ପକୁଡ଼ି ବିକିବା ଖରାପ ନୁହେଁ, କିନ୍ତୁ ଅଧିକ ଲୋକ ବିକିବାରୁ ଦର କମିଯାଉଛି : ନେବେଲ୍ ବିଜେତା ଅଭିଜିତ ବାନାର୍ଜୀ ଓ ଇସ୍ଥର ଡୁଫଲୋ

ଇଂରାଜୀ ଖବର କାଗଜ ‘ଟାଇମ୍ସ ଅଫ୍ ଇଣ୍ଡିଆ’କୁ ନେବେଲ୍ ବିଜେତା ଅଭିଜିତ ବାନାର୍ଜୀ ଓ ଇସ୍ଥର ଡୁଫଲୋ ଦେଇଥିବା ସାକ୍ଷାତକାରର କିୟଦଂଶ

ନୋବେଲ ପୁରସ୍କାର ଆପଣଙ୍କୁ ଭବିଷ୍ୟତରେ ଆହୁରି ଭଲ କାମ କରିବାରେ ସହାୟକ ହେବ କି?

ମୁଁ ଆଶା କରୁଛି ଯେ, ଏହି ପୁରସ୍କାର ମୋ ପାଇଁ ଅଧିକ ଦ୍ବାର ଉନ୍ମୁକ୍ତ କରିବ। ଆମ ନିକଟରେ ବହୁ ଅଧିକ ସଂଖ୍ୟକ ଯୁବ ପ୍ରଫେସର କାର୍ଯ୍ୟ କରୁଛନ୍ତି। ଏହାଦ୍ବାରା ସେମାନେ ରାଣ୍ଡମାଇଜଡ କଣ୍ଟ୍ରୋଲ୍ଡ ଟ୍ରାଏଲ୍ସ (ଆର୍‌ସିଟି) କରିବେ। ତାହା ହିଁ ଆମର ମୌଳିକ ଉଦ୍ଦେଶ୍ୟ।
ଭାରତ ସରକାର ଏବେ ଆପଣଙ୍କୁ ଅଧିକ ଗୁରତ୍ବ ଦେବେ କି?
ସତ କହିବାକୁ ଗଲେ, କେନ୍ଦ୍ର ସରକାର ଏବଂ କେତେକ ରାଜ୍ୟ ସରକାର ଠିକ୍ ପଦକ୍ଷେପ ନେଉଛନ୍ତି। ଆମର ଅଧିକାଂଶ କାର୍ଯ୍ୟ ରାଜ୍ୟ ସରକାରଙ୍କ ସହିତ। ଯଦି ଗୁଜରାଟ ହୁ‌ଏ ତାହେଲେ ବିଜେପି ସହିତ ଏବଂ ପଶ୍ଚିମ ବଙ୍ଗ ହେଲେ ତୃଣମୂଳ କଂଗ୍ରେସ ସହିତ କାର୍ଯ୍ୟ କରିବାକୁ ପଡ଼େ। ତେଣୁ ରାଜ୍ୟରେ ଯିଏ ଶାସକ ଦଳ ସେ ଆମର ସହଯୋଗୀ। ଆମେ ରାଜ୍ୟକୁ ସେଭଳି କୌଣସି ପାତରଅନ୍ତର ରଖି ଚୟନ କରୁନା। ଯେଉଁ କାମ କରିବା ଭଲଲା‌ଗେ ଏବଂ ଯେଉଁଠି ସାମାଜିକ ବା ଅର୍ଥନୈତିକ ଆହ୍ବାନ ରହିଛି ‌ଆମେ ସେହି ରାଜ୍ୟରେ କାର୍ଯ୍ୟ କରୁ। ତେଣୁ ଅନେକ ସରକାରଙ୍କ ସହିତ ଆମର ଭଲ ସମ୍ପର୍କ ରହିଛି ବୋଲି ଅଭିଜିତ୍ କହିଛନ୍ତି। ସେହିଭଳି ଡୁଫ୍‌ଲୋ କହିଛନ୍ତି, ନିଶ୍ଚିତ ଭାବେ ଏହି ପୁରସ୍କାର ଆମ ପ୍ରତି ଧ୍ୟାନ ଆକର୍ଷଣ କରିବ। ତେବେ ଏହି ଧ୍ୟାନକୁ ଆମକୁ ଉତ୍ତମ କାର୍ଯ୍ୟରେ ରୂପାନ୍ତରିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ବିଶ୍ବର ବିଭିନ୍ନ ଦେଶରେ ଦାରିଦ୍ର୍ୟ ଅନୁଧ୍ୟାନ ନେଇ ଆପଣ ଯଥେଷ୍ଟ ସମୟ ଦେଇଛନ୍ତି। ଭାରତର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ଆପଣ କିଭଳି ମୂଲ୍ୟାୟନ କରିବେ?
ଦାରିଦ୍ର୍ୟକୁ ସମ୍ପୂର୍ଣ୍ଣ ଭାବେ ଦୂର କରିବା ପାଇଁ କୌଣସି ଯାଦୁକରୀ ଶକ୍ତି ନାହିଁ। କିନ୍ତୁ ଅଭିବୃଦ୍ଧି‌ରେ ଧନୀ ଅଧିକ ଲାଭବାନ ହେଲେ ମଧ୍ୟ ଏଥିଯୋଗୁଁ ଦାରିଦ୍ର୍ୟ ଦୂର ହେଉଛି। ଆପଣ ସହରାଞ୍ଚଳରେ ରିଅଲ ଇଷ୍ଟେଟ ଅଗ୍ରଗତିକୁ ପସନ୍ଦ କରନ୍ତୁ କି ନକରନ୍ତୁ, ଏହାଦ୍ବାରା କିନ୍ତୁ ସହରାଞ୍ଚଳରେ ନିଯୁକ୍ତି ସୃଷ୍ଟି ହେଉଛି। ଫଳରେ ଗ୍ରାମାଞ୍ଚଳକୁ ନଗଦ ଅର୍ଥର ପ୍ରବାହ ହେଉଛି। ତେବେ ଅନେକ ଖରାପ ନୀତି ମଧ୍ୟ ରହିଛି। ନୀତିର କାର୍ଯ୍ୟକା‌ରିତା ମଧ୍ୟ ଠିକ୍ ଭାବେ ହେଉନାହିଁ। ମୋଟାମୋଟି ଭାବେ ଆମେ ଖରାପ ସ୍ଥାନରେ ନାହୁଁ।
ଭାରତ ତୁଳନାରେ ଚୀନ୍ ଅଧିକ ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପ ଗ୍ରହଣ କରିଛି କି?
ମୁଁ ଭାବୁଛି ଚୀନ୍ ଗୋଟିଏ ବଡ଼ କାର୍ଯ୍ୟ କରିଛି ଯେଉଁଥିରେ ଆମେ ବିଫଳ ହୋଇଛେ। ତାହା ହେଉଛି ଶ୍ରମଭିତ୍ତିକ ମାନୁଫାକ୍‌ଚରିଂ ବା ନିର୍ମାଣ ଶିଳ୍ପର ଅଗ୍ରଗତି। ଆମେ ରିଅଲ ଇଷ୍ଟେଟ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିଛେ କିନ୍ତୁ ମାନୁଫାକଚରିଂ କ୍ଷେତ୍ରରେ କରିପାରି ନାହେଁ। ମାନୁଫାକ୍‌ଚରିଂ କ୍ଷେତ୍ରରେ ନିୟୁତ ନିୟୁତ ଲୋକଙ୍କୁ ନିଯୁକ୍ତି ଦିଆଯାଇ ପାରିବ। ଆମେ ସେହି ସୁଯୋଗ ହାତଛଡ଼ା କରିଛୁ। ବାଂଲାଦେଶ ଏବେ ସେହି ସୁଯୋଗ ହାତେଇ ପାରିଛି।
ଶ୍ରମିକମାନେ ଗୋଟିଏ ପେସାରୁ ଅନ୍ୟ ପେସାକୁ ଯି‌ବା କ୍ଷେତ୍ରରେ ଭାରତରେ ଜାତି ଏକ ପ୍ରତିବନ୍ଧକ ହୋଇଛି କି?
ଯଦି ତଥ୍ୟକୁ ଦେଖିବେ ତାହେଲେ ଲୋକମାନେ ବ୍ରାହ୍ମଣମାନଙ୍କ କାର୍ଯ୍ୟ ପାଇବା ଲାଗି ଅପେକ୍ଷା କରୁନାହାନ୍ତି। ସବୁ ଲୋକ କିଛି ନା କିଛି କାର୍ଯ୍ୟ କରୁଛନ୍ତି। ୩୨ ବର୍ଷ ବୟସ ବର୍ଗରେ ଆମ ଦେଶର ବେକାରି ହାର ଅତ୍ୟନ୍ତ ନଗଣ୍ୟ ବା ମାତ୍ର ୨ରୁ ୩ ପ୍ରତିଶତ ବୋଲି ଏନଏସଏସଓ ତଥ୍ୟ କହୁଛି। ୩୦ ବର୍ଷ ବୟସ ଟପିଗଲେ ସବୁ ଯୁବକଙ୍କୁ କାର୍ଯ୍ୟ ମିଳିଯାଉଛି।
ଏପରିକି ସେମାନେ ପକୁଡ଼ି ବିକିଲେ ବି?
ପକୁଡ଼ି ବିକିବା ଖରାପ କାମ ନୁହେଁ, କିନ୍ତୁ ଅଧିକ ସଂଖ୍ୟକ ଲୋକ ପକୁଡ଼ି ବିକିଲେ ‌ତାହାର ଦର କମିଯାଉଛି।
ଭାରତରେ ଯଦି ସାର୍ବଜନୀନ ମୌଳିକ ଆୟ ଯୋଜନାକୁ କାର୍ଯ୍ୟକାରୀ କରାଯାଏ ତାହେଲେ ସବ୍‌ସିଡିକୁ ବନ୍ଦ କରି ଦିଆଯିବା ଉଚିତ କି?
ମୁଁ ଭାବୁନାହିଁ ଏହାକୁ କେହି ଏପର୍ଯ୍ୟନ୍ତ ପରୀକ୍ଷା କରିଛନ୍ତି। ଦୁଇ ପକ୍ଷ ପାଇଁ ଭଲ ଯୁକ୍ତି ରହିଛି। ସାର୍ବଜନୀନ ମୌଳିକ ଆୟ ବା ୟୁନିଭର୍ସାଲ ବେସିକ୍ ଇନକମ୍‌ ଯୋଜନାରେ ଜଣେ କେତେ ଅର୍ଥ ପାଇବ ତାହାକୁ ଆକଳନ କରାଯାଇ ପାରିଥାଏ। ତେଣୁ ଜଣେ ବ୍ୟକ୍ତି କିଛି ବିପଦପୂର୍ଣ୍ଣ କାର୍ଯ୍ୟ କରିବାକୁ ସାହସ କରିପାରିବ। ଏବେ ଅର୍ଥନୀତିଜ୍ଞଙ୍କ ମଧ୍ୟରେ ସର୍ବନିମ୍ନ ଆ‌ୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ମତ ପ୍ରକାଶ ପାଉଛି। କେନିୟାରେ ଆମେ ‌ଏ ନେଇ ଏକ ବଡ଼ ପରୀକ୍ଷା କରୁଛୁ। ଫଳାଫଳ ମିଳିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ।
ସିଇଓମାନଙ୍କ ବେତନର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ ସପକ୍ଷରେ ଆପଣ ଅଛନ୍ତି କି?
ସିଇଓମାନଙ୍କ ସର୍ବୋଚ୍ଚ ବେତନକୁ ଏକ ସୀମା ମଧ୍ୟରେ ରଖିବା ଭଲ ଚିନ୍ତାଧାରା କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା କଷ୍ଟ। ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ଅଧିକ ହାରରେ ଟିକସ ଲାଗୁ କରିବା ସପକ୍ଷରେ ମୁଁ ରହିଛି। ଆର୍ଥିକ ବୈଷମ୍ୟକୁ ଠିକ୍ କରିବା ଦିଗରେ ଟିକସ ବ୍ୟବସ୍ଥାକୁ ମଧ୍ୟ ଉପଯୋଗ କରିବାର ଆବଶ୍ୟକ।
ଦେଶ ଆର୍ଥିକ ମାନ୍ଦାବସ୍ଥା ନା ଆଧିପତ୍ୟବାଦ ଆଡ଼କୁ ଅଗ୍ରସର-ଆପଣଙ୍କୁ କେଉଁଟି ଅଧିକ ବ୍ୟଥିତ କରୁଛି?
ମୋ ମତରେ ମାନ୍ଦାବସ୍ଥା ବାସ୍ତବ ଏବଂ ସରକାର ଏହାକୁ ଧୀରେ ଧୀରେ ସ୍ବୀକାର କରୁଛନ୍ତି। ୫ ପ୍ରତିଶତ ଅଭିବୃଦ୍ଧି ଭଲନୁହେଁ ଏବଂ ଖୁବଶୀଘ୍ର ଏହା ଆହୁରି କମିବ। ପୂର୍ବରୁ ବଡ଼ ବାର୍ତ୍ତା ଥିଲା ଭାରତ ଭଲ ପ୍ରଦର୍ଶନ କରୁଛି। ଏବେ ଆମେ ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁ ନଥିବାରୁ ସରକାର ଅର୍ଥନୀତି ସଂକ୍ରାନ୍ତ ବାର୍ତ୍ତା ଦେଇପାରିବେ ନାହିଁ। ତେଣୁ ଅନ୍ୟ ବାର୍ତ୍ତା ବିକ୍ରି କରି ନିର୍ବାଚନ ଜିତିବେ।

ସମ୍ବନ୍ଧିତ ଖବର

Comments are closed.