‘ପ୍ୟାରିସ ବେକେରି ଫୁଡ୍‌ ପ୍ଲାଜା’ ଉଦ୍‌ଘାଟିତ

ଭୁବନେଶ୍ୱର: ପ୍ୟାରିସ ବେକେରି ଏକ ନୂତନ ଫର୍ମାଟରେ ଏବେ ବଜାରକୁ ଆସିଛି। ବେକେରି ଏବଂ ରେସ୍ତୋରାଁର ମିଶ୍ରଣରେ ‘ପ୍ୟାରିସ୍‌ ବେକେରି ଫୁଡ୍‌ ପ୍ଲାଜା’ର ପ୍ରଥମ ଷ୍ଟୋର ଗଜପତି ନଗରସ୍ଥିତ ଟ୍ରିପ୍‌ଲେକ୍ସ ବିଲଡିଂରେ ଆଜି ଉଦ୍‌ଘାଟିତ ହୋଇଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ସାଧାରଣ ପରିଚାଳକ ବି. ଭେଣୁଗୋପାଳ ରେଡ୍ଡି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ୧୦,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ପରିବ୍ୟାପ୍ତ ଏହି ଷ୍ଟୋରରେ ଗ୍ରାହକମାନେ ସମସ୍ତ ବେକେରିର ଉତ୍ପାଦ (ବ୍ରେଡ, କୁକିସ୍‌, କେକ୍‌, ପେଷ୍ଟ୍ରି, ଏଫଏମସିଜି ଏବଂ ଜୁସ) ସହ ଚାଟ୍‌, ମିଷ୍ଠାନ୍ନ, ବିଭିନ୍ନ ପାନୀୟ ସାମଗ୍ରୀ, ଇଣ୍ଡିଆନ, ଚାଇନିଜ୍‌, ନର୍ଥ ଇଣ୍ଡିଆନ, ସାଉଥ ଇଣ୍ଡିଆନ ଆଦି ଖାଦ୍ୟ ପାଇପାରିବେ। ଏହି ଅବସରରେ ନେକ୍ଟାରସ ଫୁଡ୍‌ ପ୍ରାଇଭେଟ ଲିମିଟେଡ୍‌ ଅଧ୍ୟକ୍ଷ ଜୟନାରାୟଣ ପୂଜାପଣ୍ଡା କହିଛନ୍ତି ଯେ ପ୍ୟାରିସ ବେକେରି ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ୱାଦୁ ଖାଦ୍ୟ ପାଇଁ ଓଡ଼ିଶାବାସୀଙ୍କଠାରୁ ଉତ୍ସାହଜନକ ସମର୍ଥନ ପାଇଛି। ଲୋକମାନଙ୍କ ପ୍ରଶଂସାକୁ ସମ୍ମାନ ଜଣାଇ କମ୍ପାନି ‘ଫୁଡ୍‌ ପ୍ଲାଜା ଫର୍ମାଟ’କୁ ଓଡ଼ିଶାରେ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା କମ୍ପାନିର ଓଡିଶାରେ ୩୫ଟି ଏବଂ କଲିକତାରେ ୮ଟି ଷ୍ଟୋର ରହିଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନି ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଛତିଶଗଡ଼, ଝାରଖଣ୍ଡ, ବିଶାଖାପାଟଣା ପରି ସ୍ଥାନରେ ୧୦ଟି ନୂତନ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖିଛି। ଏହି ଅବସରରେ କଂପାନିର ଏମ୍‌ଡି ବିଭାସ ରଞ୍ଜନ ଓ ସିଇଓ ଅଂଶୁମାନ ମିଶ୍ର ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର