ଟ୍ ଆନେକ୍ସରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିରୋଧୀ ଭୂମିକାରେ ଥିବା ୧୨ଟି ଦଳର ନେତା ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନରେ ବିଜେପିର କିଭଳି ମୁକାବିଲା କରାଯିବ ସେ ନେଇ ରଣନୀତି ପ୍ରସ୍ତୁତ କରିବା ପାଇଁ ସେମାନେ ଏକଜୁଟ ହୋଇଥିଲେ। ଉର୍ଜିତଙ୍କ ଇସ୍ତଫା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସିବିଆଇ ଓ ଆର୍‌ବିଆଇ ଭଳି ଅନୁଷ୍ଠାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଆମକୁ ଏହା ବିରୋଧରେ ପ୍ରତିବାଦ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ଦଳଗୁଡ଼ିକ ଆହୁରି ଆଲୋଚନା କରିବେ ଓ ଖୁବ୍‌ଶୀଘ୍ର ରାଷ୍ଟପ୍ରତି ରାମନାଥ କୋବିନ୍ଦଙ୍କୁ ଭେଟିବେ ବୋଲି ମମତା କହିଛନ୍ତି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସଂଯୋଜନାରେ ଆୟୋଜନ କରାଯାଇଥିବା ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏଚ୍‌ ଡି ଦେବେଗୌଡ଼ା, ଜନତା ଦଳ (ଏସ୍‌)ର ନେତା, ସୋନିଆ ଗାନ୍ଧୀ, ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍, ଡିଏମ୍‌କେ ମୁଖ୍ୟ ଏମ୍ କେ ଷ୍ଟାଲିନ୍, ଏନ୍‌ପିସି ମୁଖ୍ୟ ଶରଦ ପାୱାର, ନ୍ୟାସନାଲ୍ କନ୍‌ଫରେନ୍ସର ସୁପ୍ରିମୋ ଫାରୁକ୍ ଅବଦୁଲା, ଆର୍‌ଜେଡି ନେତା ତେଜସ୍ବୀ ଯାଦବ, ସିପିଆଇ-ଏମ୍‌ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ନେତା ସୁଧାକର ରେଡ୍ଡି, ଡି ରାଜା, ଲୋକତାନ୍ତ୍ରିକ ଜନତା ଦଳର ନେତା ଶରଦ ଯାଦବ, ଝଡ଼ଖଣ୍ଡ ବିକାଶ ମୋର୍ଚାର ବାବୁଲାଲ ମାରାଣ୍ଡି ଓ ବରିଷ୍ଠ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର