୧ କୋଟି ଲାଭାଂଶ ଦେଲା ଓଟିଡିସି

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ରାଜ୍ୟ ସରକାରଙ୍କୁ ପ୍ରଥମ ଥର ପାଇଁ ଅନ୍ତରୀଣ ଲାଭାଂଶ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ୨୦୧୭-୧୮ ଆର୍ଥିକ ବର୍ଷର ଅନ୍ତରୀଣ ଲାଭାଂଶ ବାବଦରେ ୧ କୋଟି ଟଙ୍କାର ଚେକ୍‌ ନିଗମ ପକ୍ଷରୁ ପ୍ରଦାନ କରାଯାଇଛି। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଚେକ୍‌ ପ୍ରଦାନ କରିଛନ୍ତି। ଏହି ଅବସରରେ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ଓଟିଡିସିର ଏମ୍‌ଡି ଡ. ନିତିନ ଭାନୁଦାସ ଜଓ୍ଵାଲେ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ, ନିଗମରେ ଓଡ଼ିଶା ସରକାର ୯.୬୨ କୋଟି ଟଙ୍କା ନିବେଶ କରିଛନ୍ତି। ତେବେ ଆରମ୍ଭରୁ ନିଗମ ୨୦୦୨-୦୩ ପର୍ଯ୍ୟନ୍ତ ନିବରଚ୍ଛିନ୍ନ ଭାବେ କ୍ଷତି କରି ଆସୁଥିଲା। ତେବେ ୨୦୦୩-୦୪ରୁ ନିଗମ ଲାଭ କରିବା ଆରମ୍ଭ କରିଛି। ୨୦୧୭ ମାର୍ଚ ୩୧ ସୁଦ୍ଧା ନିଗମ ୨୬.୨୦ କୋଟି ଟଙ୍କା ଲାଭ କରିଛି। ନିଗମ ଖୁବ୍‌ଶୀଘ୍ର ପର୍ଯ୍ୟଟକମାନଙ୍କ ପାଇଁ ଚଳାଚଳ କରୁଥିବା ବସ୍‌ରେ ଆଉ କିଛି ଭଲଭୋ ବସ୍‌ ସାମିଲ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର