୩୪ତମ ଜିଏସଟି ପରିଷଦ ବୈଠକକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ ହେବାକୁ ଥିବା ୩୪ତମ ଜିଏସଟି ପରିଷଦ ବୈଠକକୁ ନିର୍ବାଚନ କମିସନ ଅନୁମତି ପ୍ରଦାନ କରିଛନ୍ତି। ଏହି ବୈଠକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ହେବ। ନିର୍ବାଚନ କମିସନଙ୍କ ଅନୁମତି ମିଳିବ ପରେ ଜିଏସଟି ପରିଷଦର ସଚିବାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଏ ସଂକ୍ରାନ୍ତ ନୋଟିସ ପଠାଇ ଦିଆଯାଇଛି। ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ କମିସନ ଗତ ୧୦ ତାରିଖରୁ ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଏସଟି ପରିଷଦ ବୈଠକ ହୋଇ ପାରିବ କି ନାହିଁ ସେ ନେଇ କମିସନଙ୍କ ଅନୁମତି ଲୋଡ଼ାଯାଇଥିଲା। ତେବେ ଏହି ବୈଠକରେ ନୂଆ କିଛି ନିଷ୍ପତ୍ତି ନିଆଯିବାର ସମ୍ଭାବନା ନାହିଁ। କେବଳ ପୂର୍ବରୁ ଘୋଷଣା ହୋଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ଉପରେ ବିଚାରବିମର୍ଶ ହେବ। ପରିଷଦ ଗତ ବୈଠକରେ ରିଅଲ ଇଷ୍ଟେଟ କ୍ଷେତ୍ରର ଟିକସ ହାରକୁ ହ୍ରାସ ଘୋଷଣା କରିଥିଲେ। ନିର୍ମାଣାଧୀନ ଫ୍ଲାଟର ଟିକସ ହାର ୫ ପ୍ରତିଶତକୁ ଏବଂ ସୁଲଭ ଗୃହର ଟିକସ ହାର ୧ ପ୍ରତିଶତକୁ ହ୍ରାସ କରାଯାଇଛି। ଆସନ୍ତା ଏପ୍ରିଲ ପହିଲାରୁ ଏହି ନୂଆ ଟିକସ ହାର ଲାଗୁ ହେବ।

ସମ୍ବନ୍ଧିତ ଖବର