ବିସ୍କୁଟ ବଜାରରେ ସଙ୍କଟ, ପାର୍ଲେ-ଜି ବିକ୍ରି ବହୁତ କମିଛି

ନୂଆଦିଲ୍ଲୀ : ମାନ୍ଦାବସ୍ଥା କବଳରେ ପଡ଼ିଛି ଦେଶର ବିସ୍କୁଟ ବଜାର। ଗାଁରେ ଲୋକମାନେ ବିସ୍କୁଟ କିଣିବା କମାଇ ଦେଇଛନ୍ତି। ‌ଏହାର ପ୍ରଭାବ ବିସ୍କୁଟ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ଉପରେ ପଡ଼ିଛି। ସେଥିପାଇଁ ପାର୍ଲେ-ଜି ଭଳି ଲୋକପ୍ରିୟ ବିସ୍କୁଟ ନିର୍ମାଣ କରୁଥିବା କଂପାନି ପାର୍ଲେ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌ ୧୦ ହଜାର ଲୋକଙ୍କୁ ଛଟେଇ କରିବା ବିଷୟରେ ଚିନ୍ତା କରୁଛି। ଏହା କାରଖାନର ଉତ୍ପାଦନକୁ କିଛି ଦିନ ବନ୍ଦ କରିବା ଲାଗି ମଧ୍ୟ ଭାବୁଛି।

ମାନ୍ଦାବସ୍ଥା ଯୋଗୁ ଦେଶରେ କାର୍‌ ଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ଅନେକ ପ୍ରକାର ସାମଗ୍ରୀର ଚାହିଦା ଓ ବିକ୍ରି କମିଛି। ସେଥିପାଇଁ ଏହି ସବୁ ସାମଗ୍ରୀ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ କାରଖାନାକୁ କିଛି ଦିନ ପାଇଁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ପାର୍ଲେର କାଟୋଗୋରି ମୁଖ୍ୟ ମୟଙ୍କ ଶାହ କହିଛନ୍ତି ଯେ, ବିକ୍ରିରେ ବଡ଼ ଧରଣର ହ୍ରାସ ହୋଇଥିବାରୁ ୮-୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ପଡ଼ିବ। ବିସ୍କୁଟ ବଜାର ଅତ୍ୟନ୍ତ ଖରାପ ସମୟ ଦେଇ ଗତି କରୁଛି। ଯଦି ସରକାର ସାହାଯ୍ୟ ନକରିବେ କର୍ମଚାରୀଙ୍କୁ ବିଦା କରିବା ଲାଗି ଆମେ ଏକ ପ୍ରକାର ବାଧ୍ୟ ହେବୁ ବୋଲି ସେ କହିଛନ୍ତି।

୧୯୯୨ରେ ସ୍ଥାପିତ ହୋଇଥିବା ପାର୍ଲେରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏକ ଲକ୍ଷ କର୍ମଚାରୀ କାମ କରୁଛନ୍ତି। କଂପାନିର ୧୦ଟି ନିଜସ୍ବ କାରଖାନା ରହିଥିବା ବେଳେ ଅନ୍ୟ ୧୨୫ଟି କଣ୍ଟ୍ରାକ୍ଟ କାରଖାନା ଜରିଆରେ ଏହା ନିଜର ଉତ୍ପାଦଗୁଡ଼ିକୁ ପ୍ରସ୍ତୁତ କରୁଛି।

୨୦୧୭ରେ ଭାରତ ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରିବା ପର ଠାରୁ ପାର୍ଲେ-ଜି ଭଳି ଲୋକପ୍ରିୟ ବିସ୍କୁଟର ଉତ୍ପାଦନ କମିଛି। ପାଞ୍ଚ ଟଙ୍କିଆ ବିସ୍କୁଟ ପ୍ୟାକେଟ୍‌ ଉପରେ ଅଧିକ ଟିକସ ଲଗାଯାଇଥିବା ସେ ଅଭିଯୋଗ କରିଛନ୍ତି। ଟିକସ ପରିମାଣ ବଢ଼ିବା ପରେ ପ୍ୟାକେଟ୍‌ରେ ରହୁଥିବା ବିସ୍କୁଟ ସଂଖ୍ୟାକୁ କଂପାନି କମାଇ ଦେଇଥିଲା। ତେଣୁ ଲୋକମାନେ ଏହି ସମାନ ଟଙ୍କାରେ କମ୍ ବିସ୍କୁଟ ଖାଇବାକୁ ପସନ୍ଦ କରିନଥିଲେ। କେବଳ ପାର୍ଲେ ନୁହେଁ, ବ୍ରିଟାନିଆ ଭଳି କଂପାନିର ବିକ୍ରି ମଧ୍ୟ କମିଛି। ବ୍ରିଟାନିଆର ଏମ୍‌ଡି ବରୁଣ ବେରି କହିଛନ୍ତି ଯେ, ଏବେ ଦେଶରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ଯେଉଁଠାରେ ପାଞ୍ଚ ଟଙ୍କିଆ ଜିନିଷ କିଣିବା ପୂର୍ବରୁ ଲୋକମାନେ ଦୁଇ ଥର ଚିନ୍ତା କରୁଛନ୍ତି।

ସମ୍ବନ୍ଧିତ ଖବର