ଆଇଏମ୍‌ଏଫ୍ ପାଣ୍ଠି ପାଇଁ ବହୁମୂଲ୍ୟ ଦେଲା ପାକିସ୍ତାନ

ବିଦାହେଲେ ଅର୍ଥମନ୍ତ୍ରୀ, କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଓ ଟିକସ ମୁଖ୍ୟ

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ବା ଆଇଏମଏଫଠାରୁ ସହାୟତା ଆଣିବା ଉଦ୍ୟମ ମହଙ୍ଗା ହୋଇଛି। ଏଥିପାଇଁ ପାକିସ୍ତାନ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଏହା ବଦଳରେ ଦେଶର ଅର୍ଥମନ୍ତ୍ରୀ, କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଏବଂ ଜଣେ ଉଚ୍ଚପଦସ୍ଥ ରାଜସ୍ବ ଅଧିକାରୀଙ୍କ ଚାକିରି ଯାଇଛି। ପାଣ୍ଠି ବଦଳରେ ସରକାରଙ୍କୁ ବିତ୍ତୀୟ ଶୃଙ୍ଖଳାକୁ ନିଶ୍ଚିତ କରିବା ନିମନ୍ତେ ଆଇଏମଏଫ ଏଭଳି ପଦକ୍ଷେପ ନେବାକୁ ପାକିସ୍ତାନ ସରକାରଙ୍କୁ ବାଧ୍ୟ କରିଥିବା କୁହାଯାଉଛି। ପାକିସ୍ତାନ ସରକାର ଶନିବାର ରାତିରେ ଦେଶର ଜଣେ ଅର୍ଥନୀତିଜ୍ଞ ଡ. ରେଜା ବକିର୍‌ଙ୍କୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ)ର ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ସେ ଆଇଏମଏଫ ପାଇଁ କାମ କରୁଥିଲେ। ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନର ଗଭର୍ଣ୍ଣର ଥିବା ତାରିକ୍ ବାଜୱା ତାଙ୍କ ପଦରୁ ଇସ୍ତଫା ଦେବାର ଦିନକ ପରେ ସରକାର ଏହି ନୂଆ ନିଯୁକ୍ତି ଦେଇଛନ୍ତି।

ପାକିସ୍ତାନର ଟିକସ ସଂଗ୍ରହ ସଂସ୍ଥା ବା ଫେଡେରାଲ ବୋର୍ଡ ଅଫ୍ ରେଭିନ୍ୟୁ (ଏଫବିଆର)ର ଅଧ୍ୟକ୍ଷ ପଦରୁ ଜାହାଁଜେବ ଖାନ୍ ବିଦା ହେବା ପରେ ଏହି ପଦରେ ମୁଜତାବା ମେମନଙ୍କୁ ନିଯୁକ୍ତି ଦେଇଛନ୍ତି। କିଛିଦିନ ପୂର୍ବରୁ ଦେଶର ଅର୍ଥମନ୍ତ୍ରୀ ଅସଦ ଉମରଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିଲା। ଏହାପରେ ସେ ଅର୍ଥମନ୍ତ୍ରୀ ପଦରୁ ଓହରି ଯାଇଥିଲେ। ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବା ସହିତ ମୁଦ୍ରାସ୍ଫୀତି ଉଚ୍ଚ ହାରରେ ବୃଦ୍ଧି ପାଉଥିବାରୁ ସରକାର ତାଙ୍କର ଆର୍ଥିକ ଟିମ୍‌କୁ ବଦଳାଇବାକୁ ପଦକ୍ଷେପ ନେଉଛନ୍ତି। ପାକିସ୍ତାନରେ ମୁଦ୍ରାସ୍ଫୀତି ଗତ ୬ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ଗତମାସରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ତାଙ୍କର ଆର୍ଥିକ ଉପଦେଷ୍ଟାଙ୍କୁ ମଧ୍ୟ ବଦଳାଇ ଦେଇଥିଲେ। ଉପଦେଷ୍ଟା ପଦରେ ଥିବା ଉମରଙ୍କୁ ହଟାଇ ଅବଦୁଲ ହପିଜ୍ ଶେଖ୍‌ଙ୍କୁ ନିଯୁକ୍ତି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ପାଇଁ ଆଇଏମଏଫ ମିସନ ମୁଖ୍ୟ ଏରନେଷ୍ଟୋ ରିଗୋ ଏବେ ଇସଲାମାବାଦ ଗସ୍ତରେ ଅଛନ୍ତି। ତିନି ବର୍ଷ ପାଇଁ ପାକିସ୍ତାନ ସହିତ ଏକ ୬.୫ ବିଲିଅନ ଡଲାରର ପ୍ୟାକେଜ ରାଜିନାମା ଆଇଏମଏଫ ସହିତ କରିବା ନେଇ ଇସଲାମାବାଦ ଆଶାୟୀ ରହିଛି ବୋଲି ଦି ଏକ୍ସପ୍ରେସ ଟ୍ରିବ୍ୟୁନରେ ରିପୋର୍ଟ ପ୍ରକାଶ ପାଇଛି। ଆଇଏମଏଫର ଅଧିକାରୀମାନେ ଗତ ୫ ଦିନ ହେଲା ଇସଲାମାବାଦ ଗସ୍ତରେ ଥିଲେ ମଧ୍ୟ ମା‌କ୍ରୋ ଅର୍ଥନୀତିର ଢାଞ୍ଚାର ରୂପରେଖ ପ୍ରସ୍ତୁତିକୁ ନେଇ କୌଣସି ସହମତି ପ୍ରକାଶ ପାଇପାରିନାହିଁ। ଅର୍ଥନୀତିର ମୁଖ୍ୟ ସୂଚକ ଗୁଡ଼ିକ ସମ୍ପର୍କରେ ଅର୍ଥ ମନ୍ତ୍ରାଳୟ ଏବଂ ଆଇଏମଏଫ ଅଧିକାରୀମାନେ ଯେଉଁ ଆକଳନ କରୁଛନ୍ତି ସେଥିରେ ପାର୍ଥକ୍ୟ ରହୁଛି। ଦେଶରେ ଏକ କୋହଳ ମୁଦ୍ରାନୀତି କାର୍ଯ୍ୟକାରୀ କରିବା ଲାଗି ଆଇଏମଏଫ ପାକିସ୍ତାନ ସରକାର ଉପରେ ଚାପ ପକାଉଛି। ଗତ ମାର୍ଚରେ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ଆକଳନ କରିଥିଲା ଯେ, ଜୁନ ସୁଦ୍ଧା ଦେଶର ଅର୍ଥନୈତିକ ଅଭିବୃଦ୍ଧି ୩.୫ ପ୍ରତିଶତରୁ ୪ ପ୍ରତିଶତ ମଧ୍ୟରେ ରହିବ। କିନ୍ତୁ ଆଇଏମଏଫର ଆକଳନ ହେଉଛି ଚଳିତ ଆର୍ଥିକ ବର୍ଷରେ ପାକିସ୍ତାନର ଅଭିବୃଦ୍ଧି ୨.୯ ପ୍ରତିଶତ ଏବଂ ଆସନ୍ତା ଆର୍ଥିକ ବର୍ଷରେ ୨.୮ ପ୍ରତିଶତ ରହିବ।

ସମ୍ବନ୍ଧିତ ଖବର