ଅକ୍ସଫାମ୍ ରିପୋର୍ଟ: ବେକାରି ସମସ୍ୟା ପାଇଁ ସରକାରଙ୍କ ନୀତି ଦାୟୀ

ଭୁବନେଶ୍ବର: ଭାରତରେ ଏବେ ବିକାଶର ଯେଉଁ ମଡେଲ ଚାଲିଛି ସେଥିପାଇଁ ବେକାରି ସମସ୍ୟା ସୃଷ୍ଟି ହୋଇଛି। ସରକାର ଶ୍ରମଭିତ୍ତିକ ବିକାଶକୁ ଗୁରୁତ୍ବ ଦେବା ଆବଶ୍ୟକ। ଏହା ହେଲେ ଦେଶରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗୁରୁବାର ଅକ୍ସଫାମ୍ ଇଣ୍ଡିଆ ପକ୍ଷରୁ ‘ମାଇଣ୍ଡ୍ ଦି ଗ୍ୟାପ-ଷ୍ଟେଟ ଅଫ୍ ‌ଏମ୍ପ୍ଲୟମଣ୍ଟେ୍ ଇନ୍ ଇଣ୍ଡିଆ’ ରିପୋର୍ଟ ଆଜି ପ୍ରକାଶ ପାଇଛି। ଏଥିରେ ଭାରତର ଶ୍ରମ ବଜାର‌ ସମ୍ପର୍କରେ କେତେକ ଉଦବେଗଜନକ ସ୍ଥିତି ଦର୍ଶାଯାଇଛି। ଉତ୍ତମମାନର ନିଯୁକ୍ତି ଅଭାବ ଏବଂ ବେତନରେ ରହିଥିବା ମାତ୍ରାଧିକ ତାରତମ୍ୟ ଯୋଗୁ ଭାରତୀୟ ଶ୍ରମ ବଜାରରେ ଆର୍ଥିକ ବୈଷମ୍ୟ ବହୁମାତ୍ରାରେ ରହିଛି। ମହିଳା ଶ୍ରମିକମାନଙ୍କୁ ଏଠାରେ ଉପଯୁକ୍ତ ପାରିଶ୍ରମିକ ମିଳୁନାହିଁ। ଗୋଟିଏ ସମାନ କାର୍ଯ୍ୟ ପାଇଁ ଜଣେ ପୁରୁଷ ଶ୍ରମିକଙ୍କୁ ଯେତିକି ପାରିଶ୍ରମିକ ମିଳୁଛି ମହିଳା ଶ୍ରମିକକୁ ତା ତୁଳନାରେ ୩୪ ପ୍ରତିଶତ କମ୍ ମଜୁରୀ ମିଳୁଛି।

ନିଯୁକ୍ତି ସୃଷ୍ଟି ଏବଂ ଲିଙ୍ଗଗତ ନ୍ୟାୟ ପ୍ରଦାନ ନେଇ ଯେତେଯାହା କୁହାଗଲେ ମଧ୍ୟ ବାସ୍ତବତା କିଛି ଭିନ୍ନ ରହିଛି ବୋଲି ରିପୋର୍ଟ ଉନ୍ମୋଚନ ଅବସରରେ ଅକ୍ସଫାମ୍ ଇଣ୍ଡିଆର ସିଇଓ ଅମିତାଭ ବେହାର କହିଛନ୍ତି। ଦୁର୍ବଳ ନୀତି ଚୟନ ଏବଂ ସାମାଜିକ ନିରାପତ୍ତା ଓ ଭିତ୍ତିଭୂମି କ୍ଷେତ୍ରରେ କମ୍ ନିବେଶ ଏହାର ଅନ୍ୟତମ କାରଣ ବୋଲି ବେହାର ମତ ଦେଇଛନ୍ତି। ନିଯୁକ୍ତି କ୍ଷେତ୍ରରେ ବୈଷମ୍ୟକୁ ଦୂର କରିବା ପାଇଁ ହେଲେ ଶ୍ରମଭିତ୍ତିକ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ସରକାର ଏକ ପ୍ରଗତିଶୀଳ ଟିକସ ଆଦାୟ ବ୍ୟବସ୍ଥାକୁ ଅନୁସରଣ କରି ଏ ବାବଦରେ ଆଦାୟ ହୋଇଥିବା ଅର୍ଥକୁ ଅଧିକରୁ ଅଧିକ ମାତ୍ରାରେ ଶିକ୍ଷା ଓ ସ୍ବାସ୍ଥ୍ୟରେ ବିନିଯୋଗ କରିବାର ଆବଶ୍ୟକତା ରହିଛି। ଆମ ଦେଶରେ ଯେଉଁ ପ୍ରକାର ଶ୍ରମଶକ୍ତି ଅଛି ତାହାକୁ ଦେଖିଲେ ଏଠାରେ ଅନ୍ୟ ଦେଶ ଗ୍ରହଣ କରୁଥିବା ବିକାଶ ମଡେଲକୁ କାର୍ଯ୍ୟକାରୀ କରାଯିବା ଉଚିତ ନୁହେଁ। ଦେଶରେ କାହିଁକି ବୃହତ୍ ଆକାରର ଯାନ୍ତ୍ରିକୀକରଣ ହେଉଛି? ତେବେ ଆମକୁ ଶ୍ରମଭିତ୍ତିକ ଶିଳ୍ପ ଆବଶ୍ୟକ। ଅନ୍ୟଥା ଦେଶରେ ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ସଙ୍କଟ ଦେଖାଦେବ ବୋଳି ଅକ୍ସଫାମ୍ ଇଣ୍ଡିଆର ଡାଇରେକ୍ଟର ରାନୁ ‌ଭୋଗଲ କହିଛନ୍ତି।

ଅର୍ଥନୀତିଜ୍ଞଙ୍କୁ ସମର୍ଥନ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ସମାଲୋଚନା
ନୂଆଦିଲ୍ଲୀ: ସରକାରୀ ତଥ୍ୟ ପ୍ରକାଶରେ ରାଜନୈତିକ ହସ୍ତକ୍ଷେପକୁ ନେଇ ଦେଖାଦେଇଥିବା ବିତର୍କ ଥମିବା ବଦଳରେ ବଢ଼ିଚାଲିଛି। ସରକାର ଜାଣିଶୁଣି ଅସହଜ ତଥ୍ୟଗୁଡ଼ିକୁ ଅଟକାଉଛନ୍ତି ବୋଲି କିଛି ଦିନ ତଳେ ୧୦୮ ଜଣ ଅର୍ଥନୀତିଜ୍ଞ ଅଭିଯୋଗ କରିଥିଲେ। ଏହାର କିଛି ଦିନ ପରେ ୧୩୧ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ସେହି ଅର୍ଥନୀତିଜ୍ଞମାନଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଅର୍ଥନୀତିଜ୍ଞମାନେ ଏଭଳି ଆପତ୍ତି ଉଠାଇଛନ୍ତି ବୋଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ମାନେ କହିଥିଲେ। ଏହି ବିତର୍କରେ ସାମିଲ ହୋଇଛି ଅକ୍ସଫାମ୍ ଇଣ୍ଡିଆ। ଏହାର ଗବେଷଣା ପ୍ରବନ୍ଧକ ଦିବ୍ୟା ଦତ୍ତା ୧୦୮ ଅର୍ଥନୀତିଜ୍ଞଙ୍କ ଦାବିକୁ ସମର୍ଥନ କରିଛନ୍ତି। କିନ୍ତୁ ୧୩୧ ଜଣ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଯାହା କହିଥିଲେ ତାହାକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଦିବ୍ୟା କହିଛନ୍ତି ଯେ, ଯେଉଁ ଅର୍ଥନୀତିଜ୍ଞମାନେ ତଥ୍ୟକୁ ନେଇ ଆପତ୍ତି ଉଠାଇଥିଲେ ସେମାନେ ହେଉଛନ୍ତି ଦେଶ ଓ ବିଦେଶର ବିଶିଷ୍ଟ ଅର୍ଥନୀତିଜ୍ଞ। ସେମାନଙ୍କ କଥାକୁ ଅଣଦେଖା କରାଯାଇପାରିବ ନାହିଁ। ସେମାନେ କ’ଣ କହୁଛନ୍ତି ତାହାକୁ ସରକାରଙ୍କୁ ଶୁଣିବାକୁ ହେବ। ତଥ୍ୟକୁ ଚାପିବା ଭଲ ନୁହେଁ। ସଠିକ ତଥ୍ୟ ନହେଲେ ସମାଜରେ ଥିବା ସମସ୍ୟାକୁ ସରକାର ସମାଧାନ କରିପାରିବେ ନାହିଁ।

ସମ୍ବନ୍ଧିତ ଖବର